ଗୁଣପୁର,୧୦l୫(ଆପ୍ର)-ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥିତ ଜିଆଇଇଟି ବିଶ୍ଵବିଦ୍ୟାଳୟର   ସିଏସଇ ବିଭାଗର କମ୍ପ୍ୟୁଟର ଲ୍ୟାବରେ  ଶନିବାର ଅପରାହ୍ନରେ  ଅଗ୍ନିକାଣ୍ଡ  ଘଟିଛି। ଏହି ଅଗ୍ନିକାଣ୍ଡରେ ପାୟ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଛି।  ଏହି ସମୟରେ ଓଜେଇ ପରୀକ୍ଷା  ଚାଲୁଥିବାରୁ ଏହାକୁ  ଅଧାରୁ ବନ୍ଦ କରାଯାଇଛି। 

ଜିଆଇଇଟି ବିଶ୍ଵବିଦ୍ୟାଳୟର ପାଞ୍ଚ ମହଲାରେ  ଥିବା    (ସିଏସଇ) ବିଭାଗର କମ୍ପ୍ୟୁଟର ଲ୍ୟାବରେ    ହଠାତ ନିଆଁ ଲାଗିଯାଇଥିଲା। ଖବର ପାଇ ଗୁଣପୁର ଅଗ୍ନିଶମ ବାହିନୀର  ଅଧିକାରୀ  ରଜନୀ କାନ୍ତ ଗୌଡ଼ ସଦଳେ ବଳେ  ପହଞ୍ଚି  ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିଲେ ସୁଦ୍ଧା ଲ୍ୟାବରେ ସର୍ଟ ସର୍କିଟରୁ ଏହିଭଳି  ଘଟଣା ଘଟିଥିବା କୁହାଯାଇଛି ।

ଏଥିରେ ଲ୍ୟାବରେ ଥିବା ୧୪ଟି କମ୍ପ୍ୟୁଟର ଟେବୁଲ୍, ଚେୟାର ,  ସିଲିଂ ସର୍ଭର ରୁମ ପୋଡ଼ି ନଷ୍ଟ ହୋଇଯାଇଛି। ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି  ବିଶ୍ବବିଦ୍ୟାଳୟର ଡିନ  ପ୍ରଶାସନ ଡଃ ଏନ. ଭି.ଜେ. ରାଓ  ସୂଚନା ଦେଇଛନ୍ତି  । ଅଗ୍ନିକାଣ୍ଡ କାରଣରୁ ଶନିବାର ଚାଲିଥିବା  ଓଜେଇ ପରୀକ୍ଷା ଅଧାରୁ ବନ୍ଦ କରି ଦିଆଯାଇଥିଲା ।  ଶହେ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ପରୀକ୍ଷା   ସରିବା ପାଇଁ  ଆଉ ମାତ୍ର ୪୦ ମିନିଟ ରହିଥିଲା।  ତେବେ ନିରାପତ୍ତା ଦୃଷ୍ଟିରୁ  ତାହା ବନ୍ଦ କରାଯାଇଛି । ଏହା ସହ ଦ୍ଵିତୀୟ ସିଫ୍ଟରେ ଥିବା ପରୀକ୍ଷାକୁ ମଧ୍ୟ ବନ୍ଦ କରି ଦିଆଯାଇଛି   । ଅଗ୍ନିକାଣ୍ଡରେ କ୍ଷତି ପରିମାଣ ଅଗ୍ନିଶମ ବିଭାଗ ଆକଳନ କରିବା ପରେ ଜଣାପଡ଼ିବ ।