ନୂଆଦିଲ୍ଲୀ, ୧୭।୩: ହେରିଟେଜ୍ ରୁଟ୍ରେ ଗର୍ଜିବ ସ୍ୱଦେଶୀ ହାଇଡ୍ରୋଜେନ ଟ୍ରେନ୍ । ପ୍ରଦୂଷଣ ମୁକ୍ତ ହେବ ଯାତ୍ରା, ହରିୟାଣାରୁ ଆରମ୍ଭ ହେବ ପ୍ରଥମ ପ୍ରକଳ୍ପ । ଭାରତୀୟ ରେଳବାଇ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହେବାକୁ ଯାଉଛି । ଏଣିକି ଟ୍ରେନ୍ ଚଲାଇବା ପାଇଁ ଡିଜେଲ କିମ୍ବା ବିଦ୍ୟୁତ ଶକ୍ତିର ଆବଶ୍ୟକତା ପଡ଼ିବ ନାହିଁ । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଇଡ୍ରୋଜେନ ଟ୍ରେନ୍ ଖୁବ୍ଶୀଘ୍ର ଟ୍ରାକ୍ରେ ଦୌଡ଼ିବାକୁ ପ୍ରସ୍ତୁତ ହେଉଛି । ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଆସନ୍ତା ଏପ୍ରିଲ ମାସରେ ଦେଶର ପ୍ରଥମ ହାଇଡ୍ରୋଜେନ ଟ୍ରେନର ଶୁଭାରମ୍ଭ ହୋଇପାରେ ।
ହରିୟାଣାରୁ ହେବ ଶୁଭାରମ୍ଭ:
ସୂଚନା ମୁତାବକ, ଏହି ଅତ୍ୟାଧୁନିକ ଟ୍ରେନ୍ ପ୍ରଥମେ ହରିୟାଣାର ଜିନ୍ଦ୍ରୁ ପାନିପଥ ରୁଟ୍ରେ ଚାଲିବ । ପ୍ରାୟ ୯୦ କିଲୋମିଟରର ଏହି ଯାତ୍ରା ପାଇଁ ଇଞ୍ଜିନରେ ୩୬୦ କିଲୋଗ୍ରାମ ହାଇଡ୍ରୋଜେନ ଗ୍ୟାସ୍ ଭର୍ତ୍ତି କରାଯିବ । ଚେନ୍ନାଇ ସ୍ଥିତ ଆଇସିଏଫ୍ (ICF)ରେ ଜୁଲାଇ ୨୦୨୫ରେ ଏହାର ସଫଳ ପରୀକ୍ଷଣ ସରିଥିବା ବେଳେ, ପ୍ରଧାନମନ୍ତ୍ରୀ ଏହି ଐତିହାସିକ ପ୍ରକଳ୍ପର ଉଦ୍ଘାଟନ କରିବାର ସମ୍ଭାବନା ରହିଛି ।
ଏହା ବି ପଢ଼ନ୍ତୁ... ବନ୍ଦ ହୋଇଯିବ ଭାରତର ସ୍ୱଦେଶୀ ଜିପିଏସ୍ ସିଷ୍ଟମ୍:୧୧ରୁ ମାତ୍ର ତିନୋଟି ସାଟେଲାଇଟ୍ କାମ କରୁଛି, ଜାତୀୟ ସୁରକ୍ଷା ପାଇଁ ବିପଦ
କେମିତି ପ୍ରସ୍ତୁତ ହୋଇଛି ଏହି 'ଗ୍ରୀନ୍ ଟ୍ରେନ୍'?
ଟେକ୍ନୋଲୋଜି: ଏକ ଡିଜେଲ ଇଲେକ୍ଟ୍ରିକ୍ ମଲ୍ଟିପୁଲ୍ ୟୁନିଟ୍ (DEMU)କୁ ପରିବର୍ତ୍ତନ କରି ଏହି ହାଇଡ୍ରୋଜେନ ଟ୍ରେନ୍ ପ୍ରସ୍ତୁତ କରାଯାଇଛି ।
କ୍ଷମତା: ଏହାର ଇଞ୍ଜିନ ପ୍ରାୟ ୧୨୦୦ ହର୍ସପାୱାର ବିଶିଷ୍ଟ ।
ପରିବେଶ ଅନୁକୂଳ: ୨୦୩୦ ସୁଦ୍ଧା ଭାରତୀୟ ରେଳବାଇକୁ 'ଜିରୋ କାର୍ବନ' କରିବା ଲକ୍ଷ୍ୟରେ ଏହା ଏକ ବଡ଼ ପଦକ୍ଷେପ । ଏଥିରୁ କୌଣସି ବିଷାକ୍ତ ଧୂଆଁ ବାହାରିବ ନାହିଁ । ୧୨୦୦ ହର୍ସପାୱାରର 'ଗ୍ରୀନ୍ ଇଞ୍ଜିନ' ବିନା ଧୂଆଁରେ ଟ୍ରାକ୍ରେ ଦୌଡ଼ିବ ।
ଖର୍ଚ୍ଚ ଓ ଯୋଜନା: ରେଳ ମନ୍ତ୍ରଣାଳୟ ଏହି ପାଇଲଟ୍ ପ୍ରୋଜେକ୍ଟ ପାଇଁ ୧୫୦୦ କୋଟିରୁ ଅଧିକ ଟଙ୍କା ବଜେଟ୍ ରଖିଛି । 'ହାଇଡ୍ରୋଜେନ ଫର୍ ହେରିଟେଜ୍' ଅଭିଯାନ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ୩୫ଟି ଟ୍ରେନ୍ ଚଲାଇବାକୁ ଯୋଜନା ରହିଛି । ଗୋଟିଏ ଟ୍ରେନ୍ ନିର୍ମାଣ ପାଇଁ ପ୍ରାୟ ୮୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଭିତ୍ତିଭୂମି ପାଇଁ ୭୦ କୋଟି ଟଙ୍କା ବ୍ୟୟ କରାଯାଉଛି । ଏହି ଟ୍ରେନ୍ ଗୁଡ଼ିକ ମୁଖ୍ୟତଃ ପାର୍ବତ୍ୟ ଅଞ୍ଚଳ ଏବଂ ଐତିହ୍ୟ ସମ୍ପନ୍ନ ରୁଟ୍ରେ ଚଲାଯିବ, ଯାହା ପର୍ଯ୍ୟଟକଙ୍କ ପାଇଁ ଏକ ନିଆରା ଅନୁଭୂତି ଆଣିଦେବ ।