ରାଜନଗର,୨୦/୧୧: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନକୁ ବିଦେଶୀ ପକ୍ଷୀଙ୍କ ଆଗମନ ହେଲାଣି । ଶୀତ ଋତୁ ଆରମ୍ଭରେ ବିଦେଶୀ ପକ୍ଷୀଙ୍କ କଳରବରେ ଭିତରକନିକା ମୁଖରିତ ହୋଇ ଉଠିଲାଣି । ଜାତୀୟ ଉଦ୍ୟାନର ଗହୀରମଥା, ବିଭିନ୍ନ ଜଳାଶୟ ତଥା ପାଣି ଜମି ରହୁଥିବା ସ୍ଥାନମାନଙ୍କରେ ହଜାର ହଜାର ସଂଖ୍ୟାରେ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀ ରହିଲେଣି । ବିଶେଷକରି ପୁରୁଣା ସାତଭାୟାରେ ବହୁ ସଂଖ୍ୟାରେ ବିଦେଶୀ ପକ୍ଷୀଙ୍କ ସମାଗମ ହେବାରେ ଲାଗିଛି । 

ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ପକ୍ଷୀମାନଙ୍କର ଭୂସ୍ୱର୍ଗ ଭାବେ ପରିଚିତ । ଜାତୀୟ ଉଦ୍ୟାନର ମଠଆଡ଼ିଆ, ସାତଭାୟା, ଗହୀରମଥା, ମଙ୍ଗଳାଡିଆ, ହଂସିଣା, ରାଇପାଟିଆ, ଜଉଦିଆ, ଗୋଜ, ଦୁର୍ଗାପ୍ରସାଦଡିଆ, ଚିଞ୍ଚିରୀ ମୁହାଣ, ବରୁଣେଇ ମୁହାଣ, ଧାମରା ମୁହାଣ, ଜଟାଧାରୀ ମୁହାଣ, ରାଜନଗର ବନଖଣ୍ଡ ଅଧୀନ ପାରାଦୀପ ପିପିଏଲ୍‌ ପାଉଁଶ ପୋଖରୀରେ ହଜାର ହଜାର ସଂଖ୍ୟାରେ ବିଦେଶୀ ପକ୍ଷୀ ରହିଲେଣି । ଶୀତ ଆରମ୍ଭରେ ବିଦେଶୀ ପକ୍ଷୀଙ୍କ ଆଗମନ ପର୍ଯ୍ୟଟକମାନଙ୍କ ମନରେ ଖୁସି ଭରି ଦେଉଛି । ଏହି ଅଞ୍ଚଳରେ ସେମାନଙ୍କ ଉପଯୋଗୀ ଛୋଟ ଛୋଟ ମାଛ, କଙ୍କଡ଼ା, ପୋକଜୋକ, ଗେଣ୍ଡା ପ୍ରଚୁର ପରିମାଣରେ ଉପଲବ୍ଧ ହେଉଥିବାରୁ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏ ସେମାନଙ୍କ କଳରବରେ ସଂପୃକ୍ତ ଅଞ୍ଚଳ ମୁଖରିତ ହୋଇଉଠୁଛି । ବନ ବିଭାଗ ପକ୍ଷରୁ ସେମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ସୁରକ୍ଷା ଦଳ ଗଠନ କରିବାକୁ ପ୍ରକୃତି ପ୍ରେମୀ ଓ ପରିବେଶବିତ୍‌ମାନେ ଦାବି କରିଛନ୍ତି । 

ସୂଚନାଯୋଗ୍ୟ, ପକ୍ଷୀ ସମୂହ ପାଇଁ ଭିତରକନିକା ଜାତୀୟ ଉଦ୍ୟାନକୁ ୨୦୦୨ ମସିହାରେ ରାମସ୍‌ର୍‌ ସାଇଟ୍‌ ମାନ୍ୟତା ମିଳିଥିଲା । ଅଧିକ ଶୀତ ଓ ଖାଦ୍ୟାଭାବରୁ ନିଜକୁ ରକ୍ଷା କରିବା ପାଇଁ ଏହି ପକ୍ଷୀମାନେ ହଜାର ହଜାର କିଲୋମିଟର ପଥ ଅତିକ୍ରମ କରି ଭାରତକୁ ଆସିଥାନ୍ତି । ଶୀତଋତୁ ଆରମ୍ଭରେ ଏହି ପକ୍ଷୀମାନେ ଭିତରକନିକାକୁ ଆସନ୍ତି ଓ ଗ୍ରୀଷ୍ମଋତୁ ଆରମ୍ଭରେ ଫେରି ଯାଇଥାନ୍ତି ।