ତିରିଙ୍ଗ,୩୧/୫ : ମୟୁରଭଞ୍ଜ ଜିଲ୍ଲାର ତିରିଙ୍ଗ ବ୍ଲକ ଅନ୍ତର୍ଗତ ଲୁପୁଙ୍ଗ ପଞ୍ଚାୟତ ଅଧିନରେ ଥିବା ବଡ଼ଗୋବରା ଗ୍ରାମରେ ଗତକାଲି ବଜ୍ରାଘାତରେ ୫ ଗାଈଙ୍କ ଜୀବନ ଯାଇଛି । ସେହି ଗ୍ରାମର ସାଲଗେ ହାଁସଦା ସ୍ଵାମୀ ଉଗ୍ରୀମ ହାଁସଦାଙ୍କ ଦୁଇଟି, ଫାଗୁରାମ ମାରାଣ୍ଡି ପିତା ଗୁଲିୟା ମାରାଣ୍ଡିଙ୍କ ଗୋଟିଏ, ବୁଢ଼ାନ ମାରାଣ୍ଡି ପିତା ନୁନା ମାରାଣ୍ଡିଙ୍କ ଗୋଟିଏ, ସାଲହାୟ ଟୁଡୁଙ୍କ ଗୋଟିଏ ମୋଟ ୫ଟି ଗୋଧନର ମୃତ୍ୟୁ ହୋଇଛି । ଗତକାଲି ସନ୍ଧ୍ୟା ୫ଟାବେଳଠାରୁ ଏ ଅଞ୍ଚଳରେ ଘଡ଼ଘଡି, ବିଜୁଳି ସହ ବର୍ଷା ଆରମ୍ଭ ହୋଇଥିଲା। ଆଶ୍ଚର୍ଯ୍ୟଜନକ ଭାବେ ପ୍ରାୟ ୧ ଘଣ୍ଟା କାଳ ବିଜୁଳି ଗୋଟିଏ ପରେ ଗୋଟିଏ ଲଗାତାର ମାରିଥିଲା ।
ଏହି ସମୟ ମଧ୍ୟରେ ସନ୍ଧ୍ୟା ସାଢ଼େ ୬ଟା ବେଳକୁ ଗାଁ ନିକଟରେ ବାଉଁଶ ବୁଦା ଖୋଲା ପଡ଼ିଆରେ ୫ଟି ଗାଈ, ଗୋରୁ ଥିଲାବେଳେ ହଠାତ ବଜ୍ରାଘାତ ହୋଇଥିଲା । ଯେଉଁଥିରେ ସେହି ସ୍ଥାନରେ ସେମାନଙ୍କ ଜୀବନ ଚାଲିଯାଇଥିଲା । ପ୍ରାୟ ୩ଘଣ୍ଟା କାଳ ବର୍ଷା ହୋଇଥିଲା । ଗାଈ, ଗୋରୁଙ୍କ ମୃତ ଖବରପାଇ ସ୍ଥାନୀୟ ବାସିନ୍ଦା ତଥା ସେମାନଙ୍କ ମାଲିକ ତିରିଙ୍ଗ ତହସିଲଦାର ତଥା ଭେଟେନାରୀ ଡାକ୍ତରଙ୍କୁ ଖବର ଦେଇଥିଲେ । ସେହି ଏକା ସମୟରେ ଅନ୍ୟ ଏକ ସ୍ଥାନ ବଡ଼ଡାଳିମା ନିକଟସ୍ଥ ରେଙ୍ଗାଳବେଡା ଗ୍ରାମ ନିକଟରେ ଥିବା ବଡ଼ ନିମ୍ବ ଗଛଟି ବଜ୍ରାଘାତ ମାଡ଼ ଖାଇ ଦୁଇ ଫାଳ ହୋଇ ଚୁନା ହୋଇଯାଇଥିବା ଖବର ମିଳିଛି ।