ନୂଆଦିଲ୍ଲୀ,୫।୭: ସ୍ପେନର ପାଲମା ଡି ମାଲୋର୍କା ବିମାନବନ୍ଦର (PMI) ରେ ଅଘଟଣ। ଶନିବାର ରାଇନାଏୟାର ବୋଇଂର ୭୩୭ର ଏକ ବିମାନ ରନଓ୍ବେରେ ଠିଆ ହୋଇଥିଲା। ତେବେ ହଠାତ୍ ବାଜିଥିଲା ଫାୟାର ଆଲାର୍ମ। ଯାହାଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଜୀବନ ବଞ୍ଚାଇବା ପାଇଁ ଯାତ୍ରୀମାନେ ବିମାନର ଏମର୍ଜେନ୍ସିଂ ଗେଟ୍‌ରୁ ବାହାରି ବିମାନର ଓ୍ବିଙ୍ଗରେ ଚଢି ତଳକୁ ଡେଇଁ ପଡିଥିଲେ। ଫଳରେ ୧୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବିମାନଟି ପାଲମା ଡି ମାଲୋର୍କାରୁ ଉଡ଼ାଣ ଭରିବା ପରେ ମାଞ୍ଚେଷ୍ଟରରେ ଅବତରଣ କରିବାକୁ ଯାଉଥିଲା।

ଆରବ ଟାଇମ୍ସ ରିପୋର୍ଟ ଅନୁସାରେ, ତୁରନ୍ତ ଏ ବିଷୟରେ ଜରୁରୀକାଳୀନ ବିଭାଗକୁ ସୂଚନା ଦିଆଯାଇଥିଲା ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଅଗ୍ନିଶମ କର୍ମଚାରୀ ଏବଂ ସିଭିଲ୍ ଗାର୍ଡର ସଦସ୍ୟମାନେ ବିମାନରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ବାହାର କରିଥିଲେ। ଏହା ସହିତ, ଘଟଣାସ୍ଥଳରେ ଆମ୍ବୁଲାନ୍ସକୁ ମଧ୍ୟ ସୂଚନା ଦିଆଯାଇଥିଲା। ଫାୟାର ଆଲାର୍ମ ବାଜିବା ପରେ ଯାତ୍ରୀମାନଙ୍କୁ ଜରୁରୀକାଳୀନ ଗେଟ୍ ଦେଇ ବାହାର କରାଯାଇଥିଲା, ତେବେ କିଛି ଯାତ୍ରୀ ନିଜକୁ ବଞ୍ଚାଇବା ପାଇଁ ସିଧାସଳଖ ବିମାନର ଫ୍ୟାନ୍‌ରୁ ତଳକୁ ଡେଇଁ ପଡ଼ିଥିଲେ।

ଅଞ୍ଚଳର ଜରୁରୀକାଳୀନ କେନ୍ଦ୍ରର ଜଣେ ମୁଖପାତ୍ରଙ୍କ ଅନୁଯାୟୀ, ଏହି ଘଟଣାରେ ମୋଟ ୧୮ ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ସହାୟତା ଦିଆଯାଉଛି ଏବଂ ୬ ଜଣ ଯାତ୍ରୀଙ୍କୁ ଡାକ୍ତରଖାନାକୁ ନିଆଯାଇଛି। ଏୟାରଲାଇନ୍ସ କହିଛି ଯେ ୪ ଜୁଲାଇରେ ପାଲମାରୁ ମାଞ୍ଚେଷ୍ଟର ଯାଉଥିବା ବିମାନଟି ଭୁଲରେ ଫାୟାର ଆଲାର୍ମ ବାଜି ଯାଇଥିଲା।