ଭୁବନେଶ୍ଵର, ୨୩/୧୨ : ତୁଟିବ ମହାନଦୀ ଜଳ ବିବାଦ ମାମଲା। ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂ ଦେଓଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରଥମ ଉଚ୍ଚସ୍ତରୀୟ ବୈଠକ। ଏହି ବୈଠକରେ ଉଭୟ ବିଜେପି, ବିଜେଡି ଓ କଂଗ୍ରେସ ଦଳର ପ୍ରତିନିଧି ସାମିଲ ଥିଲେ। ଟ୍ରିପଲ୍ ଇଞ୍ଜିନ୍ ସରକାରରେ ଖୁବଶୀଘ୍ର ଓଡ଼ିଶା-ଛତିଶଗଡ଼ କଳି ତୁଟିବ ବୋଲି ଆଶା କରାଯାଉଛି।

ଏହି ବୈଠକ ସରିବା ପରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ସ୍ଵାର୍ଥକୁ ଗୁରୁତ୍ଵ ଦିଆଯିବ। ଆପୋଷ ଆଲୋଚନା ପାଇଁ ବୈଠକରେ ସହମତି ହୋଇଛି। ବୈଠକରେ ଆଲୋଚନା ହୋଇଥିବା ପ୍ରସଙ୍ଗ ଗଣମାଧ୍ୟମ ପାଇଁ ନୁହେଁ। ସେହିପରି ଲୋକଙ୍କୁ ସବୁକିଛି ଜଣାଇବା ପାଇଁ ବିଜେଡି ଓ କଂଗ୍ରେସ ଦାବି କରିଛନ୍ତି। ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଆପୋଷ ସମାଧାନ ହୋଇ ନାହିଁ। ଗତ ସରକାରରେ ଟ୍ରିବ୍ୟୁନାଲ ନିଷ୍ପତ୍ତି ଯଥାର୍ଥ ଥିଲା। ଆଲୋଚନାର ବିଷୟବସ୍ତୁ ରାଜ୍ୟବାସୀଙ୍କୁ ଜଣାଯାଉ । ବିଶେଷଜ୍ଞମାନଙ୍କ ପରାମର୍ଶ ବି ନିଆଯାଉ । ସେହିପରି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଷ କହିଛନ୍ତି ଯେ, ମହାନଦୀ ଓଡ଼ିଶାର ଜୀବନ ରେଖା । ଏହାର ସ୍ୱାର୍ଥ ଓ ସୁରକ୍ଷା ପାଇଁ ସମସ୍ତେ ମିଳି ମିଶି ଲଢ଼ିବା ଉଚିତ। ମହାନଦୀକୁ ନେଇ ଲଢେଇ କରୁଥିବା ସମସ୍ତ ସଂଗଠନକୁ ଏଥିରେ ସାମିଲ କରାଯାଉ। ଆଲୋଚନାର ସମସ୍ତ ପ୍ରସଙ୍ଗ ରାଜ୍ୟବାସୀଙ୍କୁ ଅବଗତ କରାଯାଉ।

ଏହି ଖବରଟିକୁ ପଢନ୍ତୁ- ବିଧାୟକଙ୍କ ଦରମା ବୃଦ୍ଧି ମାମଲା, ଗ୍ରହଣ କଲେନି ହାଇକୋର୍ଟ