ଭୁବନେଶ୍ୱର,୦୯/୧୧: ଦୁଃଖ ଦେଉଛି ଅଗ୍ନିକାଣ୍ଡ । ୟୁନିଟ-୧ ଭୂତଳ ମାର୍କେଟ ପରେ ବଡଗଡ ବ୍ରିଟ କଲୋନୀସ୍ଥିତ ଘରେ ଲାଗିଲା ନିଆଁ । ବ୍ୟବସାୟୀ ନବୀନ ଚନ୍ଦ୍ର ସାହୁଙ୍କ ଘରେ ନିଆଁ ଲାଗି ଜଳିଗଲା ବଳକା କପଡା । ସଟ୍ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଅକ୍ଟୋବର ୩୦ ତାରିଖ ଅର୍ଥାତ ଦିପାବଳୀ ପୂର୍ବ ରାତିରେ ୟୁନିଟ-୧ ଭୂତଳ ମାର୍କେଟର ଏକ ଦୋକାନରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଏହି ଅଗ୍ନିକାଣ୍ଡରେ ଦୋକାନର ପ୍ରାୟତଃ ଲୁଗାପଟାରେ ନିଆଁ ଲାଗି ପୋଡ଼ି ଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ବଳି ପଡ଼ିଥିବା ଲୁଗାପଟାକୁ ଆଣି ବଡ଼ଗଡ଼ ବ୍ରିଟ କଲୋନୀସ୍ଥିତ ନିଜ ଘରେ ରଖିଥିଲେ ନବୀନ । ତେବେ ସେଠାରେ ମଧ୍ୟ ଲାଗିଗଲା ନିଆଁ । ଶନିବାର କୌଣସି କାରଣ ବଶତଃ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା । ଏହି ଅଗ୍ନିକାଣ୍ଡରେ ବଳକା ଥିବା କପଡ଼ା ମଧ୍ୟ ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ଏହା ଦେଖି ସେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ସଟ୍ ସର୍କିଟରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।