ଭୁବନେଶ୍ୱର, ୨୫/୦୩ : ରାଜଧାନୀର ବଡ଼ଗଡ଼ ଥାନା ଚିଲିପୋଖରୀ ଅଞ୍ଚଳରେ ଆଜି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ସାପ-କୁକୁର ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଛି । ଯାହା ଦେଖିବାକୁ ସମ୍ପୃକ୍ତ ଅଞ୍ଚଳରେ ନାହିଁନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା । ହେଲେ ଏହି ଘଟଣାର ଅନ୍ତ ଘଟିଛି ଗୋଟିଏ କୁକୁର ଓ ନାଗ ସାପର ମୃତ୍ୟୁରେ ।

ଚିଲି ପୋଖରୀ ଅଞ୍ଚଳର ଝୁନା ଜେନା ମଙ୍ଗଳବାର ଘରେ ଥିବା ବେଳେ ଅପରାହ୍ଣ ୩ଟା ସମୟରେ ହଠାତ୍‌ ତାଙ୍କ ପୋଷା କୁକୁର ଭୁକିବା ଶୁଣି ବାହାରକୁ ଆସି ଦେଖନ୍ତି ତ, ଗୋଟିଏ ନାଗ ସହିତ ତାଙ୍କର ୪ଟି କୁକୁରଙ୍କର ଲଢ଼େଇ ଚାଲିଛି । କୁକୁରମାନେ ଖୁବ୍‌ ଜୋରରେ ଭୁକିବା ସହିତ ନାଗ ସାପକୁ ମୁହଁରେ ଧରି ଭିଣି ପକାଉଛନ୍ତି । ଝୁନା କୁକୁରଙ୍କୁ ଡାକି ସାପଠାରୁ ଅଲଗା କରିବା ପାଇଁ ଚେଷ୍ଟା କଲେ । ଯଦିଓ ୩ଟି କୁକୁର ତାଙ୍କ କଥା ମାନି ଫେରି ଆସିଥିଲେ, ୬ ବର୍ଷ ବୟସର ମାଈ ଡକ୍ସହଣ୍ଡ ‘ଫୋନୀ’ କିନ୍ତୁ ଲଢେଇରୁ ଓହରି ନଥିଲା । ନାଗଟି ଫୋନୀକୁ ୨ ଚୋଟ ମାରି ସାରିଥିଲା । ଜଣେ ଯୁବକ ଆସି ଫୋନୀକୁ ଅଲଗା କଲେ ସିନା, ସିଏ ସେତେବେଳକୁ ଗୁରୁତର ହେଇ ସାରିଥିଲା । ବିକଳରେ ଝୁନା ଫୋନୀ ଉପରେ ପାଣି ପକାଇଲେ । ଫୋନୀକୁ ତୁରନ୍ତ ସହିଦନଗରସ୍ଥିତ ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା । ସେତେବେଳକୁ ଫୋନୀ ଜୀବନ ହାରି ସାରିଥିଲା।

ସ୍ନେକ୍‌ ହେଲ୍‌ପ ଲାଇନ୍‌ର ସମ୍ପାଦକ କହିଛନ୍ତି, କୁକୁରମାନେ ସାପକୁ ମାରି ପାରନ୍ତି । କିନ୍ତୁ, ଡକ୍ସହଣ୍ଡ କୁକୁରଙ୍କର ଉଚ୍ଚତା କମ୍‌ ହେଇଥିବାରୁ ନାଗ ସାପ ଫୋନୀକୁ ସହଜରେ କାମୁଡ଼ି ଦେଇଥିଲା । ତେବେ, ସାପ କାମୁଡ଼ିବା ପରେ କେବେ ହେଲେ ବି କୌଣସି ପଶୁଙ୍କ ଦେହରେ ପାଣି ଢାଳିବା କଥା ନୁହେଁ । ଏହାଦ୍ୱାରା ଦେହରେ ଶୀଘ୍ର ବିଷ ସଞ୍ଚାରଣ ହୋଇଥାଏ ।

ଏହି ଖବରଟିକୁ ପଢନ୍ତୁ- ଝାଇଁ ଝାଇଁ କଲାଣି ଖରା, ଆହୁରି ୪ ଡିଗ୍ରୀ ବଢିବ ତାତି, ୨୮ ଯାଏଁ କାଳବୈଶାଖୀ ଆଲର୍ଟ