ନୂଆଦିଲ୍ଲୀ,୦୫/୦୫: ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ତେଜୁଛି । ଏହାକୁ ନେଇ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆମେ ପୁରୀ ମନ୍ଦିର, ଜଗନ୍ନାଥ ଧାମକୁ ସମ୍ମାନ କରୁ । କାଳୀ ମନ୍ଦିର ଓ ଗୁରୁଦ୍ୱାର ସବୁଠି ଅଛି । ହେଲେ ଦୀଘା ମନ୍ଦିରକୁ ନେଇ ଏତେ ରାଗ କାହିଁକି ? ସବୁଠି ସବୁ ମନ୍ଦିର ହେଉଛି, ଦୀଘାରେ ହେଲେ କାହିଁକି ବାଧୁଛି ବୋଲି କହି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଦୀଘାରେ ମହାପ୍ରଭୁ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦକୁ ନେଇ ପ୍ରତିକ୍ରିୟା ରଖି ରାଗି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା । ସେ କହିଛନ୍ତି, ''ମୁଁ ପୁରୀର ମନ୍ଦିରକୁ ଜଗନ୍ନାଥ ଧାମକୁ ସମ୍ମାନ କରେ । ସବୁ ମନ୍ଦିର ସବୁସ୍ଥାନରେ ରହିଛି । ମାଆ କାଳୀଙ୍କ ମନ୍ଦିର ହିନ୍ଦୁସ୍ତାନର ସବୁ ସ୍ଥାନରେ ରହିଛି । ଗୁରୁଦ୍ୱାର, ଶିବ ମନ୍ଦିର ସବୁଠି ଅଛି । ସବୁ ମନ୍ଦିର ଦେଶର ସବୁ ଜାଗାରେ ରହିଛି । ଯେବେ ବିଜେପି କିଛି କରେ ଆମେ ତ କିଛି କହୁ ନାହୁଁ । ତେବେ ତାଙ୍କର ଏତେ ରାଗ କାହିଁକି ? ଏତେ ରାଗ କାହିଁକି ଆସୁଛି ?''

ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରି ଜଗନ୍ନାଥ ଧାମ ଲେଖିବାକୁ ନେଇ ବିବାଦ ତେଜିଛି । ପଶ୍ଚିମବଙ୍ଗ ଦୀଘାରେ ନବ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଅଧିକ ଜଟିଳ ହେଉଛି । ଶ୍ରୀକ୍ଷେତ୍ର ବିରୋଧରେ ଏହା ବଡ଼ ଷଡ଼ଯନ୍ତ୍ର ବୋଲି କୁହାଯାଉଛି । ପଶ୍ଚିମବଙ୍ଗର ଟିଏମ୍‌ସି ସରକାର ଏହାକୁ ପ୍ରୋତ୍ସାହିତ କରୁଛି ବୋଲି ଅଭିଯୋଗ ହୋଇଛି । ପୁରୀ ମନ୍ଦିରରେ ନବକଳେବର ସମୟରେ ବଳିଥିବା ଦାରୁରୁ ଏଠାରେ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।