ନୂଆଦିଲ୍ଲୀ,୨୨/୦୪ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଦ୍ୱାରା ଭାରତରେ ସାର ଉତ୍ପାଦନ ମାର୍ଚ୍ଚରେ ପାଖାପାଖି ଏକ ଚତୁର୍ଥାଂଶ ହ୍ରାସ ପାଇଛି । ବାଣିଜ୍ୟ ମନ୍ତ୍ରାଳୟ ଅନୁସାରେ, ୨୦୨୫ ତୁଳନାରେ ୨୦୨୬ ମାର୍ଚ୍ଚରେ ଉତ୍ପାଦନ ୨୪.୬% କମିଯାଇଛି । ବିଶେଷକରି ସାର ପ୍ରସ୍ତୁତିରେ ବ୍ୟବହାର ହେଉଥିବା ପ୍ରାକୃତିକ ଗ୍ୟାସ୍‌ର ଯୋଗାଣ ଯୁଦ୍ଧ କାରଣରୁ ପ୍ରଭାବିତ ହୋଇଛି । ୟୁରିଆ ଉତ୍ପାଦନରେ ଏହାର ବ୍ୟବହାର ହୋଇଥାଏ, ଯାହା ଭାରତର କୃଷି କାର୍ଯ୍ୟ ପାଇଁ ଅତି ଜରୁରୀ ଉର୍ବରକ । ଏଥିପାଇଁ ଭାରତ ସମ୍ପୂର୍ଣ୍ଣ ରୂପେ ଅନ୍ତର୍ଜାତୀୟ ଉର୍ଜା ଦର ଏବଂ ଯୋଗାଣ ଉପରେ ନିର୍ଭର କରିଥାଏ ।

ଯୁଦ୍ଧ କାରଣରୁ ହୋର୍ମୁଜ ମାର୍ଗରେ ପରିବହନ ବନ୍ଦ ରହିଛି । ଏହି ମାର୍ଗ ଦେଇ ଉର୍ଜା ଏବଂ ସାର ସହ ଜଡ଼ିତ କଞ୍ଚାମାଲ ଯୋଗାଣ ହୋଇଥାଏ । ଫଳରେ ଦେଶରେ ସାର ଉତ୍ପାଦନ ବ୍ୟାହତ ହୋଇଛି । ରିପୋର୍ଟ ଅନୁସାରେ, ହୋର୍ମୁଜ ବନ୍ଦ ହେବା କାରଣରୁ ଉପସାଗରୀୟ ଦେଶଗୁଡ଼ିକରୁ ଆସୁଥିବା ଏଲ୍‌ଏନ୍‌ଜିର ଖେପ ଭାରତ ପହଞ୍ଚିପାରୁନାହିଁ । ଭାରତ ଏହାର ଆବଶ୍ୟକତାର ୬୦% ଏଲ୍‌ଏନ୍‌ଜି ଏବଂ ୪୦% ୟୁରିଆ ପାଇଁ ଏହି ଦେଶଗୁଡ଼ିକ ଉପରେ ନିର୍ଭର କରିଥାଏ । ଭାରତ ବିଶ୍ୱର ସର୍ବବୃହତ୍‌ ସାର ଉପଭୋକ୍ତା ମଧ୍ୟରୁ ଅନ୍ୟତମ କିନ୍ତୁ ଆବଶ୍ୟକତାର ବଡ଼ ଭାଗ ବାହାରୁ ଆସିଥାଏ । ଦେଶର ମୋଟ ସାର ଆବଶ୍ୟକତାର ପ୍ରାୟ ୩୦ରୁ୩୫% ଆମଦାନି ହୋଇଥାଏ ।

ୟୁରିଆ କ୍ଷେତ୍ରରେ ଭାରତ ଆତ୍ମନିର୍ଭରତାର ନିକଟତର ରହିଛି । କିନ୍ତୁ ଗ୍ୟାସ୍‌ ପାଇଁ ଏହା ଆମଦାନି ଉପରେ ନିର୍ଭରଶୀଳ । ଡାୟ-ଆମୋନିୟମ ଫସ୍‌ଫେଟ୍‌(ଡିଏପି) ଏବଂ ପଟାସ୍‌ ଭଳି ସାର କ୍ଷେତ୍ରରେ ଭାରତ ୮୦ରୁ୯୦% ପର୍ଯ୍ୟନ୍ତ ଆମଦାନି ଉପରେ ନିର୍ଭରଶୀଳ । ଭାରତର ୪୫% ଜନସଂଖ୍ୟା ଚାଷକାର୍ଯ୍ୟ ଉପରେ ନିର୍ଭରଶୀଳ । ସାର ଅଭାବ ଯୋଗୁ ପ୍ରତି ହେକ୍ଟର ଜମିରୁ ଉତ୍ପାଦନ ୧୦% ରୁ ୧୫% ଖସିପାରେ । ଫଳରେ ଦେଶର ଖାଦ୍ୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି । ଖାଦ୍ୟ ଅଭାବ ଏବଂ ଏହାର କଳାବଜାରୀ ଦ୍ୱାରା କ୍ଷୁଦ୍ର ଚାଷୀଙ୍କ ଲାଭ କମିପାରେ । ସରକାରୀ ରାଜକୋଷ ଉପରେ ପ୍ରଭାବ ପଡ଼ିବ ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥା ମାନ୍ଦାବସ୍ଥାକୁ ଯାଇପାରେ ।

ଏହି ଖବରଟିକୁ ପଢନ୍ତୁWar Effect : ମ୍ୟୁଚୁଆଲ ଫଣ୍ଡ୍‌ ଶିଳ୍ପକୁ ଝଟ୍‌କା, ମାର୍ଚ୍ଚରେ ଉଠାଇ ନେଲେ ୨.୯ ଲକ୍ଷ କୋଟି