ନୂଆଦିଲ୍ଲୀ,୨୪/୦୯: ପଦାରେ ପଡିଲା ବାବାଙ୍କ କଳା କରାନାମା । ପୁଣି ଜଣେ ବାବାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଜଣେ କି ୨ଜଣ ନୁହଁନ୍ତି ପ୍ରାୟ ୧୭ ଜଣ ମହିଳା ବାବାଙ୍କ ନାମରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଛନ୍ତି । ଦିଲ୍ଲୀର ବସ୍ତନ କୁଞ୍ଜ ଅଞ୍ଚଳରେ ଥିବା ଏକ ପ୍ରମୁଖ ଆଶ୍ରମର ମୁଖ୍ୟ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ବତୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ସେ ଫେରାର ଥିବା ଜଣାପଡିଛି । ଅଭିଯୋଗ ପରେ ଏତଲା ରୁଜୁ କରି ତାଙ୍କ ନକଲି ୟୁଏନ ନମ୍ବର ପ୍ଲେଟ୍ ଥିବା କାରକୁ ଜବତ କରିଛି ପୁଲିସ ।
ଦିଲ୍ଲୀ ପୁଲିସର ସୂଚନା ଅନୁଯାୟୀ, ଅଗଷ୍ଟ ୪ରେ ୨୦୨୫ରେ ଶୃଙ୍ଗେରୀ ମଠ ଏବଂ ଏହାର ସମ୍ପତ୍ତିର ପ୍ରଶାସକ ପି.ଏ. ମୁରଲୀ ଏକ ଅଭିଯୋଗ ଦାଖଲ କରିଥିଲେ । ସ୍ୱାମୀ ଚୈତନ୍ୟାନନ୍ଦ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟରେ ସ୍କଲାରସିପ୍ ପାଇଁ ପିଜିଡିଏ ପଢୁଥିବା ଛାତ୍ରୀଙ୍କ ସହିତ ଅସଦାଚରଣ ହୋଇଛି । ଛାତ୍ରୀମାନଙ୍କୁ ଅଶ୍ଲୀଳ ମେସେଜ ପଠାଇବା ସହ ସମ୍ପର୍କ ରଖିବାକୁ କୁହାଯାଉଥିଲା । ୩ ଜଣ ମହିଳା ଅଧ୍ୟାପକ ଏବଂ ପ୍ରଶାସକଙ୍କ କଥା ମାନିବାକୁ ଚାପ ପକା ଯାଉଥିଲା । ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଯିଏ ସ୍ୱାମୀ ପାର୍ଥସାରଥି ଭାବରେ ଜଣାଶୁଣା, ସେ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିଲେ । ଏଥିପାଇଁ ପୀଠ ତାଙ୍କ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଛି । ପୁଲିସ ୩୨ ଛାତ୍ରଙ୍କ ବୟାନ ରେକର୍ଡ କରିଛି । ସେମାନଙ୍କ ମଧ୍ୟରୁ ୧୭ ଜଣ ସ୍ୱାମୀ ଚୈତନ୍ୟାନନ୍ଦଙ୍କ ନାମରେ ଅଭିଯୋଗ ଆଣିଛନ୍ତି ।
ପୁଲିସ ସଂସ୍ଥାନରୁ ସିସିଟିଭି ଫୁଟେଜ ଜବତ କରି ଫେରନ୍ସିକ ଯାଞ୍ଚ ପାଇଁ ପଠାଇଛି । ସମସ୍ତ ପୀଡିତଙ୍କ ବୟାନ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ନିକଟରେ ଦାଖଲ ହୋଇଛି । ପୁଲିସ ଅନୁସାରେ, ଅଭିଯୁକ୍ତଙ୍କ ଶେଷ ଠିକଣା ଆଗ୍ରା ଦେଖାଯାଉଛି । ବିଏନଏସ ୭୫(୨), ୭୯, ୩୫୧(୨), ଧାରରେ ମାମଲା ରୁଜ୍ଜୁ କର ଅଭିଯୁକ୍ତଙ୍କ ସନ୍ଧାନ ଜାରି ରହିଛି । ଘଟଣା ପରେ ଶାରଦା ସଂସ୍ଥାନ ଏବଂ ଶୃଙ୍ଗେରୀ ମଠ ପ୍ରଶାସନ ଅଭିଯୁକ୍ତ ସ୍ୱାମୀ ଚୈତନ୍ୟାନନ୍ଦଙ୍କୁ ସବୁ ପଦରୁ ହଟାଇ ଦେଇଛନ୍ତି । ତାଙ୍କଠୁ ସମସ୍ତ ସମ୍ପର୍କ ଶେଷ କରିଛନ୍ତି ।