ନୂଆଦିଲ୍ଲୀ,୧୬।୧୦: ହେବଜୁଲ୍ଲା, ହମାସ ଓ ଇରାନ ସହ ଏକାସଙ୍ଗେ ଇସ୍ରାଏଲ ଲଢେଇ ଜାରି ରହିଛି। ଏବେ ଏହା ଭିତରେ ୧୦୦ ଆମେରିକୀୟ ସୈନିକ ଇସ୍ରାଏଲରେ ମଙ୍ଗଳବାର ପହଁଞ୍ଚିଛନ୍ତି ବୋଲି ଆମେରିକାର ପେଣ୍ଟାଗନ୍ ପକ୍ଷରୁ ସୂଚନା ଦିଆଯାଇଛି। ଟର୍ମିନାଲ ହାଇ ଏଲ୍ଟିଟ୍ୟୁଡ୍ ଏରିଆ ଡିଫେନ୍ସ ମିସାଇଲ ସିଷ୍ଟମ (THAAD) ଦେବାକୁ ତେଲ ଅଭିଭ୍କୁ ପ୍ରତିଶୃତି ଦେଇଥିଲା ଓ୍ବାଶିଂଟନ। ଏହା ଏକ ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା ପ୍ରଣାଳି। ଇସ୍ରାଏଲ ପୂର୍ବରୁ ହିଁ ମଜବୁତ ଏୟାର ଡୋମ୍ ମିସାଇଲ ନିରୋଧି ସିଷ୍ଟମ ସୁରକ୍ଷା ଦେଉଛି। ତେବେ THAAD ଆଣ୍ଟି ମିସାଇଲକୁ ସଞ୍ଚାଳିକ କରିବା ପାଇଁ ସାଧାରଣତ ୧୦୦ ସୈନିକଙ୍କ ଆବଶ୍ୟକତା ପଡିଥାଏ। ଏଥିରେ ୬ଟି ଟ୍ରକ୍ ମାଉଣ୍ଟେଡ୍ ଲଞ୍ଚର ରହିଥାଏ। ପ୍ରତ୍ୟେକ ଲଞ୍ଚରେ ୮ ଇଣ୍ଟରସ୍ପେଟର ଓ ଏକ ଶକ୍ତିଶାଳୀ ରାଡାର ରହିଥାଏ।
ପେଣ୍ଟାଗନ୍ ଅଧିକାରୀ କହିଛନ୍ତି, ଆଡଭାନ୍ସ THAAD ଆଣ୍ଟି ମିସାଇଲ ସିଷ୍ଟମ ଖୁବ୍ ଶୀଘ୍ର ଇସ୍ରାଏଲକୁ ଆକାଶ ମାର୍ଗରୁ ସୁରକ୍ଷା ଦେବା ପାଇଁ ମୁତୟନ କରାଯିବ। ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଏହାର ଉଦ୍ଦେଶ୍ୟ ଇସ୍ରାଏଲର ରକ୍ଷା କରିବା। THAAD ର ମୁତୟନ ୧ ଅକ୍ଟୋବରରେ ଇରାନ ଦ୍ବାରା ଇସ୍ରାଏଲ ଉପରେ ମାଡ଼ କରାଯାଇଥିବା ୧୮୦ ହାଇପରସୋନିମ୍ ମିସାଇଲର ଜବାବ ଦେବାର ଆଶା ରହିଛି।
ମଧ୍ୟ ପ୍ରାଚ୍ୟରେ ଜାରି ଯୁଦ୍ଧ ଭିତରେ ଆମେରିକାର ଏହି ପଦକ୍ଷେପ ଏବେ ଚର୍ଚ୍ଚାର ବିଷୟ ପାଲଟିଛି, କାରଣ THAAD ସହ ଇସ୍ରାଏଲରେ ଆମେରିକା ସୈନିକ ମୁତୟନ କରାଯିବେ। ଇସ୍ରାଏଲରେ ପୂର୍ବରୁ ହିଁ ଅଳ୍ପ ସଂଖ୍ୟାରେ ଆମେରିକା ସେନା ରହିଛନ୍ତି। ସେଭଳି ଏବେ ପ୍ରାୟ ୧୦୦ ଆମେରିକୀୟ ସୈନିକ ମୁତୟନ ହେବେ। ପେଣ୍ଟାଗନ୍ ମୁଖପାତ୍ର କହିଛନ୍ତି, ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ନିର୍ଦେଶରେ ସଚିବ ଅଷ୍ଟିନ୍ ୧୩ ଅପ୍ରେଲ ଓ ୧ ଅକ୍ଟୋବରରେ ଇରାନର ଆକ୍ରମଣ ପରେ ଇସ୍ରାଏଲ ବାୟୁ ସୁରକ୍ଷାକୁ ମଜବୁତ କରିବାରେ ସାହାଯ୍ୟ ପାଇଁ THAAD ଆଣ୍ଟି ମିସାଇଲ ସିଷ୍ଟମ ସହ ଆମେରିକୀୟସେନା ମୁତୟନ କରିବାର ନିଷ୍ପତ୍ତି ନେଇଛି।