କଟକ, ୨୭।୧୧: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନାରେ ସେନା ଅଧିକାରୀଙ୍କୁ ଦୁର୍ବ୍ୟବହାର ତଥା ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାର ଚୂଡ଼ାନ୍ତ ଶୁଣାଣି ଆସନ୍ତା ଡିସେମ୍ବର ୩ ତାରିଖରେ ହେବ । ସେହିଦିନ ଏହି ମାମଲାରେ ରାୟ ପ୍ରକାଶ ପାଇବ ବୋଲି ହାଇକୋର୍ଟ କହିଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂ ଏବଂ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୫ ତାରିଖ ବିଳମ୍ବିତ ରାତିରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଏଫ୍‌ଆଇଆର୍‌ ଦେବାକୁ ଯାଇଥିଲେ । ସେଠାରେ ସେମାନଙ୍କଠାରୁ ଏଫ୍‌ଆଇଆର୍‌ ଗ୍ରହଣ କରାଯିବା ପରିବର୍ତ୍ତେ ପୁଲିସ୍‌ କର୍ମଚାରୀମାନେ ବାନ୍ଧବୀଙ୍କୁ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଏପରିକି ବାନ୍ଧବୀଙ୍କୁ ଗିରଫ କରି ଜେଲ୍‌ ପଠାଇ ଦିଆଯାଇଥିଲା । ଘଟଣା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହାକୁ ନେଇ ହାଇକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି । ଆମିକସ୍‌କ୍ୟୁରୀ ଭାବେ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ଅଦାଲତଙ୍କୁ ମାମଲା ପରିଚାଳନାରେ ସହଯୋଗ କରୁଛନ୍ତି ।