ବାତୁମି ୨୮/୦୭: ଭାରତୀୟ  ଡବ୍ଲ୍ୟୁଜିଏମ୍‌ କୋନେରୁ ହମ୍ପି ଓ ଆଇଏମ୍‌  ଦିବ୍ୟା ଦେଶମୁଖଙ୍କ ମଧ୍ୟରେ ଚାଲିଥିବା  ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ର ଫାଇନାଲ୍‌  ମୁକାବିଲା ସଂଘର୍ଷପୂର୍ଣ୍ଣ ହୋଇଛି । ରବିବାର ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’ ହେବା  ଫଳରେ ସ୍ଥିତି ୧-୧ରେ ବରାବର ରହିଛି ।  ଆଜି ଟାଇବ୍ରେକରେ ଫଳାଫଳ  ନିର୍ଣ୍ଣୟ ହେବ । ଟାଇବ୍ରେକ୍‌ରେ ୨ଟି ର‌୍ୟାପିଡ୍‌  ଗେମ୍‌ (୧୦ମିନିଟ୍‌ ଲେଖାଏଁ) ଖେଳାଯିବ ।  ଯଦି ମ୍ୟାଚ୍‌ ଟାଇ ରହେ, ତାହେଲେ ଆଉ ୨ଟି ର‌୍ୟାପିଡ୍‌ ଗେମ୍‌ (୫ମିନିଟ୍‌ ଲେଖାଏଁ)  ଅନୁଷ୍ଠିତ ହେବ । ଏଥିରେ ଫଳାଫଳ  ନବାହାରିଲେ ବ୍ଲିଜ୍‌ରେ ୨ଟି ଗେମ୍‌ (୩  ମିନିଟ୍‌ ଲେଖାଏଁ) ଖେଳାଯିବ । ଯଦି ମ୍ୟାଚ୍‌  ଅମୀମାଂସିତ ରହେ, ଫଳାଫଳ ବାହାରିବା ପର୍ଯ୍ୟନ୍ତ ବ୍ଲିଜ୍‌ ଗେମ୍‌ ଜାରି ରହିବ । 

ଦୁଇ ଭାରତୀୟ ହମ୍ପି ଓ ଦିବ୍ୟାଙ୍କ  ମଧ୍ୟରେ ଟାଇଟଲ୍‌ ଲଢ଼େଇର ପ୍ରଥମ ଗେମ୍‌  ଡ୍ର’ ରହିଥିଲା । ଆଜି ଦ୍ୱିତୀୟ କ୍ଲାସିକାଲ  ଗେମ୍‌ ଖେଳାଯାଇଥିଲା । ହମ୍ପି ଧଳା ଏବଂ  ଦିବ୍ୟା କଳା ଗୋଟିରେ ଖେଳିଥିଲେ ।  ପ୍ରତି ଗୋଟି ଚାଳନା ଉପରେ ସମସ୍ତଙ୍କ  ନଜର ରହିଥିଲା । ଏକଦା ଅଧିକ ସମୟ  ଅପଚୟ କରି ହମ୍ପି ଅଡ଼ୁଆରେ ପଡ଼ିଥିଲେ ।  ଦିବ୍ୟା ନିକଟରେ ଯଥେଷ୍ଟ ସମୟ  ରହିଥିବାରୁ ସେ ବାଜିମାତ୍‌ କରିବା ଆଶା  କରାଯାଉଥିଲା । ମାତ୍ର ହମ୍ପି ଚତୁରତାର  ସହ ଗୋଟି ଚାଳନା କରିଥିଲେ । ୩୧ତମ  ଗୋଟି ଚାଳନା ସୁଦ୍ଧା ଏକାଧିକ ଥର  ପୂର୍ବ ଗୋଟି ଚାଳନାରେ ପୁନଃରାବୃତ୍ତି  ହୋଇଥିଲା । ଫଳରେ ୩୪ତମ ଗୋଟି  ଚାଳନା ପରେ ଉଭୟ ଶେଷରେ ପଏଣ୍ଟ ଭାଗ କରିବାକୁ ନିଷ୍ପତ୍ତି ନେଇଥିଲେ । 

ଝୋନଗୀ ଜିତିଲେ ବ୍ରୋଞ୍ଜ 

ତୃତୀୟ/ଚତୁର୍ଥ ସ୍ଥାନ ପାଇଁ ମ୍ୟାଚ୍‌ରେ  ଚୀନର ଟାନ୍‌ ଝୋନଗୀ ୧.୫-୦.୫ରେ ନିଜ  ଦେଶର ଲି ଟିଙ୍ଗଜିଙ୍କୁ ପରାସ୍ତ କରିଥିଲେ ।  ପ୍ରଥମ କ୍ଲାସିକାଲ ଗେମ୍‌ ଡ୍ର’ ରହିବା ପରେ  ଆଜି ଦ୍ୱିତୀୟ ଗେମ୍‌ରେ ଝୋନଗୀ ବିଜୟ  ହାସଲ କରିଥିଲେ । ଚେସ୍‌ ବିଶ୍ୱକପ୍‌ରେ  ଏହା ତାଙ୍କର ଦ୍ୱିତୀୟ ବ୍ରୋଞ୍ଜ ପଦକ । ପ୍ରଥମ  ସଂସ୍କରଣରେ ମଧ୍ୟ ସେ ବ୍ରୋଞ୍ଜ ଜିତିଥିଲେ ।