କଟକ,୨୬/୦୩; ଏସ୍ସିବି ମେଡିକାଲ୍ ଟ୍ରମା କେୟାର୍ ସେଣ୍ଟର୍ରେ ଅଗ୍ନିକାଣ୍ଡ ପରଠୁ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ବ୍ୟବସ୍ଥା ବାଟବଣା ହୋଇଛି । ନିଆଁ ଲାଗିବାର ୧୦ ଦିନ ପରେ ମଧ୍ୟ ଟ୍ରମା ସେଣ୍ଟରେ ବ୍ୟବସ୍ଥାରେ ସୁଧାର ଆସିପାରୁ ନାହିଁ । ଅଙ୍ଗାର ଗଦାରେ ଆଇସିୟୁ ପୋତି ହୋଇପଡ଼ିଥିବା ବେଳେ ଏହାର ସମ୍ମୁଖରେ ଥିବା ଓଟି (ଅପରେସନ୍ ଥିଏଟର) ଗତ ୧୫ ତାରିଖ ବିଳମ୍ବିତ ରାତିରୁ ଅନ୍ଧାରରେ ରହିଛି । ଓଟି ଅଗ୍ନିକାଣ୍ଡରେ ସେପରି ପ୍ରଭାବିତ ହୋଇନଥିଲେ ମଧ୍ୟ ସେଠି ତାଲା ପଡ଼ିଛି । ଫଳରେ ଗୁରୁତର ଦୁର୍ଘଟଣାଗ୍ରସ୍ତଙ୍କର ଜରୁରିକାଳୀନ ଅପରେସନ୍ ହୋଇପାରୁନାହିଁ ଯାହାକି ଚିନ୍ତାଜନକ ହୋଇଛି । ଉପଯୁକ୍ତ ଚିକିତ୍ସାର ଅଭାବ ଏବଂ ଗୁରୁତରଙ୍କୁ ଆଇସିୟୁ ମିଳୁ ନଥିବାରୁ ପ୍ରତିଦିନ ଟ୍ରମା ସେଣ୍ଟର୍ରେ ୪/୫ ଜଣ ଦୁର୍ଘଟଣାଗ୍ରସ୍ତ ଆଖି ବୁଜୁଛନ୍ତି ।
ଗତ ୧୦ ଦିନରେ ୪୫ ଜଣ ଦୁର୍ଘଟଣାଗ୍ରସ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଚିକିତ୍ସା ଅଭାବରୁ ପ୍ରତିଦିନ ଟ୍ରମା କେୟାର୍ ସେଣ୍ଟ୍ରୁ ପାଖାପାଖି ୧୦ ଜଣ ବାହାର ଡାକ୍ତରଖାନାକୁ ପଳାଇ ଯାଉଛନ୍ତି । ଗତ ୧୫ ତାରିଖ ବିଳମ୍ବିତ ରାତିରେ ଟ୍ରମା ଆଇସିୟୁରେ ଅଗ୍ନିକାଣ୍ଡ ଘଟଣା ଘଟିବା ପରଠୁ ପ୍ରଶାସନିକ ସ୍ତରରେ ଖୋଳତାଡ଼ ଚାଲିଛି । ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗରୁ ଏସ୍ସିବି ଯାଏ ପ୍ରଶାସନିକ ସ୍ତରରେ ବହୁ ଘଣ୍ଟାଚକଟା ଚାଲିଛି । ମାତ୍ର ଟ୍ରମା ସେଣ୍ଟ୍ରେ ବିଗିଡ଼ି ଯାଇଥିବା ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ବ୍ୟବସ୍ଥାରେ କିପରି ସୁଧାର ଆସିବ ଏବଂ ପୂର୍ବସ୍ଥିତି ଫେରି ଆସିବ ସେ ବାଦଦରେ କାହାରି ଗୁରୁତ୍ୱ ନାହିଁ ।
