ଭୁବନେଶ୍ୱର, ୨୦/୦୨: ବୁଧବାର ଭ୍ରମଣକାରୀ  ଜର୍ମାନୀକୁ ଦ୍ୱିତୀୟ ଚରଣରେ ପରାଜିତ କରି ଭାରତ ପ୍ରତିଶୋଧ ନେଇଛି । କଳିଙ୍ଗ ଷ୍ଟାଡିୟମରେ  ଚାଲିଥିବା ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ରେ  ଘରୋଇ ଦଳ ଗତ ୪ଟି ମ୍ୟାଚ୍‌ରୁ ୨ଟି ବିଜୟୀ ହୋଇ  ୬ ପଏଣ୍ଟ ପାଇଛି । ଅନ୍ୟ ଏକ ମ୍ୟାଚ୍‌ରେ ସ୍ପେନ ୪-୧  ଗୋଲରେ ଇଂଲଣ୍ଡକୁ ହରାଇଥିଲା । 

ଭାରତ-ଜର୍ମାନୀ: ପ୍ରଥମ  ଚରଣରେ ମଙ୍ଗଳବାର ଭାରତ ୧-୪  ଗୋଲରେ ପରାଜିତ ହୋଇଥିଲା । କିନ୍ତୁ  ଦଳ ପ୍ରତ୍ୟାବର୍ତ୍ତନ କରି ଜର୍ମାନୀକୁ ହରାଇଥିଲା । ଦୁଇ ଦଳ ମଧ୍ୟରେ  ଲଢ଼େଇ ବେଶ ସଂଘର୍ଷପୂର୍ଣ୍ଣ ଥିଲା । ପ୍ରଥମ କ୍ୱାର୍ଟରରେ ହିଁ ଭାରତ ଗୋଲ୍‌ ଖାତା  ଖୋଲିଥିଲା । ଚତୁର୍ଥ ମିନିଟରେ ଗୁରଜନ୍ତ ସିଂ ଏକ  ଚମତ୍କାର ଫିଲ୍ଡ ଗୋଲ୍‌ ଦେଇଥିଲେ । ଭାରତ ୧-୦  ଗୋଲରେ ଅଗ୍ରଣୀ ଲାଭ କରିଥିଲା ।  ପରବର୍ତ୍ତୀ ୩ଟି କ୍ୱାର୍ଟର ମ୍ୟାଚ୍‌ ପ୍ରବଳ  ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିଲା । ଉଭୟ ଦଳଙ୍କୁ ସୁଯୋଗ  ମିଳିଥିଲା କିନ୍ତୁ କେହି ଗୋଲ୍‌ ସ୍କୋର କରିବାରେ  ସଫଳ ହୋଇ ନଥିଲେ । ଉଭୟ ଦଳକୁ ପୂରା  ମ୍ୟାଚ୍‌ରେ ୬ଟି ଲେଖାଏଁ ପେନାଲ୍ଟି କର୍ଣ୍ଣର (ପିସି)  ମିଳିଥିଲା । କିନ୍ତୁ ସମସ୍ତ ପିସି ବିଫଳ ଯାଇଥିଲା ।

ଗୁରୁବାର ବିଶ୍ରାମ ଦିବସ ରହିଛି । ଭାରତ ପରବର୍ତ୍ତୀ ମ୍ୟାଚ୍‌ ଆୟର୍ଲାଣ୍ଡ ସହ ଖେଳିବ । ଏହି  ଦୁଇ ମ୍ୟାଚ୍‌ ୨୧ ଓ ୨୨ ତାରିଖରେ ଖେଳାଯିବ।  ସେମିତି ଶେଷରେ ଇଂଲଣ୍ଡକୁ ୨୪ ଓ ୨୫  ତାରିଖରେ ଭେଟିବା ପରେ ଭାରତର ଘରୋଇ ଭେନ୍ୟୁରେ ଖେଳ ଶେଷ ହେବ। ବୁଧବାର ମ୍ୟାଚ୍‌ରେ ଡିଜିପି ୱାଇବି ଖୁରାନିଆ,  ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଏବଂ ଅଲିମ୍ପିଆନ  ଅନୁରାଧା ବିଶ୍ୱାଳ ଅତିଥି ଭାବେ ଯୋଗ ଦେଇ ଉଭୟ  ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।  

ସ୍ପେନ-ଇଂଲଣ୍ଡ: ସ୍ପେନ ପ୍ରଥମ ଚରଣ  ପରାଜୟର ପ୍ରତିଶୋଧ ନେଇଛି । ଇଂଲଣ୍ଡକୁ  ୪-୧ ଗୋଲରେ ପରାଜିତ କରିଛି । ଗତକାଲି ଇଂଲଣ୍ଡ  ୨-୨ (୧-୦) ସୁଟଆଉଟ୍‌ରେ ବିଜୟୀ ହୋଇଥିଲା । କିନ୍ତୁ ସ୍ପେନର ପ୍ରଦର୍ଶନ ବେଶ ପ୍ରଭାବଶାଳୀ  ରହିଥିଲା । ପ୍ରତ୍ୟେକ କ୍ୱାର୍ଟରରେ ଗୋଟିଏ ଲେଖାଏଁ  ଗୋଲ୍‌ (୯, ୨୮, ୩୭ ଓ ୪୯ ମିନିଟ) ଦେଇ  ୪-୧ରେ ମ୍ୟାଚ୍‌ ଜିତି ନେଇଥିଲା । ଇଂଲଣ୍ଡ ୫୦  ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲା ।