ମାଲକାନଗିରି /ଏମଭି ୭୯, ୪।୮(ଆପ୍ର ) : ଦୀର୍ଘ ୪ଦିନର ପରିଶ୍ରମ ପରେ ଲୁଚକାଳି ଖେଳୁ ଥିବା କୁମ୍ଭୀରଟିକୁ ସୋମବାର ବନ ବିଭାଗ ଉଦ୍ଧାର କରିଛି। ଉଦ୍ଧାର କୁମ୍ଭୀରଟିକୁ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା ପରେ ମଙ୍ଗଳବାର ଚିତ୍ରକୋଣ୍ଡାସ୍ଥ ବାଲିମେଳା ଜଳଭଣ୍ଡାରରେ ଛଡ଼ାଯିବ ବୋଲି ଏସିଏଫ ମୁନ ସୁନ ଖେମୁଣ୍ଡୁ ସୂଚନା ଦେଇଛନ୍ତି। ପ୍ରାୟ ୫ଫୁଟ ଲମ୍ବ ଉଦ୍ଧାର କୁମ୍ଭୀରଟି ମଗର ପ୍ରଜାତିର । ଏହି କୁମ୍ଭୀରଟିକୁ ମୋଟୁ, ମାଲକାନଗିରି, କାଲିମେଳା, ଚିତ୍ରକୋଣ୍ଡା ରେଞ୍ଜ ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀଙ୍କ ସହାୟତାରେ ଏକ ଜାଲ ଦ୍ୱାରା ଧରାଯାଇଛି ।
ଗତ ଶୁକ୍ରବାର ଠାରୁ ଏହି କୁମ୍ଭୀରଟି ମାଲକାନଗିରି ଜିଲ୍ଲା ମୋଟୁ ବନ ବିଭାଗ ରେଞ୍ଜ ଅଧିନସ୍ଥ ଏମପିଭି ୮୩ ଗ୍ରାମ ପୋଖରୀରେ ଦେଖାଯିବା ପରେ ଗ୍ରାମବାସୀଙ୍କ ମନରେ ଆତଙ୍କ ଖେଳି ଯାଇଥିଲା ।ପୋଖରୀରେ କୁମ୍ଭୀରକୁ ଦେଖିବା ପରେ ବନ ବିଭାଗକୁ ଖବର ଦିଆ ଯାଇଥିଲା । ବନ ବିଭାଗ, ଅଗ୍ନିଶମ ବାହିନୀ ଜାଲ ଓ ପାୱାର ବୋଟ ଦ୍ୱାରା ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୁମ୍ଭୀରଟି ଚୋର ପୁଲିସ ର ଲୁଚ କାଳୀ ଖେଳ ଖେଳି ବନ ବିଭାଗ ହାତରୁ ଖସି ଯାଉଥିଲା। ଦୀର୍ଘ ୪ଦିନ ପରିଶ୍ରମ ପରେ କୁମ୍ଭୀରଟି ଧରା ପଡ଼ିବା ପରେ ଭୟଭିତ ହୋଇଥିବା ଗ୍ରାମବାସୀ ଆଶ୍ବସ୍ତି ଅନୁଭବ କରିଛନ୍ତି। କୁମ୍ଭୀରଟିର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବା ପରେ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଛାଡ଼ି ଦିଆଯିବ ବୋଲି ଏସିଏଫ ସୂଚନା ଦେଇଛନ୍ତି।