ଭୁବନେଶ୍ୱର, ୨୮/୦୩: ମାର୍ଚ୍ଚ ୨୯ ତାରିଖରେ ସଂଗଠିତ ହେବ ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟୋପରାଗ । ପରାଗ ସମୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥିତି ଅନୁସାରେ ତିନି ପ୍ରକାରର ସୂର୍ଯ୍ୟ ପରାଗ ଘଟିଥାଏ: ଆଂଶିକ, ପୂର୍ଣ୍ଣ ଓ ବଳୟ । ପ୍ରତ୍ୟେକ ପୂର୍ଣ୍ଣ ସୂର୍ଯ୍ୟୋପରାଗ ପୂର୍ବରୁ ଓ ପରେ ଆଂଶିକ ପରାଗ ଦେଖାଯଏ ।
ମାର୍ଚ୍ଚ ୨୯ ତାରିଖରେ ଉତ୍ତର ଆମେରିକା, ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ଉତ୍ତର ଆଟଲାଣ୍ଟିକ୍ ମହାସାଗର, ୟୁରୋପ ଏବଂ ଉତ୍ତର- ପଶ୍ଚିମ ଋଷରେ ଦୃଶ୍ୟମାନ ହେବ ଏହି ଆଂଶିକ ସୂର୍ଯ୍ୟ ପରାଗ । ଏହା ଭାରତରୁ ଦୃଶ୍ୟମାନ ହେବନାହିଁ । କେତେକ ସ୍ଥାନରେ ଏଥର ସର୍ବାଧିକ ସୂର୍ଯ୍ୟୋପରାଗ ୯୦ ପ୍ରତିଶତ ହେବ । ଏହା ଭାରତୀୟ ସମୟ ଦିନ ୨ଟା ୨୦ ମିନିଟ୍ରୁ ଆରମ୍ଭ ହୋଇ ୪ଟା ୧୭ ମିନିଟ୍ରେ ସର୍ବାଧିକ (୯୦ ପ୍ରତିଶତ) ହେବ । ପରାଗ ଶେଷ ହେବ ଭାରତୀୟ ସମୟ ଦିନ ୪ ଟା ୧୪ ମିନିଟ୍ରେ । ପରବର୍ତ୍ତୀ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆସନ୍ତା ସେପ୍ଟେମ୍ବର ୭ କିମ୍ବା ୮ ତାରିଖରେ ସମଗ୍ର ଭାରତ ସହ ଏସିଆ, ୟୁରୋପ, ଆଣ୍ଟାର୍କଟିକା, ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ ଏବଂ ଭାରତ ମହାସାଗରର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ । ଏ ବର୍ଷର ଅନ୍ତିମ ଆଂଶିକ ସୂର୍ଯ୍ୟୋପରାଗ ସେପ୍ଟେମ୍ବର ୨୧-୨୨ ତାରିଖରେ ନ୍ୟୁଜିଲ୍ୟାଣ୍ଡ, ଇଷ୍ଟର୍ଣ୍ଣ ମେଲାନେସିଆ ଏବଂ ପଶ୍ଚିମ ଆଣ୍ଟାର୍କଟିକାରେ ଦୃଶ୍ୟମାନ ହେବ । ଏହା ମଧ୍ୟ ଭାରତରେ ଦୃଶ୍ୟମାନ ହେବନାହିଁ ବୋଲି ପଠାଣି ସମାନ୍ତ ପ୍ଲାନେରଟାରିୟମ୍ର ପୂର୍ବତନ ଉପନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।
ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ ଛାଇ ଆଲୋକର ଏକ ଖେଳ । ଚନ୍ଦ୍ରଗ୍ରହଣ ସମୟରେ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଥାଏ ଓ ସୂର୍ଯ୍ୟ ପରାଗ ସମୟରେ ଚନ୍ଦ୍ର ଛାଇ ପୃଥିବୀ ଉପରେ ପଡିଥାଏ । ଏହି ଛାଇ ଦୁଇଟି ବର୍ଷର ୧୨ମାସ ଯାକ ସବୁ ସମୟରେ ସୃଷ୍ଟି ହୋଇଥାଏ ।