ପୁରୀ : ସୋସିଆଲ ମିଡିଆ ଇନଫ୍ଲୁଏନ୍ସରେ ଶ୍ରୀମନ୍ଦିରକୁ ନେଇ ଶୁଭଙ୍କର ମିଶ୍ରାଙ୍କର ବିବାଦୀୟ ଟିପ୍ପଣୀ ଘଟଣା। ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଶୁଭଙ୍କର ମିଶ୍ରାଙ୍କ ନାଁ ରେ ରୁଜୁ ହେଲା ଏତଲା । ବରିଷ୍ଠ ସେବାୟତ ଗୌରହରି ପ୍ରଧାନ ଏହି ଏତଲା ଦେଇଛନ୍ତି । ଶୁଭଙ୍କରଙ୍କ ଏଭଳି ଟିପ୍ପଣୀ ନିନ୍ଦନୀୟ ବୋଲି ସେ କହିଛନ୍ତି । ମହାପ୍ରଭୁଙ୍କ ଶ୍ରୀମନ୍ଦିର ବିଷୟରେ ଏଭଳି ଅଶୁଭ ଟିପ୍ପଣୀ ଦେବା ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ସୂଚନାଥାଉକି, ସୋସିଆଲ ମିଡିଆ ଇନଫ୍ଲୁଏନସର ଶୁଭଙ୍କର ମିଶ୍ରା ପୁରୀ ଶ୍ରୀମନ୍ଦିରକୁ ନେଇ ନିକଟରେ ବିବାଦୀୟ ଟିପ୍ପଣୀ ରଖିଥିଲେ । ମନ୍ଦିର ଉପରେ ବଡ ଆରୋପ ଲଗାଇଥିଲେ ସେ । କହିଥିଲେ କି, କୌଣସି ପ୍ରେମୀ ଯୁଗଳ ଯଦି ମନ୍ଦିର ଯାଆନ୍ତି, ତେବେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ ବା ସେମାନେ ବିବାହ କରିପାରନ୍ତି ନାହିଁ । ଏନେଇ ସେ ତାଙ୍କ ପଡକାଷ୍ଟରେ କହିଥିଲେ । ବଡ ବଡ ଚ୍ୟାନେଲରେ ନିଉଜ୍ ଆଙ୍କର ଭାବେ କାମ କରି ସାରିଥିବା ଶୁଭଙ୍କରଙ୍କ ଏଭଳି ଟିପ୍ପଣୀକୁ ନେଇ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଶୁଭଙ୍କରଙ୍କ ଅନୁଯାୟୀ, ଭୁଲରେ ମଧ୍ୟ କୌଣସି ପ୍ରେମୀ ଯୁଗଳ ପୁରୀ ଶ୍ରୀମନ୍ଦିରକୁ ଯିବ ନାହିଁ । ସମ୍ପର୍କକୁ ବଞ୍ଚାଇବା ପାଇଁ ଚାହୁଁଥିଲେ ମନ୍ଦିରର ଭିତରକୁ ଯିବ ନାହିଁ…କାରଣ ଶ୍ରୀମନ୍ଦିର ଉପରେ ମା’ ରାଧାରାଣୀଙ୍କ ଅଭିଶାପ ପଡିଛି। ଦିନେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜଗନ୍ନାଥ ରୂପ ଦର୍ଶନ କରିବା ପାଇଁ ମନ୍ଦିରରେ ପହଞ୍ଚିଥିଲେ ମା’ ରାଧାରାଣୀ। ମନ୍ଦିର ଭିତରକୁ ଯିବା ବେଳେ ତାଙ୍କୁ ସେବାୟତ ମାନେ ଅଟକାଇ ଦେଇଥିଲେ। ମନ୍ଦିର ଭିତରକୁ ପ୍ରଭୁ ଜଗନ୍ନାଥଙ୍କ ପତ୍ନୀଙ୍କୁ ମଧ୍ୟ ଆସିବାର ଅନୁମତି ନାହିଁ...ଆପଣ କେମିତି ଆସିପାରିଲେ ? ଏଥିରେ ରାଗିଯାଇ ମା’ ଅଭିଶାପ ଦେଇଥିଲେ। ଆଜିଠୁ କୌଣସି ଅବିବାହିତ ଯୋଡ଼ି ମନ୍ଦିର ଭିତରକୁ ଆସିଲେ ସେମାନଙ୍କର ସମ୍ପର୍କ ଭାଙ୍ଗିଯିବା ସହ ବିବାହ ହୋଇପାରିବ ନାହିଁ। ଏହି ଅଭିଶାପ ଦେଇ ମା ସେଠାରୁ ଚାଲିଯାଇଥିଲେ। ଶୁଭଙ୍କରଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଏବେ ଓଡ଼ିଶାରେ ବିଶେଷ କରି ପୁରୀରେ ଅସନ୍ତୋଷ ଦେଖା ଦେଇଛି।