ନୂଆଦିଲ୍ଲୀ,୦୪/୧୧: ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଅତିରିକ୍ତ ଚାର୍ଜ ବିନା କ୍ୟାନସେଲ କରିହେବ ବିମାନ ଟିକେଟ୍ । କିଛି ନିୟମରେ ସଂଶୋଧନ କରିବାକୁ ଯାଉଛି ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା ଡିଜିସିଏ । ପରିବର୍ତ୍ତନ ଅନୁଯାୟୀ, ଯାତ୍ରୀମାନେ ଶୀଘ୍ର ବୁକିଂର ୪୮ ଘଣ୍ଟା ମଧ୍ୟରେ କୌଣସି ଅତିରିକ୍ତ ଶୁଳ୍କ ବିନା ସେମାନଙ୍କର ଟିକେଟ୍ ବାତିଲ୍ କିମ୍ବା ଯାତ୍ରା ତାରିଖ ପରିବର୍ତ୍ତନ କରିପାରିବେ । ପ୍ରସ୍ତାବରେ ରିଫଣ୍ଡ୍ ସମ୍ପର୍କରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି ।
ଡିଜିସିଏ ଅନୁଯାୟୀ, ଟିକେଟ୍ ବାତିଲ୍ କରିବା ପରେ ରିଫଣ୍ଡ ରାଶି ବିମାନ କମ୍ପାନୀର କ୍ରେଡିଟ୍ ସେଲ୍ ବା ୱାଲେଟରେ ଜମା କରିବା ଯାତ୍ରୀଙ୍କ ଚଏସରେ କରାଯିବ । ବିମାନ ଯାତ୍ରୀଙ୍କ ପାଇଁ ରିଫଣ୍ଡ ଓ କ୍ୟାନସେଲେସନ ସମ୍ବନ୍ଧୀୟ ଦୀର୍ଘକାଳୀନ ଅସୁବିଧାକୁ ସରଳ କରିବା ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏହି ଡ୍ରାଫ୍ଟ ନିୟମାବଳୀ ଜାରି କରିଛି। ନୂତନ ପ୍ରସ୍ତାବ ଅନୁଯାୟୀ, ଯାତ୍ରୀଙ୍କୁ ବୁକିଂ ପରେ ୪୮ ଘଣ୍ଟାର "ଲୁକ୍-ଇନ୍" ଅବଧି ପ୍ରଦାନ କରିବ । ଯେଉଁ ସମୟ ମଧ୍ୟରେ ସେମାନେ କୌଣସି ଗୁରୁତ୍ୱପୂର୍ଣ୍ଣ ଶୁଳ୍କ ନ ନେଇ ସେମାନଙ୍କର ଟିକେଟ୍ ବାତିଲ କିମ୍ବା ସଂଶୋଧନ କରିପାରିବେ। ବର୍ତ୍ତମାନ ବିଭିନ୍ନ ଏୟାରଲାଇନ୍ସ ଟିକେଟ୍ ବାତିଲକରଣ ପାଇଁ ନିଜସ୍ୱ ଫି' ଆଦାୟ କରନ୍ତି । ମାଗଣା ଟିକେଟ୍ ବାତିଲ ଓ ରିଫଣ୍ଡ ପାଇଁ ବିମାନ ନିୟାମକଙ୍କ ପ୍ରସ୍ତାବ ସମସ୍ତ ଏୟାରଲାଇନ୍ସ ପାଇଁ ପ୍ରଯୁଜ୍ୟ ହେବ । ଏଥିପାଇଁ କିଛି ସର୍ତ୍ତାବଳୀ ପ୍ରଯୁଜ୍ୟ ରହିବ । ଘରୋଇ ବିମାନ ପାଇଁ ପ୍ରସ୍ଥାନ ବୁକିଂ ତାରିଖର ଅତି କମରେ ପାଞ୍ଚ ଦିନ ପୂର୍ବରୁ ହେବା ଆବଶ୍ୟକ । ସେହିପରି ଅନ୍ତର୍ଜାତୀୟ ବିମାନ ପାଇଁ ଏହି ସମୟସୀମା ୧୫ ଦିନ ରହିବ।