ନୂଆଦିଲ୍ଲୀ,୧୪/୦୬: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ମାସ ୨୭ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିବେ । ସେ ବ୍ୟାଙ୍କ ଗୁଡ଼ିକର କାର୍ଯ୍ୟଧାରା ଏବଂ ଋଣ ଯୋଗାଣ ସ୍ଥିତିର ସମୀକ୍ଷା କରିବା କରିବେ । ସେହିଭଳି ସରକାରୀ ଯୋଜନା ଗୁଡ଼ିକର କାର୍ଯ୍ୟାନ୍ୱୟନରେ ବ୍ୟାଙ୍କଗୁଡ଼ିକର ଭୂମିକା ନେଇ ମଧ୍ୟ ଏହି  ବୈଠକରେ ଆଲୋଚନା ହେବ । ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ୫୦ ବେସିସ  ପଏଣ୍ଟ ହ୍ରାସ କରିବା ପରେ ଏହା ଅର୍ଥମନ୍ତ୍ରୀଙ୍କ ପ୍ରମୁଖ ସମୀକ୍ଷା ବୈଠକ । 

ତେବେ ଆଗାମୀ ବୈଠକରେ ଅର୍ଥମନ୍ତ୍ରୀ ବ୍ୟାଙ୍କଗୁଡ଼ିକୁ ଚଳିତ ଆର୍ଥିକ ବର୍ଷ ଲାଗି ନୂଆ ଟାର୍ଗେଟ ଦେବେ । ମନ୍ଥର ଅର୍ଥନୀତିକୁ ତ୍ୱରିତ କରିବା ଲାଗି ଋଣ  ଯୋଗାଣ ଧାରାକୁ ଆହୁରି ଦୃଢ଼ କରିବା ଲାଗି  ମଧ୍ୟ ଅର୍ଥମନ୍ତ୍ରୀ ବ୍ୟାଙ୍କ ଗୁଡ଼ିକୁ ପରାମର୍ଶ ପ୍ରଦାନ କରିବେ । ଏଥିରେ କିଶାନ କ୍ରେଡିଟ କାର୍ଡ ସ୍କିମ,  ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ  ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ  ସୁରକ୍ଷା ବୀମା ଯୋଜନା, ଅଟଳ ପେନଶନ  ଯୋଜନାର ସମୀକ୍ଷା ହେବ । ରାଷ୍ଟ୍ରାୟତ୍ତ ବ୍ୟାଙ୍କ  ଗୁଡ଼ିକ ଆର୍ôଥକ ବର୍ଷ ୨୦୨୪-୨୫ରେ ରେକର୍ଡ ୧.୭୮ ଲକ୍ଷ କୋଟିର ଲାଭ ହାସଲ  କରିଥିବା ବେଳେ ଏଭଳି ସ୍ଥିତିରେ ଅର୍ଥମନ୍ତ୍ରୀଙ୍କ ସମୀକ୍ଷା ବୈଠକ ହେଉଛି ।  

ଏବେ ରେପୋ ରେଟ୍‌ ୫.୫% ସ୍ତରରେ ଥିବା ବେଳେ କ୍ୟାଶ ରିଭର୍ଜ ରେସିଓ  (ସିଆର୍‌ଆର୍‌) ୧୦୦ ବେସିସ ପଏଣ୍ଟ ହ୍ରାସ ହୋଇ ୩% ସ୍ତରରେ ରହିଛି । ସିଆର୍‌ଆର୍‌ର ପରିବର୍ତ୍ତିତ ନିଷ୍ପତ୍ତି ପର୍ଯ୍ୟାୟ ଭିତ୍ତିରେ କାର୍ଯ୍ୟକାରୀ ହେବାକୁ ଯାଉଛି ।  ଏହା ଦ୍ୱାରା ବଜାର ବ୍ୟବସ୍ଥାକୁ ୨.୫ ଲକ୍ଷ କୋଟି ଟଙ୍କା ଆସିବ । ଫଳରେ ବ୍ୟାଙ୍କିଙ୍ଗ  ବ୍ୟବସ୍ଥାରେ ନଗଦ ଏବଂ ଏହା ଋଣ ଯୋଗାଣକୁ ତ୍ୱରାନ୍ୱିତ କରିବାରେ ସହାୟକ  ହେବ । ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ୬ ଜଣିଆ  ମୁଦ୍ରାନୀତି କମିଟି ରେପୋ ରେଟ୍‌ ହ୍ରାସ ନେଇ ଭୋଟ କରିଥିଲେ । ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନେଇଛି ଆର୍‌ବିଆଇ ।  ରେପୋ ରେଟ୍‌ ହ୍ରାସ ପରେ ଏହା ୪ ବର୍ଷର ସର୍ବନିମ୍ନ ସ୍ତରକୁ ହ୍ରାସ ହୋଇଛି ।