କଟକ ୨୧/୦୯: ଦଶହରା ଅବସରରେ ବିଭିନ୍ନ ପୀଠମାନଙ୍କରେ ଦେବୀ ଦୁର୍ଗାଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଗଲାଣି । ଷୋଡ଼ଶ ଦିନାତ୍ମକ ପୂଜାରେ ମା’ଙ୍କ ବିଭିନ୍ନ ବେଶ କରାଯାଉଛି । ଏହି ଅବସରରେ ପାଖରେ ବିଭିନ୍ନ ପ୍ରକାରର ଫୁଲ ଲାଗି ହେଉଛି । ଦେବୀ ଦୁର୍ଗାଙ୍କ ସହିତ ମନ୍ଦିର ଓ ପୂଜା ମଣ୍ଡପ ଗୁଡ଼ିକୁ ସୁସଜ୍ଜିତ କରାଯାଉଛି । ଆଉ ଏହି ସବୁ ଫୁଲ ସହରରେ ଥିବା ହୋଲସେଲ୍ ଫୁଲ ଦୋକାନୀ ଗୁଡ଼ିକ ଯୋଗାଇଉନ୍ତି । ବିଶେଷକରି ଦଶହରାରେ ଗେଣ୍ଡୁ, ମନ୍ଦାର, ପଦ୍ମ, ଅପରାଜିତା ଓ ମଲ୍ଲୀ ଗଜରା ଇତ୍ୟାଦି ଫୁଲର ଚାହିଦା ଢ଼େର । ଏହି ସବୁ ଫୁଲ ବିଶେଷକରି କୋଲକାତାରୁ ଆସେ । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପାର୍ବଣ ସମୟରେ ସହରରେ ଥିବା ଫୁଲ ବଜାରରେ ବ୍ୟବସାୟ ଭଲ ଜମିବ ବୋଲି ଏବେଠୁ ବ୍ୟବସାୟୀମାନେ ଆଶା ବନ୍ଧି ରହିଛନ୍ତି । ଏପରିକି ଏହି ବେପାର ଦୁଇ କୋଟି ଟଙ୍କା ଟପିବ ବୋଲି ଫୁଲ ବ୍ୟବସାୟୀମାନେ ଆକଳନ କରିଛନ୍ତି । ରାଜ୍ୟରେ ଫୁଲ ଚାଷ ବିଶେଷ ମାତ୍ରାରେ ହେଉ ନ ଥିବାରୁ ବ୍ୟବସାୟୀମାନେ ବାହାର ରାଜ୍ୟ ଉପରେ ନିର୍ଭର ରହୁଛନ୍ତି ବୋଲି ବ୍ୟବସାୟୀମାନେ କହିଛନ୍ତି ।
ସହରରେ ବିଶେଷକରି ଲିଙ୍କ୍ରୋଡ଼, ବାଦାମବାଡ଼ି, ମଧୁପାଟଣା, ବକ୍ସିବଜାର ଆଦି ଅଞ୍ଚଳରେ ପାଖାପାଖି ଶହେରୁ ଅଧିକ ଫୁଲର ହୋଲସେଲ୍ ଦୋକାନ ରହିଛି । ପ୍ରତ୍ୟେକ ଦିନ ଏହି ଦୋକାନ ଗୁଡ଼ିକୁ ବିଭିନ୍ନ ରାଜ୍ୟରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଫୁଲ ବିକ୍ରି ହେବାକୁ ଆସେ । ରିଟେଲ୍ ଦୋକାନ ଗୁଡ଼ିକ ଏହିଠାରୁ ଫୁଲ ନେଇ ସହରର ବିଭିନ୍ନ ଜାଗାରେ ବେପାର କରନ୍ତି । ପୂଜାଆଗରୁ ମନ୍ଦିର ଓ ମଣ୍ଡପ ଗୁଡ଼ିକୁ ବିଭିନ୍ନ ଫୁଲରେ ସୁସଜ୍ଜିତ କରିବା ପାଇଁ ଏବେ ଠାରୁ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଏବଂ ବିଭିନ୍ନ ପୂଜା କମିଟି ପକ୍ଷରୁ ବ୍ୟବସାୟୀମାନଙ୍କୁ ଆଗୁଆ ଅର୍ଡର ଆସିଲାଣି ।
ଫୁଲ ପାଇଁ ବିଶେଷକରି କୋଲକାତା, ରାୟପୁର, ଦିଲ୍ଲୀ, ବେଙ୍ଗାଲୁର ଆଦି ସହର ଉପରେ ବ୍ୟବସାୟୀମାନେ ନିର୍ଭରଶୀଳ ହେବାକୁ ପଡ଼ୁଛି । ଏହି ସବୁ ସହରମାନଙ୍କରୁ ରଜନୀଗନ୍ଧା, ଜୁଇ, ଜବା, ମନ୍ଦାର, ଅପରାଜିତା, ଚନ୍ଦ୍ରମଲ୍ଲୀ, ମୋତି, ପଦ୍ମ, ଚମ୍ପା, କନିଅର ଓ ମଲ୍ଲୀ ଗଜରା ଇତ୍ୟାଦି ବିଭିନ୍ନ ପ୍ରକାରର ଫୁଲ ଆସେ । ରାଜ୍ୟର କୋରାପୁଟ, ସମ୍ବଲପୁର, ବରଗଡ଼, ବାଙ୍କୀ ଓ ରଘୁନାଥପୁର ଅଞ୍ଚଳରୁ ଟଗର, ମନ୍ଦାର, ଗେଣ୍ଡୁ ଓ କନିଅର ଆଦି ଫୁଲ ଅଳ୍ପ ଆସେ । ଆଉ ପ୍ରତ୍ୟେକ ଦୋକାନୀ ୩ରୁ ୪ ଲକ୍ଷ ଟଙ୍କାର ଫୁଲ ପ୍ରତ୍ୟେକ ଦିନ ରଖନ୍ତି ।
ଏ ସଂପର୍କରେ ଫୁଲ ବ୍ୟବସାୟୀ ମାନବେନ୍ଦ୍ର ସର୍ଦ୍ଦାର କହିଛନ୍ତି, ସହରରେ ଯେତେ ପୂଜା ପାର୍ବଣ ରହିଛି ଦଶହରା ସମୟରେ ଅଧିକ ଫୁଲର ବ୍ୟବସାୟ ହୁଏ । ପ୍ରତ୍ୟେକ ଦିନ ଦୁଇ ଥର ଫୁଲ ଗାଡ଼ି ଆସୁଥିବା ବେଳେ ପାର୍ବଣ ବେଳେ ବ୍ୟବସାୟୀମାନେ ଦିନକୁ ୩ ଥର ଫୁଲ ଗାଡ଼ି ମଗାନ୍ତି ବୋଲି ସେ କହିଛନ୍ତି । ଅନ୍ୟ ଜଣେ ବ୍ୟବସାୟୀ ଉମାକାନ୍ତ ପଣ୍ଡା କହିଛନ୍ତି, ମୁଁ ୨୦୦୪ ମସିହାରୁ ସହରରେ ଫୁଲ ବ୍ୟବସାୟ କରୁଛି । ଆଗରୁ ଏତେ ମାତ୍ରାରେ ବ୍ୟବସାୟ ହେଉ ନ ଥିଲା । କିନ୍ତୁ ବିଗତ ୮ ବର୍ଷ ହେବ ଦଶହରା ସମୟରେ ଫୁଲର ଚାହିଦା ଏତେ ମାତ୍ରାରେ ବଢ଼ିଛି ଯେ ପୂଜା ସମୟରେ ବିଭିନ୍ନ ରାଜ୍ୟରୁ ୨୦ରୁ ଅଧିକ ପିକ୍ଅପ୍ ଭ୍ୟାନ୍, ଆଇଚର ଓ ଟ୍ରକ୍ରେ ଫୁଲ ଗାଡ଼ି ଆଣିବାକୁ ପଡ଼ୁଛି ।