ଭୁବନେଶ୍ୱର,୦୧/୦୨: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ପାଇଁ ଶନିବାର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଶୃଙ୍ଖଳିତ ଦର୍ଶନ, ଶୂନ୍ୟ ଅଘଟଣକୁ ବିଧାୟକ ବାବୁ ସିଂ ଏବଂ ଜିଲ୍ଲାପାଳ ଅମ୍ରୀତ ଋତୁରାଜ ଗୁରୁତ୍ୱ ଦେଇଛନ୍ତି । ସ୍ୱତନ୍ତ୍ର ସର୍କିଟ ହାଉସଠାରେ ଆୟୋଜିତ ଏହି ବୈଠକରେ ନିଷ୍ପତ୍ତି ମୁତାବକ ଭୋର ୩ଟାରେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପହୁଡ ଖୋଲି ମଙ୍ଗଳ ଆଳତୀ ଓ ଅବକାଶ ନୀତି କରାଯାଇ ସାଢେ ୩ଟା ଠାରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ ପାଇଁ ଅନୁମତି ଦିଆଯିବ । ସେବାୟତ ପରିବାରଙ୍କ ଦର୍ଶନ ପାଇଁ ଗୋଟିଏ ଘଣ୍ଟା ଅର୍ଥାତ ଭୋର ୪ଟାରୁ ୫ଟା ଯାଏଁ ଅନୁମତି ଦିଆଯିବ । ସମସ୍ତ ନୀତି ଠିକଣା ସମୟରେ ସାରି ରାତି ଠିକ ୧୦ଟାରେ ମହାଦୀପ ଉଠିବ। ଚାରି ପ୍ରହର ପୂଜାର ସମସ୍ତ ପର୍ଯ୍ୟାୟ, ହରିହର ଭେଟ ଏବଂ ବଡସିଂହାର ସାରି ତା’ପରଦିନ ସକାଳ ୮ଟା ସୁଦ୍ଧା ପହୁଡ ପଡିବ ।

ଏଥର ଚାରି ପ୍ରହର ପୂଜା ବେଳେ ମନ୍ଦିର କର୍ତ୍ତୃପକ୍ଷ ଉପସ୍ଥିତ ରହି ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ କରିବେ । ନୀତି ବିଳମ୍ବ ନ ହେବା ପାଇଁ ଭୋଗ ବୁହା ଓ ତୀର୍ଥ ପାଣି ଅଣାଯିବା ବାଟକୁ ଅବରୋଧ ମୁକ୍ତ କରାଇବା ଲାଗି ଶ୍ୱେତ ପ୍ରଲେପରେ ଚିହ୍ନଟ କରାଯିବ ଓ ଗୋଟିଏ ପ୍ଳାଟୁନ ଫୋର୍ସ ମୁତୟନ କରାଯିବ । ବେଢାରେ ଅଯଥା ଭିଡ କମାଇବା ଲାଗି ଏଥର ଦୂର ଦର୍ଶନ ବ୍ୟତିତ ଅନ୍ୟ କୌଣସି ସଂସ୍ଥାକୁ ଜିମି କ୍ୟାମେରା ବ୍ୟବହାର ଲାଗି ଅନୁମତି ଦିଆଯିବ ନାହିଁ । ଅନ୍ୟ ବେସରକାରୀ ଚ୍ୟାନେଲଗୁଡିକୁ କେବଳ ଜଣେ ଲେଖା କ୍ୟାମେରା ମ୍ୟାନ୍ ଓ ଜଣେ ଭିଡିଓ ଜର୍ନାଲିଷ୍ଟଙ୍କୁ ଅନୁମତି ଦିଆଯିବ । ସୀମିତ ସଂଖ୍ୟକ ସଂସ୍ଥାର ସ୍ୱେଚ୍ଛାସେବୀଙ୍କୁ ବେଢା ଭିତରକୁ ଅନୁମତି ଦିଆଯିବ । ଭିଆଇପି ପାସ ଦର୍ଶନ ବ୍ୟବସ୍ଥାକୁ ପ୍ରତ୍ୟାହାର ନିମନ୍ତେ ସେବାୟତ ପ୍ରତିନିଧୀମାନେ ସମର୍ଥନ କରିଥିବା ବେଳେ କିଛି କର୍ପୋରେଟର ଭିନ୍ନ ମତ ରଖିଥିଲେ । ତେଣୁ ଏହାକୁ ନେଇ କୌଣସି ନିଷ୍ପତ୍ତି ହୋଇପାରିନି । ନକଲି ସେବାୟତଙ୍କ ଅନୁପ୍ରବେଶ ରୋକିବାକୁ ସେବାୟତଙ୍କୁ ପରିଚୟ ପତ୍ର ପ୍ରଦାନ କରିବାକୁ ପ୍ରସ୍ତାବ ରଖାଯାଇଛି । ଯଦି ଆଗତୁରା ସେବାୟତଙ୍କ ତାଲିକା ଆସିଯିବ, ତେବେ ପରିଚୟ ପତ୍ର ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଶ୍ରଦ୍ଧାଳୁମାନେ ଧାଡିରେ ସିଂହଦ୍ୱାର ଦେଇ ପ୍ରବେଶ କରି ଉତ୍ତର ଦ୍ୱାରରେ ପ୍ରସ୍ଥାନ କରିବେ । ତେଣୁ ଉଭୟ ଦ୍ୱାରରେ ୫ଟି ଲେଖାଏଁ ଶୀତତାପ ନିୟନ୍ତ୍ରତି ଆଶୁ ଚିକିତ୍ସା ବ୍ୟବସ୍ଥା କରାଯିବ । ସେଣ୍ଟ ଜୋନ ଆମ୍ବୁଲାନ୍ସ ସେବା ଏବଂ ଆବଶ୍ୟକ ସ୍ଥଳେ ହାଇଟେକ କିମ୍ବା ସମ୍ ହସ୍ପିଟାଲ ସହଯୋଗରେ ୨ଟି ଲେଖାଏଁ ଏଏଲ୍ଏସ(ଆଡଭାନ୍ସଡ ଲାଇଫ ସପୋର୍ଟ)ଏବଂ ବିଏଲ୍ଏସ(ବେସିକ ଲାଇଫ ସପୋର୍ଟ)ଆମ୍ବୁଲାନ୍ସ ନିୟୋଜିତ ରହିବ । ଶୃଙ୍ଖଳିତ ଧାଡି ଦର୍ଶନ ପାଇଁ ଆବଶ୍ୟକସ୍ଥଳେ ଶୀତତାପ ନିୟନ୍ତ୍ରିତ ସେଡ୍ ବ୍ୟବସ୍ଥା କରାଯିବ । ସେଡରେ ପଙ୍ଖା ଉପଲବ୍ଧ ରହିବ । ୱାଟକୋ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ଦ୍ୱାରା ପିଇବା ପାଣି ଯୋଗାଇ ଦିଆଯିବ । ସୁରକ୍ଷା ଲାଗି ଆବଶ୍ୟକ ଫୋର୍ସ ମୁତୟନ ସାଙ୍ଗକୁ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ସିସିଟିଭି କ୍ୟାମେରା ଲାଗିବ । ସମସ୍ତ ସଂଯୋଗୀକରଣ ରାସ୍ତା ମଧ୍ୟ ୧୦ ତାରିଖ ମଧ୍ୟରେ ମରାମତି କରାଯିବ ।

