ନୂଆଦିଲ୍ଲୀ: ଛତିଶଗଡ଼ର ରାଜଧାନୀ ରାୟପୁରରେ ଆଜି (ଶୁକ୍ରବାର) ଏକ ବଡ଼ ଦୁର୍ଘଟଣା ଘଟିଛି। ସିଲାତାରାରେ ଏକ ଘରୋଇ ଇସ୍ପାତ କାରଖାନାରେ ନିର୍ମାଣାଧୀନ ସେଡ୍ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୬ ଜଣ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଜିଲ୍ଲା ପ୍ରଶାସନ ଆହତ ମାନଙ୍କୁ ଚିକିତ୍ସା ପାଇଁ ଦେବେନ୍ଦ୍ର ନଗରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛି।
ସୂଚନା ପାଇବା ପରେ, ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଅନେକ ଲୋକ ଏବେ ବି ଭଗ୍ନାବଶେଷ ତଳେ ଫସି ରହିଥିବା ଜଣାପଡ଼ିଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି। ଛଅ ଜଣ ଶ୍ରମିକଙ୍କ ମୃତଦେହ ନାରାୟଣ ହସ୍ପିଟାଲକୁ ଅଣାଯାଇଛି । ଆଉ ୬ ଜଣ ଆହତଙ୍କୁ ଦେବେନ୍ଦ୍ର ନଗରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସ୍ଥାନୀୟ ପ୍ରଶାସନ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଉପଯୁକ୍ତ ଚିକିତ୍ସାର ଆଶ୍ୱାସନା ଦେଇଛି। ଦୁର୍ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ଘଟଣାରେ ସମବେଦନା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ଆତ୍ମାର ଶାନ୍ତି ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଏବଂ ଆହତ ଶ୍ରମିକଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।