ନୂଆଦିଲ୍ଲୀ,୧୦।୭: କମେଡିଆନ୍ କପିଲ ଶର୍ମାଙ୍କ ଫ୍ୟାନ୍ଙ୍କ ପାଇଁ ଖରାପ ଖବର। କାନାଡାର ସରେ ସହରରେ ଥିବା ତାଙ୍କ କାଫେ ଉପରେ ବୁଧବାର ରାତିରେ ଆଖିବୁଜା ଗୁଳିମାଡ ହୋଇଛି। ଏହି ଆକ୍ରମଣ ପାଇଁ ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କୀ ନିଜକୁ ଦାୟୀ କରିଛି। ତେବେ ଏହି ଆକ୍ରମଣରେ କେହି ଆହତ ହୋଇନଥିବା ନେଇ ସୂଚନା ମିଳିଛି। କିନ୍ତୁ ଏହି ଘଟଣା କାନାଡାରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ଚିନ୍ତା ବଢାଇ ଦେଇଛି। ଘଟଣା ପରେ ତୁରନ୍ତ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଅଞ୍ଚଳକୁ ଘେରାଉ କରିଛି। ଏହି ମାମଲାର ତଦନ୍ତ ଚାଲିଛି।
୨ ବର୍ଷର ପରିଶ୍ରମ ପରେ କପିଲ ଶର୍ମାଙ୍କ ପତ୍ନୀ ଗିନ୍ନି ଚତରଇଙ୍କ ସହ ମିଶି କାନାଡାରେ ବ୍ୟବସାୟ ଆରମ୍ଭ କରିଥିଲେ। ଦୁହେଁ ଏକ କାଫେ ଓପନ କରିଥିଲେ, ଯାହାର ନାଁ ଥିଲା ‘କ୍ୟାପ୍ସ କେଫେ୍’। କପିଲ ଓ ଗିନ୍ନି ଦୁହେଁ ଖୁବ୍ ଖୁସି ଥିଲେ, କାରଣ ରେଷ୍ଟୁରାଣ୍ଟର କଫି ଓ ଖାଦ୍ୟ ପାଇଁ ଲୋକଙ୍କର ପ୍ରବଳ ଭିଡ ଥିଲା। କାଫେ ଖୋଲିବାର ସପ୍ତାହେ ପରେ ଏହି ଫାୟରିଂ ହୋଇଛି। ଆକ୍ରମଣକାରୀ ଗାଡିରେ ଆସିଥିଲେ ଓ ଫାୟାରିଂ କରି ସେଠାରୁ ଫେରାର ହୋଇଯାଇଥିଲେ। ତେବେ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି।
ହରଜିତ ସିଂହ ଲାଡ୍ଡି ନାମକ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିବା ପରେ ଘଟଣା ଏକ ନୂତନ ମୋଡ଼ ନେଇଛି। ଲାଡ୍ଡି ଭାରତର NIAର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ରହିଛି। ସେ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ (BKI) ସହିତ ଜଡିତ ବୋଲି କୁହାଯାଉଛି। ଲାଡ୍ଡି ଦାବି କରିଛି, କପିଲ ଶର୍ମା ତା ଉପରେ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ସେ ଏହି ଆକ୍ରମଣ କରିଛି।