ନୂଆଦିଲ୍ଲୀ, ୧୮/୦୭; ରବିବାର ଦିନ ଚଳିତ ଫିଫା ବିଶ୍ୱକପ୍‌ର ଫାଇନାଲ ମ୍ୟାଚ ଖେଳାଯିବ । ଡିଫେଣ୍ଡିଂ ଚାମ୍ପିଅନ ଆର୍ଜେଣ୍ଟିନା ଓ ପୂର୍ବତନ ଚାମ୍ପିଅନ ସ୍ପେନ ମଧ୍ୟରେ ଟାଇଟଲ  ଲଢ଼େଇ ହେବ । ଚାମ୍ପିଅନ ଦଳକୁ  ଫିଫା ଏଥର ବିଶେଷ ଉପହାର ପ୍ରଦାନ କରିବାକୁ ଯାଉଛି । ବିଶ୍ୱ ଚାମ୍ପିଅନ ଦଳକୁ ଏଥର ୫୦  ମିଲିୟନ ଡଲାର ଆର୍ଥିକ ପୁରସ୍କାର ରାଶି  ମିଳିବ । ଏଥିସହିତ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ଚାମ୍ପିଅନସିପ୍‌ ମୁଦି ପ୍ରଦାନ  କରାଯିବ ।  ଫିଫା ବିଶ୍ୱକପ୍‌ ଇତିହାସରେ  ପ୍ରଥମ ଥର ଏଭଳି ଆୟୋଜନ  କରାଯାଇଛି । ଚାମ୍ପିଅନ ଦଳର ୩୦  ଜଣଙ୍କୁ ଏହି ମୁଦି ମିଳିବ । ଫିଫା ପକ୍ଷରୁ  ସ୍ୱତନ୍ତ୍ର ଭାବେ ଏହି ମୁଦି ଡିଜାଇନ  କରାଯାଇଛି ।

୨୦୨୬ଟି ମୁଦି ତିଆରି  ହୋଇଛି । ଚାମ୍ପିଅନ ଦଳକୁ ପ୍ରଦାନ କରାଯିବା ପରେ ଅବଶିଷ୍ଟ ପ୍ରଶଂସକଙ୍କ ପାଇଁ ବିକ୍ରି କରାଯିବ । ଆମେରିକାରେ  ଏନ୍‌ବିଏ, ଏନ୍‌ଏଫ୍‌ଏଲ, ଏନ୍‌ଏଚଏଲ ଓ  ଏମ୍‌ଏଲବିରେ ଚାମ୍ପିଅନ ଦଳକୁ ଏଭଳି ଉପହାର ଦେବାର ପରମ୍ପରା ରହିଛି ।  ଫିଫା ଯେଉଁ ମୁଦି ପ୍ରଦାନ କରିବ ତାହାର ମୂଲ୍ୟ ଜଣା ପଡ଼ି ନାହିଁ । କିନ୍ତୁ ଏହା ୧୪ରୁ ୧୮ କ୍ୟାରେଟ୍‌ ସୁନାରେ  ନିର୍ମିତ । ମୁଦିରେ ବିଭିନ୍ନ ଦାମୀ ପଥର  ଲାଗିଛି, ଯାହା ବେଶ ଆକର୍ଷଣୀୟ  ଦେଖାଯାଉଛି । ଏନବିଏରେ ଚାମ୍ପିଅନ ଦଳକୁ ଯେଉଁ ମୁଦି ପ୍ରଦାନ କରାଯାଏ  ତାହାର ମୂଲ୍ୟ ୧୫୦,୦୦୦ ଡଲାର ।