ନୂଆଦିଲ୍ଲୀ,୦୮/୧୧: ପାରମ୍ପରିକ ସମ୍ପର୍କର ବିଚାର ବଦଳୁଛି । ସୋଲୋଗାମି ବା ନିଜକୁ ନିଜେ ବିବାହ ଓ ରୋବୋଟିକ୍ ସାଥୀ ଚୟନର ଟ୍ରେଣ୍ଡ୍ ବଢୁଛି । ଏହି କ୍ରମରେ ଜାପାନର ଜଣେ ବ୍ୟକ୍ତି ଚର୍ଚ୍ଚାର କେନ୍ଦ୍ର ହୋଇଛନ୍ତି । ୨୦୧୮ ମସିହାରେ ହାଟ୍ସୁନେ ମିକୁ ନାମ୍ନୀ ଏକ କାଳ୍ପନିକ ଗାୟିକା ଚରିତ୍ରକୁ ସେ ବିବାହ କରିଥିଲେ । ସେବେଠୁ ସେ ସୁଖୀ ଦାମ୍ପତ୍ୟ ଜୀବନ ନିର୍ବାହ କରୁଛନ୍ତି । ନିକଟରେ ସେ ନିଜର ୬ଷ୍ଠ ବିବାହ ବାର୍ଷିକୀ ମଧ୍ୟ ପାଳନ କରିଛନ୍ତି । ସାଉଥ୍ ଚାଇନା ମର୍ନିଂ ପୋଷ୍ଟ୍ ଅନୁସାରେ, ୪୧ ବର୍ଷୀୟ ଆକିହିକୋ କୋଣ୍ଡୋ ନାମକ ଏହି ବ୍ୟକ୍ତି ନିକଟରେ ନିଜ ଇନ୍ଷ୍ଟାଗ୍ରାମ୍ରେ ଏକ ପୋଷ୍ଟ୍ ଶେୟାର କରିଥିଲେ । ଏଥିରେ ଗତ ୪ ତାରିଖରେ ନିଜର ଭର୍ଚୁଆଲ ପତ୍ନୀ ସହ ୬ଷ୍ଠ ବିବାହ ବାର୍ଷିକୀ ପାଳନ ଲାଗି କେକ୍ କିଣିଥିବା କଥା ସେ କହିଥିଲେ । କେକ୍ରେ ଲେଖାଥିଲା ‘ମୁଁ ମିକୁକୁ ଖୁବ୍ ପସନ୍ଦ କରେ । ୬ଷ୍ଠ ବିବାହ ବାର୍ଷିକୀର ଅଭିନନ୍ଦନ ।’
ଜାପାନର ଏକ ଗଣମାଧ୍ୟମକୁ କୋଣ୍ଡୋ କହିଛନ୍ତି, ମାଧ୍ୟମିକ ସ୍କୁଲରେ ଅଧ୍ୟୟନ ପୂର୍ବରୁ ମହିଳାଙ୍କୁ ନେଇ ସେ ରୋମାଣ୍ଟିକ୍ ଥିଲେ । ୭ ଥର ସେ ପ୍ରେମ ନିବେଦନ କରିଥିଲେ, କିନ୍ତୁ ପ୍ରତି ଥର ପ୍ରତ୍ୟାଖ୍ୟାନର ସମ୍ମୁଖୀନ ହୋଇଥିଲେ । ତାଙ୍କୁ ସମସ୍ତେ ଥଟ୍ଟା କରିବାକୁ ଲାଗିଲେ । ୨୦୦୭ ମସିହାରେ ମିକୁ ଚରିତ୍ରକୁ ଦେଖିବା ପରେ କୋଣ୍ଡୋ ତା’ର ପ୍ରେମରେ ପଡ଼ିଗଲେ । କର୍ମସ୍ଥଳୀରେ ଥଟ୍ଟାର ଶିକାର ହେବା ଯୋଗୁ ସେ ଆଡ୍ଜଷ୍ଟମେଣ୍ଟ୍ ଡିଜର୍ଡର୍ର ଶିକାର ହେଲେ । ଏହା ପରେ ସେ ଲମ୍ବା ଛୁଟି ନେଲେ । କୋଣ୍ଡୋଙ୍କ ଭର୍ଚୁଆଲ ପତ୍ନୀ ମିକୁ ନାମ୍ନୀ ଏହି ଚରିତ୍ରର ଇଂରାଜୀ ଅନୁବାଦ ହେଉଛି ‘ଦ ଫାର୍ଷ୍ଟ ସାଉଣ୍ଡ୍ ଅଫ୍ ଦ ଫ୍ୟୁଚର’ । ଭୋକାଲଏଡ୍ ନାମରେ ଏହା ପରିଚିତ । ଏହା ଏକ ପ୍ରକାର ଗୀତ ଗାଉଥିବା ଭଏସ୍ ସିନ୍ଥେସାଇଜର୍ ସଫ୍ଟୱେର । ଏହାର ପ୍ରଶଂସକ ଏହାକୁ ନୀଳ ରଙ୍ଗର ଲମ୍ବା କେଶଯୁକ୍ତ ଜଣେ ୧୬ ବର୍ଷୀୟା ପପ୍ ଗାୟିକା ଭାବେ ଜାଣନ୍ତି ।