ବାଲେଶ୍ୱର,୩୦/୦୯: ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଜବତ କରାଯାଇଥିବା ସମସ୍ତ ସିସିଟିଭି ଫୁଟେଜ୍‌କୁ ଫରେନ୍‌ସିକ୍‌ ସାଇନ୍ସ ଲାବୋରେଟୋରିକୁ ପଠାଯାଇଛି । ସେଠାରୁ ତଥ୍ୟ ଆସିବା ପରେ ଏହି ତଦନ୍ତରେ କ୍ରାଇମବ୍ରାଞ୍ଚକୁ କିଛି ସଫଳତା ମିଳିପାରେ । ଛାତ୍ରୀଙ୍କ ଆତ୍ମାହୁତି ସମୟରେ ଆହତ ହୋଇଥିବା ଜ୍ୟୋତିପ୍ରକାଶ  ବିଶ୍ୱାଳଙ୍କ ଭିଡିଓ ଏହି ଘଟଣାର ଅନେକ କିଛି ଗୁମର ଖୋଲିବ ବୋଲି ଆଶା କରାଯାଉଛି ।   

ଚଳିତ ମାସ ୧୬ ତାରିଖରୁ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇଜି ଏସ୍‌ ସାଇନିଙ୍କ ନେତୃତ୍ୱରେ କ୍ରାଇମ ବ୍ରାଞ୍ଚ ଟିମ୍‌ ତଦନ୍ତ ଜାରି ରଖିଛି । ତଦନ୍ତ ବେଳେ  ଟିମ୍‌ କଲେଜ କ୍ୟାମ୍ପସ, ପେଟ୍ରାଲ୍‌ ପମ୍ପରେ ଲାଗିଥିବା  ସିସିଟିଭି ଫୁଟେଜ୍‌କୁ ଜବତ କରିଛି । ଏହା ବ୍ୟତୀତ ଏହି ଘଟଣାରେ କ୍ରାଇମବ୍ରାଞ୍ଚ କିଛି ଛାତ୍ରଛାତ୍ରୀଙ୍କ ମୋବାଇଲରେ ଥିବା ସୌମ୍ୟାଶ୍ରୀ ସମ୍ପର୍କିତ ଭିଡିଓକୁ ମଧ୍ୟ ସଂଗ୍ରହ  କରିଛି । ଏହି ସବୁ ଭିଡିଓ ଫୁଟେଜ ଗୁଡ଼ିକକୁ ରାଜ୍ୟ ଫରେନ୍‌ସିକ୍‌ ସାଇନ୍‌ସ ଲାବୋରେଟାରିକୁ ପଠାଇଛି । ସେଠାରୁ ରିପୋର୍ଟ ଆସିବା ପରେ କ୍ରାଇମବ୍ରାଞ୍ଚ ଟିମ୍‌କୁ  ଏହି ଘଟଣା ବିଷୟରେ ଅନେକ କିଛି ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।   

ଛାତ୍ରୀଙ୍କ ଆତ୍ମାହୁତି ଘଟଣା ପରେ ସାଧାରଣ  ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଥିଲା । କଲେଜ କ୍ୟାମ୍ପସରେ କେମିତି ପେଟ୍ରୋଲ ଆସିଲା ? କେଉଁମାନେ ପେଟ୍ରୋଲ ଆଣିଥିଲେ? ଆତ୍ମାହୁତି ବେଳେ ଛାତ୍ରୀଙ୍କ ନିକଟରେ କେଉଁମାନେ ଥିଲେ । ସେତେବେଳେ  ସେମାନଙ୍କ ଭୂମିକା କ’ଣ ଥିଲା? ଲୋକଙ୍କ ମନରେ ଉପୁଜିଥିବା ଏମିତି ଅନେକ ପ୍ରଶ୍ନର ଉତ୍ତର ମିଳିପାରିବ ବୋଲି ଆଶା କରାଯାଉଛି । ଛାତ୍ରୀଙ୍କୁ ବଞ୍ଚାଇବାକୁ  ଯାଇ ଆହତ ହୋଇଥିବା ଜ୍ୟୋତିପ୍ରକାଶଙ୍କୁ ତଦନ୍ତ ପରିସରଭୁକ୍ତ କରିଛି କ୍ରାଇମ ବ୍ରାଞ୍ଚ । 

ଗତ ସୋମବାର ଅପରାହ୍ନରେ ଜ୍ୟୋତିପ୍ରକାଶ ସୁସ୍ଥ ହୋଇ ଏସ୍‌ସିବିରୁ ଡିସଚାର୍ଜ ହୋଇଛନ୍ତି । ତାଙ୍କଠାରୁ ମୋବାଇଲ ଜବତ  କରାଯାଇଛି । ମୋବାଇଲରେ ଥିବା ୩୦ ମିନିଟ୍‌ର ଭିଡିଓକୁ ମଧ୍ୟ କ୍ରାଇମବାଞ୍ଚ ଟିମ୍‌ ଫରେନ୍‌ସିକ୍‌ ସାଇନ୍ସ ଲାବୋରେଟୋରିକୁ  ପଠାଇଛି । ଏହି ଭିଡିଓ ଅନେକ କିଛି ଅନାଲୋଚିତ ତଥ୍ୟ ଲୋକଲୋଚନକୁ ଆଣିବା ନେଇ ଆଶା କରାଯାଉଛି । କେବଳ ଜ୍ୟୋତିପ୍ରକାଶ ନୁହଁନ୍ତି ଆତ୍ମାହୁତି ଘଟଣା ସହିତ ସିଧାସଳଖ ସମ୍ପର୍କ ରଖୁଥିବା ଅନ୍ୟ ଛାତ୍ରଛାତ୍ରୀ ମଧ୍ୟ ତଦନ୍ତ ପରିସରକୁ ଆସିପାରନ୍ତି । 

ସୂଚନାଯୋଗ୍ୟ, ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଘଟଣା ଦିନ କିମ୍ବା ଘଟଣା  ପୂର୍ବରୁ ଛାତ୍ରୀଙ୍କ ସହ ସମ୍ପର୍କରେ ଥିବା ୫୦ରୁ ଊଦ୍ଧ୍ୱର୍  ଛାତ୍ରଛାତ୍ରୀଙ୍କୁ ପରିସରଭୁକ୍ତ କରିଛି । ଘଟଣା ସମ୍ପର୍କରେ  ସେମାନଙ୍କ ନିକଟରୁ ପ୍ରତିକ୍ରିୟା ସଂଗ୍ରହ କରିଛି ।