ବାରଙ୍ଗ,୨୬/୧୧: କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ  ଓ ନେହରୁ ପ୍ରାଣୀଉଦ୍ୟାନ ହାଇଦ୍ରାବାଦ  ସହିତ ଜନ୍ତୁ ଅଦଳବଦଳ ପ୍ରକ୍ରିୟା  ଆରମ୍ଭ ହୋଇଛି । ସୋମବାର  ନେହରୁ ପ୍ରାଣୀ ଉଦ୍ୟାନରୁ ଏକ ୧୭  ଜଣିଆଦଳ ପ୍ରଥମ ପର୍ଯ୍ୟାୟରେ ୧୦  ପ୍ରଜାତିର ୨୬ ଜୀବଜନ୍ତୁ ନେଇ ପ୍ରାଣୀ  ଉଦ୍ୟାନ ନନ୍ଦନକାନନରେ ପହଞ୍ଚିଛନ୍ତି ।  

ଜୀବଜନ୍ତୁଙ୍କ ମଧ୍ୟରେ ରହିଛି ୨ଟି ସାରସ ପକ୍ଷୀ, ୨ଟି ଚାମୁଚ ଥଣ୍ଡିଆ ବଗ, ୨ଟି ଧୂସର ଜଙ୍ଗଲି  କୁକୁଡ଼ା, ଦୁଇଟି ମାଈ ଆମେରିକା ଏଣ୍ଡୁଅ, ୪ଟି  ବାରବେରୀ କପୋତ, ୪ଟି କୁଜି ହରିଣ,  ହଳେ ଗୁରାଣ୍ଡି, ହଳେ ନାଲିବୋଡ଼ା, ହଳେ ବାଲି  ବୋଡ଼ା, ୨ଟି ଅଣ୍ଡିରା ବନେଟ ମାଙ୍କଡ଼ ୨ଟି ଚନ୍ଦନ  ବୋଡ଼ା । ପ୍ରାଣୀ ଚିକିତ୍ସକ ସ୍ୱାସ୍ଥ୍ୟ ପରୀକ୍ଷା କରିବା  ପରେ ନନ୍ଦନକାନନର ନୂଆ କ୍ୱାରେଣ୍ଟାଇନ  ସେଣ୍ଟରରେ ଏମାନଙ୍କୁ ରଖାଯାଇଛି । ପ୍ରାୟ ୧ ମାସ ଏଠାରେ ରହିବା ପରେ ସମସ୍ତଙ୍କୁ  ଖୁଆଡ଼ରେ ଛଡ଼ାଯିବ । ଜନ୍ତୁ ଅଦଳବଦଳ  ପ୍ରକ୍ରିୟାରେ ନନ୍ଦନକାନନ ପ୍ରାଣୀଉଦ୍ୟାନରୁ  ହାଇଦ୍ରାବାଦ ଚିଡ଼ିଆଖାନାକୁ ମଙ୍ଗଳବାର  ୪ ପ୍ରଜାତିର ୧୩ ଜୀବଜନ୍ତୁ ପଠାଯିବ । 

ଏଥିରେ ରହିଛି ଗୋଟିଏ ଅଣ୍ଡିରା  ଓ ଦୁଇଟି ମାଈ ସିଆମିଜ କୁମ୍ଭୀର,  ୪ଟି ସୁନେଲି ଫିଜାଣ୍ଟ, ୨ଟି ଲେଡ଼ି  ଆମରସେଟ ଫିଜାଣ୍ଟ, ୨ଟି କୁଜି ହରିଣ  ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ  ଉପନିର୍ଦ୍ଦେଶକ ସନଥକୁମାର  ନାରୟଣ । ଦ୍ୱିତୀୟ ପର୍ଯ୍ୟାୟ ଜନ୍ତୁ ଅଦଳ  ବଦଳ ପ୍ରକ୍ରିୟାରେ ୨ ବନେଟ ମାଙ୍କଡ଼  ଆସିବ । ଦୁଇ ହଳ ଗେଣ୍ଡାଳିଆ, ୪ ଆସାମୀ  ମାଙ୍କଡ଼ ଦିଆଯିବ ବୋଲି ନନ୍ଦନକାନନ  ପ୍ରାଣୀଉଦ୍ୟାନ ସୂତ୍ରରୁ ଜଣାପଡ଼ିଛି ।