ବାଲେଶ୍ବର ୧୫/୦୭: ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଶେଷକୃତ୍ୟ ସମ୍ପନ୍ନ। ପଳାସିଆ ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ହେଲେ ସୌମ୍ୟାଶ୍ରୀ ମରଶରୀର। ଦିନେ ଯାହା ହାତରୁ ରାକ୍ଷୀ ବାନ୍ଧିଥିଲେ। ଆଜି ସେହି ହାତରେ ଭଉଣୀର ମୁହଁରେ ମୁଖାଗ୍ନି ଦେଇଛି ଭାଇ। କାନ୍ଦବୋବାଳିରେ ଫାଟୁଛି ପୂରା ପଳାସିଆ ଗାଁ ଦାଣ୍ଡ। ସୌମ୍ୟାଶ୍ରୀଙ୍କୁ ଅନ୍ତିମ ଦର୍ଶନ ପାଇଁ ହଜାର ହଜାର ଲୋକ ବିଧାୟକ ଓ ସାଂସଦଙ୍କ ସମତେ ବହୁ ନେତାମନ୍ତ୍ରୀଙ୍କ ଭିଡ଼ି ଜମିଥିବା ଦେଖିବାକୁ ମିଳିଛି।
୧୪ ଦିନ ଧରି ଲଢ଼ିଥିଲା ବାଲେଶ୍ୱରର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ । ଦାବି ଥିଲା, ଲୋଲୁପ ଦୃଷ୍ଟି ପକାଇଥିବା ଶିକ୍ଷକରୂପୀ ଦୋଷୀକୁ ଦଣ୍ଡ ଦେବା । ହେଲେ ମିଳିଲା ଅକାଳ ମୃତ୍ୟୁ । ନିରବୀ ଗଲା ସାହସୀ ସଂଗ୍ରାମୀ ସ୍ୱର । ବାପା, ମା’, ଭାଇ, ପରିବାର ଓ ସାଙ୍ଗସାଥୀଙ୍କୁ ପର କରି ଆରପାରିକୁ ଚାଲିଗଲେ ସେ । ସବୁଦିନ ପାଇଁ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା । ଗତ ଶନିବାର ଦିନ କଲେଜ କ୍ୟାମ୍ପସ୍ ଭିତରେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ସୋମବାର ରାତି ୧୧ଟା ୪୬ ମିନିଟରେ ସେ ଆଖି ବୁଜି ଦେଇଥିଲେ। ଏମ୍ସ ପରିସରରେ ଶୋକାକୂଳ ପରିବେଶ ଛାଇଗଲା । ଝିଅର ଅବର୍ତ୍ତମାନରେ ଖାଲି ପରିବାର ଲୋକ କାନ୍ଦୁ ନଥିଲେ । ଦଳମତ ନିର୍ବିଶେଷରେ ନେତା, ମନ୍ତ୍ରୀମାନେ ଖବର ଶୁଣି ବିଜୁଳି ବେଗରେ ଧାଇଁ ଆସିଥିଲେ । ଶେଷରେ ସୌମ୍ୟାଶ୍ରୀଙ୍କ ମୃତଦେହ ବର୍ଣ୍ଣ ସେଣ୍ଟରରୁ ବାହାରିଥିଲା । ଆଉ ସମସ୍ତେ ତାଙ୍କର ଶେଷ ଦର୍ଶନ କରିଥିଲେ ।
ଏମ୍ସ୍ରେ ସୌମ୍ୟାଶ୍ରୀଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲେ ମେଡିକାଲ କର୍ତ୍ତୃପକ୍ଷ। ସେଠାରୁ ପରିବାରଙ୍କ ସହମତିରେ ଭୁବନେଶ୍ୱର ଏମ୍ସରୁ ଆମ୍ବୁଲାନ୍ସ ଯୋଗେ ଭୋଗରାଇକୁ ମୃତଦେହ ନିଆଯାଇଛି। ପଳାସିଆ ଗାଁରେ ଛାତ୍ରୀଙ୍କ ମରଶରୀର ପହଞ୍ଚିବା ବେଳେ କାନ୍ଦ ବୋବାଳି ଫାଟୁଛି ଗାଁ ଦାଣ୍ଡ। ବାହୁନି ହେଉଛନ୍ତି ପରିବାର ଓ ଜ୍ଞାତି କୁଟୁମ୍ବ। ଅମର ରହେ ସୌମ୍ୟାଶ୍ରୀ ନାରାରେ କମ୍ପିଲା ପୂରା ଅଞ୍ଚଳ । ପ୍ରାର୍ଥୀବ ଶରୀରର ଶେଷ ଦର୍ଶନ ପାଇଁ ପ୍ରବଳ ଗହଳି । ୬ ଖଣ୍ଡ ବାଉଁଶରେ କୋକେଇ ବନ୍ଧା ଯାଇଥିଲା ଭାଇ ଏବଂ ସମ୍ପକୀୟ ମରଶରୀରକୁ ଗାଁ ମଶାଣିକୁ ନେଇ ଯାଥିଲେ। ଛାତ୍ରୀଙ୍କ ପାର୍ଥିବ ଶରୀରରେ ଭାଇ ମୁଖାଗ୍ନି ଦେଇଥିଲେ। ପଞ୍ଚଭୂତରେ ଲୀନ ହୋଇଛି ସୌମ୍ୟାଶ୍ରୀ ଶରୀର।
