ଭୁବନେଶ୍ୱର ୩୧/୦୮: ଆଇଟମ ଗାର୍ଲ ନିଶା ମହାରଣାଙ୍କ ବଢିଲା ଅଡୁଆ । ଜଟଣୀ ଥାନାରେ ଏତଲା ଦେଲେ ମହେନ୍ଦ୍ର ସାହୁ ନାମକ ଜଣେ ଯୁବକ । ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । 

ସୂଚନା ମୁତାବକ, ଗତ ଶୁକ୍ରବାର ଦିନ ଜଟଣୀ ଥାନା ଛକର ଗଜାନନ ପୂଜା କମିଟି ପକ୍ଷରୁ ଯାତ୍ରା ପରିବେଶଣ ଚାଲିଥିଲା । ଯାତ୍ରା ବହି ଆରମ୍ଭ ହେବା ପୂର୍ବରୁ ଆଇଟମ ଗାର୍ଲ ନିଶା ମହାରଣା ଲୋକଙ୍କ ମନୋରଞ୍ଜନ ପାଇଁ ଏକ ଡ୍ୟାନ୍ସ କରିଥିଲେ। ଠିକ୍‌ ଏହି ସମୟରେ ଷ୍ଟେଜ୍‌ ତଳେ ବସିଥିବା ଜଣେ ଯୁବକ ହଠାତ୍‌ ଚେୟାର ମାଡ଼ କରିଥିଲେ । ନିଶା ମହାରଣାଙ୍କ ନାଚ ଅତି ଅଶ୍ଲୀଳ ହୋଇଥିବା ଅଭିଯୋଗ କରି ଯୁବକ ଜଣଙ୍କ ଚେୟାର ମାଡ କରିଥିଲେ ବୋଲି କହିଥିଲେ । ହେଲେ ଏହାପରେ ଉକ୍ତ ଯୁବକଙ୍କୁ ଯାତ୍ରା ପେଣ୍ଡାଲ ପାଖରେ ଉପସ୍ଥିତ ଥିବା କିଛି ଲୋକ ମାଡ଼ ମାରିଥିଲେ । ଏପିରିକି ତାଙ୍କ କାର୍‌ ବି ଭାଙ୍ଗି ଦେଇଥିଲେ । ଯାହାକୁ ନେଇ ଯୁବକ ଜଣଙ୍କ ଜଟଣୀ ଥାନାରେ  ଅଭିଯୋଗ କରିଛନ୍ତି । ଯାତ୍ରା ପେଣ୍ଡାଲରେ ମାଡ ମାରିଥିବା ଯୁବକ ଓ ନିଶା ମହାରଣାଙ୍କ ନାଁରେ ଜଟଣୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ଜଟଣୀ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ।