ନୂଆଦିଲ୍ଲୀ ୨୩/୧୨: ପ୍ରଚଣ୍ଡ ଉତ୍ତାପ ଓ ବିଶାଳ ମରୁ ଭୂଖଣ୍ଡ ପାଇଁ ପରିଚିତ ସାଉଦି ଆରବ ପ୍ରଥମ ଥର ଏକ ଅସ୍ୱାଭାବିକ ପାଣିପାଗ ଘଟଣା ଦେଖିଛି । ଅପ୍ରତ୍ୟାଶିତ ଶୀତ, ତୁଷାରପାତ, ଭୀଷଣ ବର୍ଷା ଏବଂ ଦେଶର ବିସ୍ତୃତ ଅଞ୍ଚଳରେ ତାପମାତ୍ରାରେ ଗୁରୁତ୍ୱପୂର୍ଣ୍ଣ ହ୍ରାସ ହୋଇଛି । ଏ ପ୍ରକାର ଜଳବାୟୁ ଦେଶବାସୀଙ୍କୁ ଯେତିକି ଉତ୍ସାହିତ କରିଛି, ତା’ଠୁ ଅଧିକ ଚିନ୍ତାରେ ପକାଇଛି । ଏହି ଅସ୍ୱାଭାବିକ ଅଧ୍ୟାୟ ପୁଣି ଥରେ ଜଳବାୟୁ ପରିବର୍ତ୍ତନର ପରିଣାମକୁ ଦର୍ଶାଇଛି । ଲମ୍ବା ସମୟ ଧରି ମରୁ ଭୂଭାଗ ଭାବେ ପରିଚିତ ଅଞ୍ଚଳଗୁଡ଼ିକରେ ଜଳବାୟୁ ପରିବର୍ତ୍ତନ କିଭଳି ଭାବେ ଅସ୍ୱାଭାବିକ ପାଣିପାଗ ପରିସ୍ଥିତି ସୃଷ୍ଟି କରୁଛି, ଏହା ତା’ର ଜ୍ୱଳନ୍ତ ଉଦାହରଣ ।
ଉତ୍ତର ସାଉଦି ଆରବରେ ଗତ ୧୮ ତାରିଖ ହଠାତ୍ ତୁଷାରପାତ ହୋଇଛି, ଯାହା ତାବୁକ ପ୍ରଦେଶରେ ସ୍ଥିତ ପର୍ବତ ଶୃଙ୍ଖଳା ଦୃଶ୍ୟକୁ ନାଟକୀୟ ଭାବେ ପରିବର୍ତ୍ତନ କରିଛି । ଜେବେଲ ଅଲ୍-ଲଜରେ ପ୍ରାୟ ୨,୬୦୦ ମିଟର ଉଚ୍ଚରେ ଦଣ୍ଡାୟମାନ ସର୍ବୋଚ୍ଚ ସ୍ଥଳୀ ଟ୍ରୋଜେନା ତୁଷାର ଦ୍ୱାରା ଆଚ୍ଛାଦିତ ହୋଇଛି । ହାଲୁକା ବର୍ଷା ମଧ୍ୟ ହୋଇଛି । ହେଲ୍ କ୍ଷେତ୍ରର କିଛି ଅଂଶ ସମେତ ହେଲ୍ ସିଟି ଆଖପାଖରେ ମଧ୍ୟ ତୁଷାରପାତ ଦେଖିବାକୁ ମିଳିଛି । ମଧ୍ୟ-ପ୍ରାଚ୍ୟ ଦେଶରେ ଏହା ଏକ ବିରଳ ଘଟଣା ।
ତୁଷାରପାତ ଯୋଗୁ କିଛି ଅଞ୍ଚଳରେ ଭୋର ସମୟର ତାପମାତ୍ରା ଶୂନରୁ ତଳକୁ ଖସିଯାଇଥିଲା ଏବଂ ଉଚ୍ଚ ସମତଳ ଅଞ୍ଚଳରେ ତୁଷାର ଜମା ହୋଇଥିଲା । ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହିତ ଥଣ୍ଡା ପବନ ବହିଥିଲା । ବିର୍ ବିନ୍ ହରମାସ୍, ଅଲ୍-ଆୟିନାହ, ଆମ୍ମାର, ଅଲଉଲା ଗଭର୍ନୋରେଟ୍, ଶାକରା ଓ ଏହାର ଉପାଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ରେକର୍ଡ ହୋଇଛି ।
ଅନ୍ୟପକ୍ଷେ, ରିୟାଧ, କ୍ୱାସିମ ଓ ପୂର୍ବାଞ୍ଚଳର କିଛି ସ୍ଥାନରେ ମଧ୍ୟମରୁ ଭୀଷଣ ବର୍ଷା ରେକର୍ଡ ହୋଇଛି । ନ୍ୟାସ୍ନାଲ ସେଣ୍ଟର୍ ଫର୍ ମେଟେରୋଲୋଜି (ଏନସିଏମ୍) ଅନୁସାରେ, ଅଲ୍-ମଜମାହ ଓ ଅଲ୍-ଘାଟ, ଉତ୍ତର ରିୟାଧରେ ତୁଷାରପାତ ଦେଖିବାକୁ ମିଳିଛି । ଏ ଅଞ୍ଚଳସବୁର ଖୋଲା ଓ ଉଚ୍ଚ ଚଟାଣରେ ତୁଷାର ଜମା ହୋଇଥିଲା । ଏନସିଏମର ପ୍ରବକ୍ତା ହୁସେନ୍ ଅଲ୍-କାହତାନି କହିଛନ୍ତି, କେନ୍ଦ୍ରୀୟ ଓ ଉତ୍ତରାଞ୍ଚଳକୁ ଭୀଷଣ ଥଣ୍ଡା ପବନ ସହିତ ମେଘଯୁକ୍ତ ବାଦଲର ବ୍ୟାପକ ପ୍ରବେଶ ଯୋଗୁ ଏପରି ସ୍ଥିତି ହେଲା । ଖାସକରି ଉତ୍ତର ଓ କେନ୍ଦ୍ରାଞ୍ଚଳର ଅନେକ ସ୍ଥାନରେ ତାପମାତ୍ରା ଖୁବ୍ ହ୍ରାସ ପାଇଲା ।
ବରଫାବୃତ୍ତ ସାଉଦି ପର୍ବତମାଳାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଦୃଶ୍ୟ ଦେଖିବାକୁ ଅଲ୍-ମଜମାହ ଓ ଅଲ୍-ଘାଟରେ ଲୋକଙ୍କ ଭିଡ଼ ଜମିଲା । ପାଣିପାଗ ବିଶେଷଜ୍ଞ ଏହି ଘଟଣାକୁ ସ୍ୱତନ୍ତ୍ର ବାୟୁମଣ୍ଡଳୀୟ ସ୍ଥିତି ବୋଲି ଦର୍ଶାଇଛନ୍ତି । ଏ ପ୍ରକାର ଘଟଣା ବୃଦ୍ଧି ପାଉଥିବାବେଳେ ଜଳବାୟୁ ପରିବର୍ତ୍ତନ ପାଣିପାଗ ପ୍ୟାଟର୍ନକୁ କିଭଳି ପରିବର୍ତ୍ତନ କରୁଛି, ତାକୁ ନେଇ ପ୍ରଶ୍ନ ଉଠିଛି । ଏପରିକି ଚରମ ଉତ୍ତାପ ଓ ମରୁଭୂମି ପାଇଁ ପରିଚିତ ଅଞ୍ଚଳମାନଙ୍କର ପାଣିପାଗ ମଧ୍ୟ ଏହା ପରିବର୍ତ୍ତନ କରୁଛି । ଚଳିତ ଡିସେମ୍ବରରୁ ଆସନ୍ତା ଫେବ୍ରୁଆରୀ ପର୍ଯ୍ୟନ୍ତ ଉତ୍ତରାଞ୍ଚଳ ଉଚ୍ଚଭୂମି ଯଥା- ତାବୁକ ଓ ଅଲ୍-ଜଫରେ ଶୀତ ସାଙ୍ଗକୁ ତୁଷାରପାତ ସ୍ଥିତି ରହିପାରେ ।