ନୂଆଦିଲ୍ଲୀ : ବେଙ୍ଗାଲୁରୁର ୟେଲାହାଙ୍କା ଏୟାର ବେସ୍‌ରେ ଆଜି ଠାରୁ ଏସିଆର ସବୁଠୁ ବଡ଼ ଏୟାର ଶୋ ‘ ଏୟାରୋ ଇଣ୍ଡିଆ’ ଆରମ୍ଭ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାର ଉଦ୍ଘାଟନ କରିଛନ୍ତି। ଏହି ପ୍ରତିଷ୍ଠିତ ଏୟାର ଶୋ’ର ଏହା ୧୫ତମ ସଂସ୍କରଣ। ଚଳିତ ଥର ଏହା ସ୍ୱତନ୍ତ୍ର ଏଥିପାଇଁ ଯେ, ଏଥିରେ ଅନେକ ଦୁର୍ଲଭ ଦୃଶ୍ୟ ଦେଖିବାକୁ ମିଳୁଛି। କଟ୍ଟର ପ୍ରତିଦ୍ୱନ୍ଦ୍ୱୀ ଦେଶ ରୁଷ୍‌ ଓ ଆମେରିକାର ଷ୍ଟେଲଥ୍ ଫାଇଟର ଜେଟ୍‌ ପ୍ରଥମ ଥର ଏକାଠି ଓ ସାମ୍ନା ସାମ୍ନି ନଜର ଆସିଛନ୍ତି। ଏୟାର ଶୋ’ର ଭିଡ଼ିଓ ମଧ୍ୟ ସାମନାକୁ ଆସିଛି, ଯେଉଁଥିରେ ରୁଷୀୟ ଫାଇଟର ଜେଟ୍‌ ଏସୟୁ-୫୭ ଏୟାର ବେସ୍‌ରୁ ଟେକ୍‌ ଅଫ୍‌ କରିବା ଦେଖିବାକୁ ମିଳୁଛି। ଏକ ଫଟୋରେ ଆମେରିକା ଓ ରୁଷ୍‌ର ସବୁଠୁ ହାଇଟେକ୍‌ ଫାଇଟର ଜେଟ୍‌ ଗୋଟିଏ ଫ୍ରେମ୍‌ରେ ଠିଆ ହେବାର ଦେଖିବାକୁ ମିଳୁଛି। 

ରୁଷୀୟ Su-57 ‘Felon’ ଓ ଆମେରିକୀୟ F-35 ‘Lightining II’ ଦୁନିଆର ସବୁଠୁ ଉନ୍ନତ ୫ମ ପିଢିର ଫାଇଟର ବିମାନ ଭାବେ ଜଣାଶୁଣା। ଏହି ଦୁଇ ଫାଇଟର ଜେଟ୍‌ ଏହି ଶୋ’ର ଅଂଶ ବିଶେଷ। ଏହି ବୈଶ୍ୱିକ ପ୍ରତିରକ୍ଷା ସହଯୋଗ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଉପଲବଧି ଏବଂ ଆଭିଏସନ ପ୍ରେମିଙ୍କ ପାଇଁ ଏକ ରୋମାଞ୍ଚକ ଅନୁଭବ ମଧ୍ୟ । ଏହି ଅଦ୍ଭୁତ ଦୃଶ୍ୟର ମଜା କେବଳ ଭାରତୀୟ ମାଟିରେ ଦେଖିବାକୁ ମିଳୁଛି। Su-57 ଓ F-35  ଚାରି ଦିନ ଯାଏ ଡେଲି ଏରିୟଲ ଡିସପ୍ଲେରେ ଭାଗ ନେବେ।

ସୋସିଆଲ ମିଡ଼ିଆରେ ଏୟାର ଶୋ'ର ଅନେକ ଭିଡ଼ିଓ ସାମନାକୁ ଆସିଛି। ଯେଉଁଥିରେ Su-57କୁ ୟେଲାହାଙ୍କା ଏୟାର ବେସ୍‌କୁ ଟେକ୍‌-ଅଫ୍‌ କରିବାର ଦେଖାଯାଇଛି। ପାଇଲଟ ବିମାନକୁ ଭର୍ଟିକଲ କ୍ଲାଇମ୍ୱ କରି ସର୍କୁଲାର ଲୁପ୍‌ ପୂରା କରିଛି। ଏଥିରେ ବିମାନ ପ୍ରଥମେ ସିଧା ଉପରକୁ ଯାଏ , ପୁଣି ଏକ ପୂରା ଚକ୍ର କରି ପୁଣି ଫ୍ଲାଇଟ୍‌ ଲେବଲରେ ଆସେ। ଏକ ଟିତ୍ରରେ ଆମେରିକୀୟ ଓ ରୁଷୀୟ ଷ୍ଟେଲଥ୍‌ ଫାଇଟର ଜେଟ୍‌ ଗୋଟିଏ ହିଁ ଫ୍ରେମ୍‌ରେ ଠିଆ ହେବାର ଦେଖିବାକୁ ମିଳୁଛି। ଏହି ଫଟୋରେ ଉଭୟ ବିମାନର କ୍ରୁ ପରସ୍ପରକୁ ଦେଖୁଛନ୍ତି ଏବଂ ନିଜ ନିଜର ଜେଟ୍‌ର ଫଟୋ ନେଉଛନ୍ତି। 

ଏୟାର ଇଣ୍ଡିଆ ୨୦୨୫ ର ଆରମ୍ଭର ଗୋଟିଏ ଦିନ ପୂର୍ବରୁ ଭାରତୀୟ ବାୟୁସେନା ପ୍ରମୁଖ, ଏୟାର ଚିଫ୍‌ ମାର୍ଶଲ ଏପି ସିଂହ ଓ ସ୍ଥଳସେନା ପ୍ରମୁଖ , ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ତେଜସ ଫାଇଟର ବିମାନରେ ଏକ ରୋମାଞ୍ଚକର ଉଡ଼ାଣ ଭରିଥିଲା। ଏହି ଐତିହାସିକ କ୍ଷଣରେ ବାୟୁସେନା ପ୍ରମୁଖ ସ୍ଥଳସେନା ପ୍ରମୁଖଙ୍କୁ ତେଜସରେ ଉଡ଼ାଇ ଥିଲେ।