ନରଣପୁର, ୨୮/୦୫: ନରଣପୁର ଉପଖଣ୍ଡରେ ଥିବା ଏକ ବ୍ୟାଟେରୀ ଦୋକାନରେ ଅଗ୍ନିକାଣ୍ଡ । ନିଆଁ ଲାଗି ଦୋକାନଟି ସମ୍ପୂର୍ଣ୍ଣ ଭାବରେ ପୋଡ଼ି ପାଉଁଶ ହୋଇଯାଇଛି । ଦୋକାନରେ ଥିବା ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଜଳି ଯାଇଥିବା ନେଇ କହିଛନ୍ତି ଦୋକାନର ମାଲିକ । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି । କେନ୍ଦୁଝର ଜିଲ୍ଲାରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଦୋକାନର ମାଲିକ ସ୍ନେହସ୍ମିତା ନାଏକ ଆତ୍ମନିର୍ଭର ହେବା ପାଇଁ ବ୍ୟାଙ୍କରୁ ଋଣ ନେଇ ଏକ ବ୍ୟାଟେରୀ ଦୋକାନ କରିଥିଲେ । ନରଣପୁରର ଜଳଙ୍ଗଡ଼ିହାରେ ବ୍ୟାଟେରୀ, ସୋଲାର ଲାଇଟ, ଫ୍ୟାନ, ଇନଭଟର, କୁଲର, ଗାଡି ବ୍ୟାଟେରୀ ଆଦି ବିକ୍ରି କରି ନିଜର ଦୋକାନ ଚଳାଉଥିଲେ ଦୋକାନର ମାଲିକ । ତେବେ ବୁଧବାର ଭୋର ୪ଟାରେ ଦୋକାନରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟଲୋକେ ଦୋକାନ ମାଲିକ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୀର୍ଘ ୨ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ। ହେଲେ ଏହାରି ଭିତରେ ଦୋକାନର ସମସ୍ତ ସାମଗ୍ରୀ ଜଳି ପୋଡି ନଷ୍ଟ ହୋଇ ଯାଇଥିଲା । ଏହି ଅଗ୍ନିକାଣ୍ଡରେ ଦୋକାନରେ ଥିବା ୨୫ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଥିବା ଦୋକାନର ମାଲିକ ସ୍ନେହସ୍ମିତା ନାଏକ କହିଛନ୍ତି।