ବିନ୍ଦୁ ସାଗରର ମହନୀ ଘାଟରୁ ଦଳ ସଫେଇ ସହ ଶ୍ରୀଲିଙ୍ଗରାଜ ମନ୍ଦିର, ଡାକରା ବିଭୀଷଣ ମନ୍ଦିର ଏବଂ କେଦାରଗୌରୀ ମନ୍ଦିରକୁ ଆଲୋକୀକରଣ, ଫୁଲ ସାଜସଜ୍ଜା, ସଫେଇ ଆଦି କାର୍ଯ୍ୟ ବିଏମ୍‌ସି  ଦ୍ୱାରା ସମ୍ପାଦନ ହେବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି । ବିଏମ୍ସି ହସ୍ପିଟାଲ ତରଫରୁ ସବୁ ପ୍ରକାର ମେଡିକାଲ ସହାୟତା ପ୍ରଦାନ କରାଯିବ । ୱାଟ୍କୋ ୧୨ ତାରିଖ ପୂର୍ବରୁ ନୂଆ ଶୌଚାଳୟ କମ୍ପେ୍ଳକ୍ସକୁ ସେବାପୋଯୋଗୀ କରାଇବ । ଅତିରକ୍ତ ଅସ୍ଥାୟୀ ଶୌଚାଳୟ ବି କରାଯିବ । ବାହାର ଧାଡି ସେଡ୍ ପୂର୍ତ୍ତ ବିଭାଗ ଓ ମନ୍ଦିର ବେଢା ଧାଡି ଦର୍ଶନ ବ୍ୟବସ୍ଥା ଏଏସ୍ଆଇ ଦ୍ୱାରା କରାଯିବ । ଏଏସ୍ଆଇ ଦ୍ୱାରା ମନ୍ଦିର ଭିତର ଏବଂ ସିଂହଦ୍ୱାର ରଙ୍ଗ କାମ କରିବାକୁ ଚୁଡାନ୍ତ ହୋଇଛି । ଏଏସ୍ଆଇ ରକ୍ଷଣାବେକ୍ଷଣ କାର୍ଯ୍ୟରେ ଅବହେଳା କରୁଥିବା ସେବାୟତମାନେ ଅଭିଯୋଗ କରିବାରୁ ଆଶିଷ ଜୟଶୱାଲ ନାମକ ଜଣେ ସେଚ୍ଛାସେବୀ ବାର୍ଷିକ ଏ ବାବଦରେ ଯେତେ ବି ଟଙ୍କା ଖର୍ଚ୍ଚ ହେବ ବହନ କରିବାକୁ ନିଜ ଆଡୁ ପ୍ରସ୍ତାବ ଦେଇଥିଲେ ।

ଆହୁରି ପଢ଼ନ୍ତୁ:- ଓଡ଼ିଶା ହାଇକୋର୍ଟ ଏଏସଓ ପରୀକ୍ଷା ଜାଲିଆତି ମାମଲା : ମହିଳା ସମେତ ୬ ଗିରଫ

ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରଦୀପ ସେବା ଟ୍ରଷ୍ଟ, ସ୍କାଉଟ୍ସ ଗାଇଡ୍ସ ଓ ରେଡ କ୍ରସ ଦ୍ୱାରା ଅନେକ ପ୍ରକାର ସେବା ଉପଲବ୍ଧ ହେବ ା କ୍ରୁଟ ତରଫରୁ ଅତିରିକ୍ତ ଆମ ବସ ବ୍ୟବସ୍ଥା ହେବ । ଅଗ୍ନିଶମ ବିଭାଗ ତରଫରୁ ୨୪ ଘଣ୍ଟିଆ ସେବା ଯୋଗାଇ ଦିଆଯିବ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଅସ୍ଥାୟୀ ସୂଚନା କେନ୍ଦ୍ର ଖୋଲାଯାଇ ଭଜନ, ଜଣାଣ, ଶିବସ୍ତୋତ୍ର ଆଦି ପ୍ରସାର କରିବା ସହ ନିଖୋଜ ବ୍ୟକ୍ତିଙ୍କ ତଥ୍ୟ ଓ ନୀତି ବାବଦ ତଥ୍ୟ ରଖାଯିବ । ବୈଠକରେ ଡିସିପି,ଏସିପି ଜୋନ-୪, ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅନେକ କର୍ପୋରେଟର, ପ୍ରମୁଖ ସେବା ନିଯୋଗର ପ୍ରତିନିଧି ବୃନ୍ଦ ଓ ସମସ୍ତ ଲାଇନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ ।