ଭୁବନେଶ୍ୱର, ୨୧/୦୭ : ଆମିଷ ବଜାର ଉପରେ ଏବେ ବର୍ଷା ଓ ବନ୍ୟାର ଗ୍ରହଣ ଲାଗିଛି । ଅଣ୍ଡା ଠୁ ନେଇ ଖାସି ଦର ବି ବଢ଼ିଗଲାଣି । ଏବେ ମାଛ ଦର ବି ବଢ଼ିବାକୁ ଯାଉଛି । ଆନ୍ଧ୍ରପ୍ରଦେଶରେ ବନ୍ୟା ପରିସ୍ଥିତି ଯୋଗୁ ମାଛ ଉତ୍ପାଦନ କମିଯାଇଛି । ଫଳରେ ଓଡ଼ିଶାକୁ ପର୍ଯ୍ୟାପ୍ତ ଆନ୍ଧ୍ରମାଛ ଗାଡ଼ି ଆସିପାରୁନି । ୧୦ ମାଛ ଗାଡ଼ି ଆନ୍ଧ୍ରପ୍ରଦେଶରୁ ଆସୁଥିବା ବେଳେ ଗତ ଶନିବାର ମାତ୍ର ୫ଟି ଆସିଛି । ଆସନ୍ତା ଦିନରେ ଆହୁରି କମ୍‌ ଗାଡି ଆସିବ ବୋଲି ଆଶଙ୍କା କରାଯାଉଛି । ଏହା ଫଳରେ ବଜାରରେ ମାଛର ନିଅଣ୍ଟ ପଡ଼ିବ । ରାଜଧାନୀ ସମେତ ରାଜ୍ୟ ବଜାରରେ ମାଛ ଖୋଜାପଡ଼ିବ।

ଏବେ ଦେଶୀ ମାଛରେ ରାଜ୍ୟବାସୀଙ୍କ ଚାହିଦା ମେଣ୍ଟିପାରୁନଥିବାରୁ ଆନ୍ଧ୍ରପ୍ରଦେଶରୁ ମାଛ ଆସୁଛି । ସପ୍ତାହରେ ଆମିଷ ବାର ପୂର୍ବଦିନ ୧୦ରୁ ୧୨ ଟ୍ରକ ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ଓ ସାମୁଦ୍ରିକ ମାଛ ଭର୍ତ୍ତି ଗାଡି ଭୁବନେଶ୍ୱରକୁ ଆସିଥାଏ । ସେପଟେ ସାରା ରାଜ୍ୟକୁ ୬୦ଗାଡି ଆସିଥାଏ । ଯାହା କଟକ, ନୟାଗଡ଼, ବଲାଙ୍ଗିର, କଳାହାଣ୍ଡି, ଗଞ୍ଜାମ, ବାଲେଶ୍ୱର, ଜଗତସିଂହପୁର ଆଦି ସ୍ଥାନକୁ ଯାଇଥାଏ । ଭୁବନେଶ୍ୱରକୁ ୧୧ଶହ କୁଇଣ୍ଟାଲ ମାଛ ଆସିଥାଏ । ସେଥିରେ ଅଧିକ ଚାହିଦାରେ ଥାଏ ରୋହି, ଭାକୁର, ଜଳଙ୍ଗ । ଏହାବାଦ୍‌ ଟାଇଗର ଚିଙ୍ଗୁଡ଼ି ମଧ୍ୟ ଅଧିକ ଲୋକ କିଣନ୍ତି । ଦିନକରେ ୭ଶହ କୁଇଣ୍ଟାଲ ମାଛ ବିକ୍ରି ହୋଇଯାଏ । ଯାହା ବଳିପଡ଼େ ସେସବକୁ ତହିଁ ଆରଦିନରେ ବିକ୍ରି କରାଯାଏ । ଏବେ ପର୍ଯ୍ୟାପ୍ତ ମାଛ ନ ଆସିବା କାରଣରୁ ବଜାରରେ ଦର ବଢ଼ିଯିବ ।

