ପ୍ରମୂଖ ଖବର
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଆମେରିକା ମୁହଁରେ ଚାପୁଡା, ଇସ୍ରାଏଲ ଉପରେ ବିଜୟ: ୧୨ ଦିନର ଯୁଦ୍ଧ ପରେ ମୁହଁ ଖୋଲିଲେ ଖାମେନୀ

Published By : Harapriya Biswal | June 26, 2025 6:48 PM

ନୂଆଦିଲ୍ଲୀ,୨୬।୬: ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନୀ ଇସ୍ରାଏଲ-ଇରାନ ଯୁଦ୍ଧ ପରେ ପ୍ରଥମ ଥର ନିଜର ମୁହଁ ଖୋଲିଛନ୍ତି। ୧୨ ଦିନର ଯୁଦ୍ଧ ବେଳେ ଖାମେନୀ ଏକ ଗୁପ୍ତ ସ୍ଥାନରେ ଶରଣ ନେଇଥିଲେ। ଗୁରୁବାର ନିଜର ସମ୍ବୋଧନରେ ଖାମେନୀ ୩ ଇରାନୀ ପରମାଣୁ ସ୍ଥଳ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍ ନେଇ କଥା ହୋଇଛନ୍ତି। ସେ କହିଛନ୍ତି ଆମର ପରମାଣୁ ଆଡ୍ଡାର ବିଶେଷ କ୍ଷତି ହୋଇନି। କିନ୍ତୁ ଆମେ ଆମେରିକାର ସାମରିକ ଆଡ୍ଡା ଉପରେ ଆକ୍ରମଣ କରି କଡା ଜବାବ ଦେଇଛୁ। 

ଅସ୍ତ୍ରବିରତି ପରେ ନିଜର ପ୍ରଥମ ଭିଡିଓ ବାର୍ତ୍ତାରେ ଖାମେନୀ କହିଛନ୍ତି, ତାଙ୍କ ଦେଶ ଆମେରିକାକୁ ଉଚିତ ଜବାବ ଦେଇଛି। ଏହା ସହ ଇସ୍ରାଏଲ ଉପରେ ବିଜୟ ପ୍ରାପ୍ତ କରିଛି ବୋଲି କହିଛନ୍ତି। ଖାମେନୀ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଏହି ସଂଘର୍ଷ ବେଳେ ନିଜର ଲୋକ ଦେଖାଣିଆ ଦୃଷ୍ଟିଭଙ୍ଗୀ ପ୍ରଦର୍ଶନ କରିଛନ୍ତି। ତାଙ୍କୁ ଏଥିରେ ସୁଧାର କରିବା ଦରକାର। ଉଲ୍ଲେଖନୀୟ ଯେ, ୨୨ ଜୁନ୍‌ ରେ ୧୨ ଦିନ ଧରି ଚାଲିଥିବା ଇସ୍ରାଏଲ-ଇରାନ ଯୁଦ୍ଧରେ ଆମେରିକା ହସ୍ତକ୍ଷେପ କରିଥିଲା।  ଆମେରିକା ରାଷ୍ଟ୍ରପତି   ଡୋନାଲ୍ଡୋ ଟ୍ରମ୍ପ ଅସ୍ତ୍ରବିରତି ଘୋଷଣା କରିଥିଲେ। ତେବେ ଏହା ପୂର୍ବରୁ ଇରାନର ପରମାଣୁ ଆଡ୍ଡା ଉପରେ ବଡ଼ ଧରଣର ମିସାଇଲ ମାଡ଼ କରିଥିଲା ଆମେରିକା। ଏପରିକି ଆମେରିକା ଦାବି କରିଥିଲା ଏଥିରେ ଇରାନର ପରମାଣୁ ପ୍ରୋଜେକ୍ଟକୁ କ୍ଷତି ହୋଇଛି। ତେବେ  ଏହାର ପରଦିନ ଇରାନ କତର ଓ ଇରାକରେ ଥିବା ଆମେରିକାର ସେନା ଆଡ୍ଡା ଉପରେ ମିସାଇଲ ଆକ୍ରମଣ କରି ଦେଇଥିଲା ଜୋରଦାର ଜବାବ୍।

ଖାମେନୀ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି, ଆମେରିକା ଶାସନ ଉପରେ ଇରାନର ବିଜୟ ପାଇଁ ଶୁଭେଚ୍ଛା। ଆମେରିକା ସିଧାସଳଖ ଯୁଦ୍ଧରେ ପ୍ରବେଶ କଲା, କାରଣ ତାକୁ ଲାଗିଥିଲା ଏଭଳି ନକଲେ ଜୋୟୋନୀ ଶାସନ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯିବ। ତେବେ ଏହି ଯୁଦ୍ଧରେ ତାକୁ କିଛି ମିଳିଲାନି। ଇସଲାମିକ୍ ରିପବ୍ଲିକ୍ ବିଜୟୀ ହେଲା ଓ ବଦଳରେ ଆମେରିକାର ମୁହଁରେ ଲାଗିଲା ଶକ୍ତ ଚାପୁଡା।’ 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.