କଟକ,୧୭/୦୫: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ ବିସ୍କୁଟ କାରଖାନାରେ ଭୟାବହ ଅଗ୍ନିକାଣ୍ଡ। କୋଠାର ଉପର ମହଲାରେ ନିଆଁ ଲାଗି ବହୁ ଅତ୍ୟାଧୁନିକ ମେସିନ୍ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଏନେଇ ଖବର ପାଇ ଘଟଣାସ୍ଥଳରେ କଟକ ଚାଉଳିଆଗଞ୍ଜ ଅଗ୍ନିଶମ କେନ୍ଦ୍ରର ଦୁଇଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ପବନ ଯୋଗୁଁ ନିଆଁ ଅଧିକ ବ୍ୟାପି ଯାଇଥିବା ବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାବତ ଅସ୍ପଷ୍ଟ ରହିଛି।
ତେବେ ଓଡିଶା କନଫକ୍ସନେରୀ ପ୍ରାଇଭେଟ୍ ଲିମିଟେଡ କମ୍ପାନୀରେ ନିଆଁ ଲାଗି ପାଖାପାଖି କୋଟିଏ ଟଙ୍କାର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି। ଏଥିସହ ୫ ଲକ୍ଷରୁ ଅଧିକ କଞ୍ଚାମାଲ୍ ପୋଡି ନଷ୍ଟ ହୋଇଛି। ଏହି କମ୍ପାନୀରେ ବିସ୍କୁଟ ତିଆରି କରାଯାଇ ଖୁଚୁରା ବଜାରକୁ ଛଡାଯାଇଥାଏ। ବିସ୍କୁଟ ସହିତ ପାଣି ବ୍ୟବସାୟ କରିବାକୁ କମ୍ପାନୀ ମାଲିକ ବହୁ ପରିମାଣରେ ପଲିଥିନ ଓ ପ୍ଲାଷ୍ଟିକ ଗଚ୍ଛିତ ରଖିଥିଲେ। ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଏଲପିଜି ଗ୍ୟାସ୍ ଟାଙ୍କି ଫାଟିବାର ଶବ୍ଦ ଶୁଣିବାକୁ ମିଳିଥିଲା। ତେଣୁ ଏଥିପାଇଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡ ଯୋଗୁଁ କୋଠାର ଉପର ମହଲାରେ ନିଆଁ ଲାଗି ସବୁ ଜିନିଷ ପୋଡ଼ିଯାଇଛି। ତେବେ ଏବେ ଯାଏ ନିଆଁ ଆୟତକୁ ଆସିନି।