ରାୟଗଡା,୧୮।୧୧(ଆପ୍ର)- ରାୟଗଡା ସହରର ବୁଦୁରାବାଲସା ସାହିରେ ୨୦୧୫ ମସିହାରେ ହୋଇଥିବା ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ଜିଲ୍ଲା ଓ ଦୌରାଜଜ୍ ସତ୍ୟନାରାୟଣ ଷଡ଼ଙ୍ଗୀ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ମଧ୍ୟ ଶୁଣାଇଛନ୍ତି । ଜରିମାନା ଅନାଦେୟ ହେଲେ ଅତିରିକ୍ତ ୧ ବର୍ଷ ଜେଲରେ ରହିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଛି । ଆଜୀବନ କାରାଦଣ୍ଡାଦେଶ ପାଇଥିବା ଅଭିଯୁକ୍ତ ମାନେ ହେଲେ ଗୋଟିଏ ପରିବାରର ପି. ସୂରିଆ ରାଓ, ପି. ଶଙ୍କର ରାଓ, ପି. ଶ୍ରୀନୁ, ପି. ତ୍ରିନାଥ ରାଓ ଏବଂ ପି. ସତ୍ୟା ।
ଘଟଣାରୁ ପ୍ରକାଶ ଯେ, ୨୦୧୫ ମସିହାରେ ରାୟଗଡା ସହର ଅନ୍ତର୍ଗତ ବୁଦୁରାବଲାସା ମଝିଘରିଆଣୀ ମଣ୍ଡପ ନିକଟରେ ରହୁଥିବା ଭାରତୀୟ ଖାଦ୍ୟ ନିଗମର ଖଲାସି ରୂପେ କାର୍ଯ୍ୟ କରୁଥିବା କେ. ଆପଲା ନାରାୟଣଙ୍କୁ ସାହିରେ ସଂଘବଦ୍ଧ ଭାବେ ଆକ୍ରମଣ କରି ପାଞ୍ଚ ଜଣ ହତ୍ୟା କରିଥିଲେ । ପୂର୍ବ ଶତୃତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିଲା। ପି. ସୂରିଆ ରାଓ, ପି. ଶଙ୍କର ରାଓ, ପି. ଶ୍ରୀନୁ, ପି. ତ୍ରିନାଥ ରାଓ ଏବଂ ପି. ସତ୍ୟା ମିଳିତ ଭାବେ ଆକ୍ରମଣ କରିଥିଲେ। ଏହି ମାମଲାର ବିଚାର କରି ଅଦାଲତ ଏହି ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ମାନେ ସମସ୍ତେ ଗୋଟିଏ ପରିବାର ବୋଲି ଜଣାପଡିଛି । ଏହି ମାମଲାରେ ସରକାରୀ ଓକିଲ ବିକ୍ରମ କୁମାର କୁଣ୍ଡୁ ମକଦ୍ଦମା ପରିଚାଳନା କରୁଥିଲେ।