ନୂଆଦିଲ୍ଲୀ,୦୫/୦୯: ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ନିକଟରେ ପୁଟିନ୍ ଓ ଜେଲେନସ୍କିଙ୍କ ସହ ସାକ୍ଷାତ କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହେଲେ କିଛି ଠୋସ୍ ନିଷ୍କର୍ସ ବାହାରି ପାରିଲା ନାହିଁ । ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଝଟକା ଲାଗିବାକୁ ଯାଉଛି । ଟ୍ରମ୍ପ ନୁହଁନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ୍ରେ ଶାନ୍ତି ଆଣିବେ ! ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର ତାଙ୍କ ୟୁକ୍ରେନୀୟ ପ୍ରତିପକ୍ଷ ଆଣ୍ଡ୍ରେ ସିବିହାଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ସେ କହିଛନ୍ତି ଯେ ଭାରତ ୟୁକ୍ରେନ-ରୁଷ ବିବାଦକୁ ଶୀଘ୍ର ସମାପ୍ତ କରିବାକୁ ସମର୍ଥନ କରୁଛି ।
ଦୁଇ ବୈଦେଶିକ ମନ୍ତ୍ରୀ ଏକ ଫୋନ୍ ବାର୍ତ୍ତାଳାପ ସମୟରେ ସଂଘର୍ଷର ସମାପ୍ତି ଉପରେ ଆଲୋଚନା କରିଛନ୍ତି । ଜୟଶଙ୍କର ଟ୍ୱିଟରରେ କହିଛନ୍ତି, "ଆମର ଦ୍ୱିପାକ୍ଷିକ ସହଯୋଗ ଏବଂ ୟୁକ୍ରେନ ବିବାଦ ଉପରେ ଆଲୋଚନା ହୋଇଥିଲା । ଭାରତ ଏହି ସଂଘର୍ଷର ଶୀଘ୍ର ସମାପ୍ତି ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠାକୁ ସମର୍ଥନ କରୁଛି । ସେହିପରି ସିବିହା କହିଛନ୍ତି ଯେ, ''ସେ ଜୟଶଙ୍କରଙ୍କୁ ଯୁଦ୍ଧର ବର୍ତ୍ତମାନର ସ୍ଥିତି ଏବଂ ଏକ ନ୍ୟାୟପୂର୍ଣ୍ଣ ଶାନ୍ତି ହାସଲ ପାଇଁ ୟୁକ୍ରେନର ପ୍ରୟାସ ବିଷୟରେ ସୂଚନା ଦେଇଛନ୍ତି । ଆମେ ଯୁଦ୍ଧର ସମ୍ପୂର୍ଣ୍ଣ ବନ୍ଦ ଏବଂ ବ୍ୟାପକ ଅନ୍ତର୍ଜାତୀୟ ଶାନ୍ତି ପ୍ରୟାସକୁ ସମର୍ଥନ କରିବାରେ ଭାରତର ଅଧିକାରିକ ସ୍ୱର ଏବଂ ସକ୍ରିୟ ଭୂମିକା ଉପରେ ବିଶ୍ୱାସ କରୁ ।'' ଭାରତ ସପକ୍ଷରେ ୟୁକ୍ରେନର ଏହି ବୟାନ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଝଟକା ଲାଗିପାରେ ।
ଜାତିସଂଘ ସାଧାରଣ ପରିଷଦ ବୈଠକରେ ସାକ୍ଷାତ କରିବାକୁ ରାଜି- ୟୁକ୍ରେନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ସେ ଏବଂ ଜୟଶଙ୍କର ଚଳିତ ମାସ ଶେଷରେ ଜାତିସଂଘ ସାଧାରଣ ପରିଷଦରେ ସାକ୍ଷାତ କରିବାକୁ ରାଜି ହୋଇଛନ୍ତି । ଆମେ ନ୍ୟୁୟର୍କରେ ଜାତିସଂଘ ସାଧାରଣ ପରିଷଦର ସାକ୍ଷାତ କରି ରାଜନୈତିକ ଆଲୋଚନା, ଆଗାମୀ ଉଚ୍ଚସ୍ତରୀୟ ଯୋଗାଯୋଗ, ଅର୍ଥନୈତିକ ସହଯୋଗ, ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ କ୍ଷେତ୍ର ଦିଗରେ ଆମର ଦ୍ୱିପାକ୍ଷିକ ସମ୍ପର୍କର ବିକାଶ ଜାରି ରଖିବାକୁ ରାଜି ହୋଇଛୁ ।
ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ଦିଗରେ ପଦକ୍ଷେପ- ଚୀନର ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ (SCO)ର ବାର୍ଷିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବାର ତିନି ଦିନ ପରେ ଜୟଶଙ୍କର-ସିବିହାଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏସ୍ସିଓ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କୁ କହିଥିଲେ ଯେ, ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ପାଇଁ ସାମ୍ପ୍ରତିକ ସମସ୍ତ ପ୍ରୟାସକୁ ଭାରତ ସ୍ୱାଗତ କରେ । ଯଥାଶୀଘ୍ର ସମ୍ଭବ ସଂଘର୍ଷର ଅନ୍ତ କରିବାର ଉପାୟ ଖୋଜିବାକୁ ମାନବତାର ଆହ୍ୱାନ ବୋଲି କହିଥିଲେ ।