ସାଧାରଣତଃ ରୋହି ୧୮୦ରୁ ନେଇ ୨୪୦ ଟଙ୍କା ପର୍ଯ୍ୟନ୍ତ କେଜି ପିଛା ବିକ୍ରି ହୁଏ । ଭାକୁର ୨୪୦ରୁ ୩୦୦ ଟଙ୍କା ଯାଏ ବିକ୍ରି ହୁଏ । ଯଦି ଦର ବଢ଼ିବ ଏସବୁ ମାଛକୁ କିଣିବା ଖାଉଟିଙ୍କୁ ଝଟକା ଲାଗିବ । ସେପଟେ ପରିବା, ପିଆଜ, ଅଦା, ଚିନି, ତେଲ ଦର ସବୁକୁ ବଢ଼ିକି ଅଛି । ତେଣୁ ବନ୍ୟା ନ’ଯିବା ଯାଏ ପର୍ଯ୍ୟାପ୍ତ ମାଛ ଗାଡ଼ି ଆସିବା ସମ୍ଭବ ନୁହେଁ ବୋଲି ବେପାରୀମାନେ କହିଛନ୍ତି । ହଠାତ୍‌ ଏକାସଙ୍ଗରେ ମଟନ, ଅଣ୍ଡା ଓ ଚିକେନ୍‌ ଦର ବୃଦ୍ଧି ପାଇବା ସହ ଆନ୍ଧ୍ର ମାଛ ନଆସିବା ଆମିଷପ୍ରେମୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଖାଲି ସେତିକିନୁହେଁ, ରାଜ୍ୟର ଶତକଡ଼ା ୯୪.୭୫ ଲୋକ ମାଛ ଖାଆନ୍ତି ବୋଲି ସରକାରୀ ସର୍ଭେରୁ ଜଣାପଡ଼ିଛି । ୨୦୨୪-୨୫ରେ ଜଣେ ବ୍ୟକ୍ତି ବାର୍ଷିକ ୧୯.୧୬ କିଲୋଗ୍ରାମ ମାଛ ଖାଆନ୍ତି । ଏଭଳି ସ୍ଥିତିରେ ମାଛ ନିଅଣ୍ଟ ପଡ଼ିବା ଏକ ବଡ଼ କ୍ଷତି ହୋଇପାରେ ।  

ଅପରପକ୍ଷେ ଅଣ୍ଡା ଦର ବି ଖସିନି । ଦର ସେଇ ୯ଟଙ୍କାରେ ଅଟକି ରହିଛି । ବଡ଼କଥା, ଦରବୃଦ୍ଧି ଆଳରେ ବେପାରୀମାନେ ମନଇଚ୍ଛା ଦର କଷୁଥିବା ଅଭିଯୋଗ ହେଉଛି । ତେଣୁ ସରକାର ଏଦିଗରେ ଶକ୍ତ ହେବା ନିହାତି ଆବଶ୍ୟକ । ରାଜ୍ୟର ବିଭିନ୍ନ ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଏବେ ବଡ଼ ଚ୍ୟାଲେଞ୍ଜ ପାଲଟିଛି ଅଣ୍ଡା । ସରକାର ଅଣ୍ଡା ପିଛା ଦର୍‌ ୭ଟଙ୍କା ନିର୍ଦ୍ଧାରଣ କରିଛନ୍ତି, କିନ୍ତୁ ବଜାର ଦର ୯-୧୦ ଟଙ୍କା ହେଲାଣି । ପ୍ରାଥମିକ ସ୍କୁଲ ଛାତ୍ରଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବାବଦକୁ ୧୧ ଟଙ୍କା ୧୫ ପଇସା ଏବଂ ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ ୧୪ ଟଙ୍କା ୭୪ ପଇସା ଦେଉଛନ୍ତି । କିନ୍ତୁ ଅଣ୍ଡାର ଅହେତୁକ ଦର ବୃଦ୍ଧି ଶିକ୍ଷକମାନଙ୍କୁ ଚିନ୍ତାରେ ପକାଇଛି।

ଆହୁରି ପଢନ୍ତୁ- ପାଲଲହଡ଼ାରେ ଓଲଟିଲା OSRTC ବସ୍, ୩୦ ଯାତ୍ରୀ ଆହତ, ଜଣେ ଗୁରୁତର

ରିଙ୍ଗ ଭିତରେ ଫାଇଟ୍‌ କରୁଛନ୍ତି ରୋବୋଟ । Robot Boxing