ନୂଆଦିଲ୍ଲୀ, ୨୯/୦୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଆସନ୍ତା ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ସରକାର ତାଙ୍କ ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି। ତେବେ ଆସନ୍ତା ବର୍ଷ ଭାରତୀୟ ଅର୍ଥବ୍ୟବସ୍ଥାର ଗତି ଧିମା ପଡ଼ିପାରେ ବୋଲି ଅନୁମାନ କରାଯାଉଛି। ଏଥର ଜିଡିପି ଅଭିବୃଦ୍ଧି ହାର ୬.୮% ରୁ ୭.୨% ଭିତରେ ରହିବ ବୋଲି ଅନୁମାନ କରାଯାଉଛି। ସେହିପରି ବେରୋଜଗାରୀରେ ସୁଧାର ଆସିବାର ସଙ୍କେତ ମିଳିଛି। ଭିତ୍ତିଭୂମି ଏବଂ ସୁରକ୍ଷା ଉପରେ ଜୋର୍ ଦିଆଯାଇଛି। ଗରିବ ଏବଂ ମଧ୍ୟବିତ୍ତଙ୍କୁ ଫୋକସ୍ କରାଯାଇଛି।

କାଣନ୍ତୁ ସର୍ଭେ ରିପୋର୍ଟର ଖାସ୍ କଥା-

୧- ଅଭିବୃଦ୍ଧି ହାରରେ ହ୍ରାସ ଆଶଙ୍କା

ସର୍ବେକ୍ଷଣ ଅନୁଯାୟୀ, ଆସନ୍ତା ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ୬.୮% ରୁ ୭.୨% ଭିତରେ ରହିବ ବୋଲି ଅନୁମାନ କରାଯାଉଛି। ଯାହାକି ବର୍ତ୍ତମାନର ଆର୍ଥିକ ବର୍ଷ ତୁଳନାରେ କମ୍। ସରକାରଙ୍କ ଅନୁଯାୟୀ, ଚଳିତ ବର୍ଷ ଅର୍ଥବ୍ୟବସ୍ଥା ୭.୪% ହାରରେ ଅଭିବୃଦ୍ଧି ପାଇବ, ଯାହା ଆଶାଠାରୁ ଭଲ ପ୍ରଦର୍ଶନ।

୨- ରୋଜଗାରରେ ସୁଧାର

ସର୍ବେକ୍ଷଣ ଅନୁଯାୟୀ, ୧୫ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ବେରୋଜଗାର ହାର କମୁଛି। ୨୦୧୭-୧୮ରେ ବେରୋଜଗାର ହାର ୬ ପ୍ରତିଶତ ଥିଲା। ଯାହାକି ୨୦୨୩-୨୪ରେ ୩.୨ ପ୍ରତିଶତକୁ ହ୍ରାସ ପାଇଛି। ଏହା ସହ ସହରୀ ବେରୋଜଗାର ହାରରେ ମଧ୍ୟ ସାମାନ୍ୟ ସୁଧାର ଆସିଛି।

୩-ସରକାରୀ ଅର୍ଥ କେଉଁଠି ଖର୍ଚ୍ଚ ହେଉଛି ?

ଭିତ୍ତିଭୂମି ସୁଧାର ଦିଗରେ ସରକାର ଫୋକୋସ୍ କରୁଛନ୍ତି। ଗତବର୍ଷ ସରକାର ପୁଞ୍ଜିଗତ ବ୍ୟୟର ୭୫ ପ୍ରତିଶତ ଭାଗ କେବଳ ପ୍ରତିରକ୍ଷା, ରେଲୱେ ଏବଂ ସଡ଼କ ପରିବହନରେ ଖର୍ଚ୍ଚ କରିଛନ୍ତି।

ସରକାର ଉପସ୍ଥାପନ କରିଥିବା ଆର୍ଥିକ ସର୍ବେକ୍ଷଣର ଦୁଇଟି ବଡ଼ କଥା ହେଲା-

ପ୍ରଥମଟି ହେଉଛି, ଭାରତ ଏବେ ଜାପାନକୁ ପଛରେ ପକାଇ ଦୁନିଆର ଚତୁର୍ଥ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ପାଲଟିଛି।

ଦ୍ଵିତୀୟଟି ହେଉଛି, ବହୁ ଚ୍ୟାଲେଞ୍ଜ୍ ସତ୍ତ୍ଵେ ଭାରତୀୟ ଅର୍ଥବ୍ୟବସ୍ଥା ଚାରି ଟ୍ରିଲିୟନ ଡଲାର ପାର୍ କରି ତୀବ୍ର ଗତିରେ ଆଗକୁ ବଢୁଛି।

ବୃଦ୍ଧିହାର କମିବା ଆଶଙ୍କାର କାରଣ-

ବର୍ତ୍ତମାନର ବୈଶ୍ଵିକ ସ୍ଥିତି ଯୋଗୁଁ ଅଭିବୃଦ୍ଧି ହାର କମିବା ଆଶଙ୍କା କରାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ୱାର୍ ପାଇଁ ଭାରତୀୟ ଉଦ୍ୟୋଗ ଉପରେ ବଡ଼ ପ୍ରଭାବ ପଡ଼ିଛି। ବିଶେଷ କରି ଜେମ୍ସ ଆଣ୍ଡ ଜୁଏଲାରୀ ଏବଂ ଚମଡ଼ା ଶିଳ୍ପ ଉପରେ ବଡ଼ ପ୍ରଭାବ ପଡ଼ିଛି। ସେହିପରି କରେନ୍ସି ଏବଂ ଗ୍ଲୋବାଲ୍ ମାର୍କେଟ୍ ରେ ଅସ୍ଥିରତା ପାଇଁ ମଧ୍ୟ ଦେଶର ଅର୍ଥନୀତି ପ୍ରଭାବିତ ହେଉଛି।

ଏହି ଖବରଟିକୁ ପଢନ୍ତୁ- ବଜେଟ୍ ପୂର୍ବରୁ ଆସୁଥିବା ଅର୍ଥନୈତିକ ସର୍ବେକ୍ଷଣ କ'ଣ ? ଜାଣନ୍ତୁ କାହିଁକି ଗୁରୁତ୍ଵପୂର୍ଣ୍ଣ...