ବାସୁଦେବପୁର, ୧୫/୦୫ : ବାସୁଦେବପୁର ଥାନା ମନ୍ଦାରୀ ହାଟ ନିକଟରେ ନିଆଁ ଲାଗି ରବି ସେନାପତିଙ୍କ ଦୁଇ ବଖରା ଘର ଜଳି ପାଉଁଶ ହୋଇଯାଇଛି। ବୁଧବାର ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।
ସୂଚନାନୁଯାୟୀ, ବୁଧବାର ରାତିରେ ରବି ସେନାପତି ଅଟୋ ନେଇ ଭଡାରେ ଚାଲିଯାଇଥିଲେ। ଘରେ ତାଲା ପକାଇ ରବିଙ୍କ ସ୍ତ୍ରୀ ପାଖ ଘରେ ଶୋଇଥିଲେ। ତାଲା ପଡିଥିବା ଘର ମାଥାନୀରେ ନିଆଁ ଦାଉ ଦାଉ ଜଳୁଥିବା ଦେଖି ଗ୍ରାମବାସୀ ରବିଙ୍କ ସ୍ତ୍ରୀକୁ ଡାକ ପକାଇଥିଲେ। ଏନେଇ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲା। ହେଲେ ସେତେବେଳକୁ ସବୁକିଛି ଜଳିପୋଡି ଛାରଖାର୍ ହୋଇଯାଇଥିଲା। ଅଗ୍ନି ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।