ଇତିମଧ୍ୟରେ ଟ୍ରମା କେୟାର୍ ସେଣ୍ଟର୍ ଇନ୍ଚାର୍ଜ ବଦଳିଛନ୍ତି । ଟ୍ରମା ସେଣ୍ଟ୍ର ପରବର୍ତ୍ତୀ ଦାୟିତ୍ୱ କିଏ ନେବେ ତାହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ବିବାଦୀୟ ସ୍ଥିତିରେ ଟ୍ରମା ସେଣ୍ଟର ଇନ୍ଚାର୍ଜ ହେବାକୁ ଅଧିକାଂଶ ଡାକ୍ତର ପଛଘୁଞ୍ଚା ଦେଉଛନ୍ତି । ସେହିପରି ଗତ ୧୫ ତାରିଖ ବିଳମ୍ବିତ ରାତିରୁ ଟ୍ରମା କେୟାର୍ ସେଣ୍ଟର୍ ୱାର୍ଡ ନଂ. ୧,୨ ଓ ୩ରେ ଦୁର୍ଘଟଣାଗ୍ରସ୍ତ ସ୍ଥାନାନ୍ତର ହେବା ଦିନଠାରୁ ଚିକିତ୍ସା ବାଟବଣା ହୋଇଛି । ସର୍ଜରୀ, ଅର୍ଥୋପେଡିକ୍, ପ୍ଲାଷ୍ଟିକ୍ ସର୍ଜରୀ, ନ୍ୟୁରୋସର୍ଜରୀ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ଲାଗି ରହିଛି।
ସେହିପରି କାର୍ଡିଓଥୋରାସିସ୍, ଇଏନ୍ଟି , ଚକ୍ଷୁ ଓ ଦାନ୍ତ ବିଭାଗ ଡାକ୍ତରଙ୍କୁ ଜରୁରି ସମୟରେ କାଜୁଆଲଟିରୁ ଡାକରା ହେଉଥିଲେ ହେଁ ଡାକ୍ତରଙ୍କ ଯିବା ଆସିବାରେ ତାଳମେଳ ରହୁନାହିଁ । ଫଳରେ ଦୁର୍ଘଟଣାଗ୍ରସ୍ତ ଏ ବିଭାଗରୁ ସେ ବିଭାଗ ବୁଲି ଚିକିତ୍ସିତ ହେଉଛନ୍ତି । ଟ୍ରମା ଓଟି ବନ୍ଦ ଥିବାରୁ ନ୍ୟୁରୋସର୍ଜରୀ, ଅର୍ଥୋପେଡିକ୍ ସର୍ଜରୀ ହୋଇପାରୁନାହିଁ । ଦୁର୍ଘଟଣାଗ୍ରସ୍ତ ଏ ବିଭାଗରୁ ସେ ବିଭାଗ ଓଟିକୁ ଯାଇ ଅପରେସନ୍ ହେବା ପାଇଁ ଦହଗଞ୍ଜ ହେଉଛନ୍ତି । ତୁରନ୍ତ ଚିକିତ୍ସା ନପାଇବାରୁ ଦୁର୍ଘଟଣାଗ୍ରସ୍ତଙ୍କ ମୃତ୍ୟୁହାର ବଢ଼ୁଛି । ଏ ସମ୍ପର୍କରେ ନୂଆ ଦାୟିତ୍ୱ ନେଇଥିବା ଅଧୀକ୍ଷକ ପ୍ରଫେସର୍ ଜ୍ୟୋତିଷଚନ୍ଦ୍ର ଚୌଧୁରୀ କହିଛନ୍ତି, ଟ୍ରମାରେ ଚିକିତ୍ସା ବ୍ୟବସ୍ଥାକୁ ନେଇ ଖୁବଶୀଘ୍ର ସମୀକ୍ଷା କରାଯାଇ ସମସ୍ୟାର ସମାଧାନ କରାଯିବ ।
ଅଧିକ ପଢ଼ନ୍ତୁ :- ରାଜ୍ୟ ଓ ରାଜ୍ୟ ବାହାରେ ଖୋଲିବ ଓଡ଼ିଆ ରେସ୍ତୋରାଁ : ତାଲିକାରେ ୫ ମେଟ୍ରୋ ସହର, ପୁଞ୍ଜି ନିବେଶରେ ୫ କୋଟିର ସବ୍ସିଡି