ସୂଚନା ମୁତାବକ, ଭୋଗରାଇ ବ୍ଲକ ସୁନାଧରବସାଣ ପଞ୍ଚାୟତ ଅଧୀନ ପଳାସିଆ ଗ୍ରାମର ଜଣେ ସରକାରୀ କର୍ମଚାରୀ ବଳରାମ ବିଶି ଓ ସବିତା ରାଣୀଙ୍କ ଏକମାତ୍ର ଝିଅ ସୌମ୍ୟାଶ୍ରୀ। ସେ ସ୍ଥାନୀୟ ଭୋଗରାଇ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଯୁକ୍ତ ଦୁଇ କଳା ପରୀକ୍ଷାରେ କୃତିତ୍ବ ହାସଲ କରିବା ପରେ ଏଫ୍ଏମ୍ ମହାବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ଼ ବିଏଡ଼ ପଢୁଥିଲେ । ସେ ଦ୍ୱିତୀୟ ବର୍ଷର ଛାତ୍ରୀ ଥିବା ବେଳେ ମହାବିଦ୍ୟାଳୟର ବିଭାଗୀୟ ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କ ଦ୍ବାରା ବାରମ୍ବାର ମାନସିକ ନିର୍ଯାତନାର ଶିକାର ହୋଇଥିଲେ। ପୁଲିସ୍ ପ୍ରଶାସନ ନିକଟରେ ନ୍ୟାୟ ପ୍ରାର୍ଥନା କରିଥିଲେ । ମାତ୍ର କେହି ତାଙ୍କ ଦୁଃଖ ନ ଶୁଣିନଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଘୋଷଙ୍କୁ ନ୍ୟାୟ ମାଗି ବିଫଳ ହେବାରୁ ଶେଷରେ ଶନିବାର ଦିନ ମହାବିଦ୍ୟାଳୟ ପରିସରରେ ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ଏଥିରେ ତାଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡ଼ି ଯାଇଥିବା ବେଳେ ତାଙ୍କୁ ପ୍ରଥମେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବରସ୍ଥିତ ଏମସକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସୋମବାର ରାତି ୧୧ଟା ୪୬ ମିନିଟରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଥିଲା ।
ଆଜି ସକାଳେ ତାଙ୍କ ପାର୍ଥିବ ଶରୀର ବାଲେଶ୍ଵର ଜିଲ୍ଲାରେ ପ୍ରବେଶ କରିବା ପରେ ଜିଲ୍ଲାର ପ୍ରବେଶ ପଥ କୁହାଯାଉଥିବା ସିମୁଳିଆ ବ୍ଲକର ମଇତାପୁର ଠାରୁ ତାଙ୍କ ଜନ୍ମମାଟି ଭୋଗରାଇ ବ୍ଲକର ପଳାସିଆ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ଉପଜିଲ୍ଲାପାଳ ଡ଼ ମଧୁସ୍ମିତା ସାମନ୍ତରାୟ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦେବଜ୍ଯୋତି ଦାଶ, ନିରଞ୍ଜନ ବେହେରା, ବସ୍ତା ଓ ଜଳେଶ୍ଵର ଏସଡିପିଓ ମାନସ କୁମାର ଦେଓ, ନିଳଗିରି ଏସଡିପିଓ ପ୍ରମୋଦ ମଲ୍ଲିକ, ସଦର ଥାନା ଅଧିକାରୀ ସାଲଖାନ ମୁର୍ମୁ, ବାଲିଆପାଳ ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରା, ଭୋଗରାଇ ଥାନା ଅଧିକାରୀ ରୋହିତ୍ କୁମାର ବଳ, ତାଳସାରି ସାମୁଦ୍ରିକ ଥାନା ଅଧିକାରିଣୀ ଚମ୍ପାବତୀ ସୋରେନ୍, ଭୋଗରାଇ ତହସିଲଦାର ସୂର୍ଯ୍ୟ କୁମାର ନାୟକ, ବିଡ଼ିଓ ପ୍ରଶାନ୍ତ କୁମାର ମହାରଣା ଉପସ୍ଥିତ ରହି ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା ।