କଟକ ,୧୮।୧୧ ଚାହୁଁ ଚାହୁଁ ବର୍ଷେ ହୋଇ ଗଲାଣି। ଯେଉଁ ବଡ ଭାଇ ଆମ ହାତ ଧରି ଏହି ରାଜନୀତିର ରଣଭୂମିରେ ଠିଆ କରାଇଥିଲେ ଆଉ କହୁଥିଲେ-ମୁଁ ତୁମମାନଙ୍କ ପଛରେ ସବୁବେଳେ ଅଛି । ସେଇ ବଡ ଭାଇ... ଆମ ସମୀର ଦା, ବର୍ଷେ ହେଲାଣି ଆମ ଗହଣରେ ଆଉ ନାହାନ୍ତି। ଏକଥା ବିଶ୍ବାସ ହେଉନାହିଁ କିନ୍ତୁ ଏହାହିଁ ସତ୍ୟ। ଏ ସତ୍ୟ ସହିତ ଆମକୁ ବଞ୍ଚିବାକୁ ପଡିବ ବୋଲି ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

 କଟକ ସହିଦ୍ ଭବନ ଠାରେ ଆୟୋଜିତ ସ୍ମୃତି ସଭା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ  କହିଥିଲେ ଯେ ସମୀର ଦା’ଙ୍କ ଜନସେବା, ସରଳତା, ପରିଶ୍ରମ ଓ ଦୃଢ଼ ସଙ୍କଳ୍ପ ଆଜି ମଧ୍ୟ ଆମ ସମସ୍ତଙ୍କ ମନରେ ଜୀବନ୍ତ। ସମୀର ଦା’ଙ୍କ ରାଜନୈତିକ ଯାତ୍ରା କେବଳ ଦଳୀୟ ରାଜନୀତି ପର୍ଯ୍ୟନ୍ତ ସୀମାବଦ୍ଧ ନଥିଲା। ସେ ଥିଲେ ସାଧାରଣ ଲୋକମାନଙ୍କ ମଧ୍ୟରୁ ଉଠିଆସିଥିବା ଜଣେ ଦୃଢ଼ ପ୍ରତିନିଧି। ବିଭିନ୍ନ ଅଞ୍ଚଳର ଉନ୍ନତି, ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ, ଯୁବମାନଙ୍କ ଆକାଂକ୍ଷା, ଓ ଦୁର୍ବଳ ବର୍ଗଙ୍କ ଅଧିକାର ଏ ସବୁ ତାଙ୍କ ସେବାର କେନ୍ଦ୍ରବିନ୍ଦୁ ଥିଲା। ଜଣେ ସରଳ ସଚ୍ଚୋଟ ଉଦାର ମଣିଷଟେ ଥିଲେ ଦାଦା।

ମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନର ସାକ୍ଷୀ। ସଂଗଠନଶୀଳ ନେତୃତ୍ୱ, ଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ଓ ଉନ୍ନତି ପାଇଁ ଅତୁଟ ସଙ୍କଳ୍ପ- ଏହି ଗୁଣଗୁଡ଼ିକ ସମୀର ଦାଦାଙ୍କୁ ଜନମାନସରେ ଅମର କରି ରଖିଛି। ଆଜିର ଏହି ଶ୍ରାଦ୍ଧ ବାର୍ଷିକୀ କେବଳ ଶୋକ ପାଳନ ନୁହେଁ; ଏହା ହେଉଛି ଗୋଟିଏ ଆନ୍ତରିକ ସଂକଳ୍ପ ଯେ, ସମୀର ଦା'ଙ୍କ ଉଦ୍ଦେଶ୍ୟ, ତାଙ୍କ ମୂଲ୍ୟବୋଧ, ତାଙ୍କ ଆଦର୍ଶକୁ ଆମେ ଆଗକୁ ବଢ଼ାଇନେବୁ।

ଜଣେ ଖାଣ୍ଟି କଟକିଆ ଥିଲେ ସମୀର ଦା। କଟକର ମାଟି, ପାଣି, ପବନ ସହିତ ସେ ଓତପ୍ରୋତ ଭାବେ ଜଡିତ ଥିଲେ। କଟକ ସହର ଯେଉଁ ଭାଇଚାରା ପାଇଁ ପ୍ରସିଦ୍ଧ, ସମୀର ଦା’ ଥିଲେ ତାହାର ଜ୍ବଳନ୍ତ ପ୍ରତୀକ। କଟକର ସବୁ ସଂଗଠନ, ସବୁ କମିଟି, ବିଭିନ୍ନ କ୍ରୀଡା ସଂଘ, ବିଭିନ୍ନ କର୍ମଚାରୀ ସଂଗଠନ- ସବୁଥିରେ ସେ ଥିଲେ ଆଗ ଧାଡିର ସଂଗଠକ ଓ ନେତା।

ତାଙ୍କର ଅଭାବ ଆମେ ସମସ୍ତେ ଅନୁଭବ କରୁଛୁ ଓ ଆଗକୁ ମଧ୍ୟ ତାଙ୍କ ଅଭାବ ଅନୁଭୂତ ହେବ। କିନ୍ତୁ, ତାଙ୍କର ଦିବ୍ୟାତ୍ମା ଏକ ଉଜ୍ଜଳ ଦୀପଶିଖା ଭଳି ଆମକୁ ନିଶ୍ଚୟ ରାସ୍ତା ଦେଖାଇବ ଏଥିରେ ସନ୍ଦେହ ନାହିଁ। ସମୀର ଦା ଆମ ପାଖରେ ଶାରୀରିକ ଭାବେ ନାହାନ୍ତି ସତ, କିନ୍ତୁ ସେ କାନେ କାନେ କହି ଯାଇଥିବା ଦାୟିତ୍ୱବୋଧ, ସେ ବୁଣିଥିବା ଉନ୍ନତିର ସୁତା, ଓ ସେ ଶିଖାଇଥିବା ସେବାଭାବ ଆଗାମୀ ପିଢ଼ୀ ପାଇଁ ଏକ ପଥଦର୍ଶକ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।