ଭୁବନେଶ୍ୱର,୧୪/୧୨: ହଂସପାଳ  ଛକରେ ନିର୍ମାଣାଧୀନ ଫ୍ଲାଏଓଭର କାର୍ଯ୍ୟ ୨୦୨୫  ଜାନୁଆରୀ ସୁଦ୍ଧା ଶେଷ ହେବ । ଏଭଳି ଲକ୍ଷ୍ୟ ରଖିଛି ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) । 

କଟକ-ଭୁବନେଶ୍ୱରକୁ ସଂଯୋଗ କରିଥିବା  ୧୬ ନମ୍ବର ଜାତୀୟ ରାଜପଥର ହଂସପାଳଠାରେ ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ବିଳମ୍ବ ନେଇ ରାଜ୍ୟସଭାରେ ପ୍ରଶ୍ନ କରିଥିଲେ ବିଜେଡି ସାଂସଦ  ସସ୍ମିତ ପାତ୍ର । ଏହାର ଉତ୍ତରରେ କେନ୍ଦ୍ର ସଡ଼କ  ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସୂଚନା  ଦେଇଛନ୍ତି, କୋଭିଡ ମହାମାରୀ ଓ ପରବର୍ତ୍ତୀ  ସମୟରେ କିଛି ଘର ସ୍ଥାନାନ୍ତର ଏବଂ ଠିକା ସଂସ୍ଥା  ଯୋଗୁ ଏହି ପ୍ରକଳ୍ପ କାମ ବିଳମ୍ବ ହୋଇଥିଲା । କାମ  ଠିକ୍‌ ଭାବେ ନ କରିବାରୁ ଗତ ଜୁନ୍‌ରେ ପୂର୍ବ ଠିକା  ସଂସ୍ଥାକୁ ବିଦା କରି ଆଉ ଥରେ ଟେଣ୍ଡର ଆହ୍ୱାନ କରି  ନୂଆ ସଂସ୍ଥାକୁ ନିୟୋଜିତ କରାଯାଇଛି । ବକେୟା କାମ  ୨୦୨୫ ଜାନୁଆରୀ ସୁଦ୍ଧା ସରିବ ବୋଲି ଆଶା ରହିଛି । 

ହଂସପାଳ ଫ୍ଲାଏଓଭର ୬ ଲେନ୍‌ ବିଶିଷ୍ଟ  ହେଉଥିବା ବେଳେ ଏଥିରୁ ଗୋଟିଏ ଫାଳ ଖୋଲିଛି ।  କଟକ ପଟୁ ଆସୁଥିବା ଯାନବାହନ ହଂସପାଳରୁ  ଫ୍ଲାଏଓଭର ଚଢ଼ି ସିଧା କୁଆଖାଇ ବ୍ରିଜ୍‌ ଉପରେ  ପହଞ୍ଚୁଛନ୍ତି । ମାତ୍ର ଭୁବନେଶ୍ୱର ପଟୁ ଯାଉଥିବା  ଯାନବାହନ ପାଇଁ ହଂସପାଳରେ ଫ୍ଲାଏଓଭର କାମ  ସରିନାହିଁ । ଏଥିଯୋଗୁ ପ୍ରତିଦିନ ଟ୍ରାଫିକ ସମସ୍ୟା ସହ  ଅଞ୍ଚଳରେ ସାଂଘାତିକ ଧୂଳି ଉଡ଼ୁଛି । ସ୍ଥାନୀୟ ଅଞ୍ଚଳବାସୀ  ଓ ରାସ୍ତାରେ ଯାଉଥିବା ଲୋକେ ଟ୍ରାଫିକ ଯନ୍ତ୍ରଣା ସହ  ଧୂଳିଧୂଆଁରେ ପ୍ରତିଦିନ ନାକେଦମ ହେଉଛନ୍ତି । ଏହି  ଫ୍ଲାଏଓଭର କାମ ୨୦୨୦ରୁ ଆରମ୍ଭ ହୋଇଥିଲା ।