ନୂଆଦିଲ୍ଲୀ,୨୦/୧୨: ହିଂସା ନିଆଁରେ ଜଳୁଥିବା ମଣିପୁରକୁ ବିଦେଶୀଙ୍କ ପ୍ରବେଶ ଉପରେ ରୋକ ଲାଗିଛି । ମଣିପୁରକୁ ଆଉ ବିଦେଶୀ ଆସିପାରିବେ ନାହିଁ । କେବଳ ମଣିପୁର ନୁହେଁ ମିଜୋରାମ,ନାଗାଲାଣ୍ଡକୁ ମଧ୍ୟ ବିଦେଶୀଙ୍କ ଏଣ୍ଟ୍ରୀ ଉପରେ ରୋକ ଲାଗିଛି । ୩ ରାଜ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦେଶୀଙ୍କ ପ୍ରବେଶ ଉପରେ ରୋକ ଲଗାଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ୧୩ ବର୍ଷ ପୁରୁଣା ନିୟମ ଲାଗୁ ହୋଇଛି ।
ପଡୋଶୀ ଦେଶରୁ ଆସୁଥିବା ବିଦେଶୀଙ୍କ ପାଇଁ ରାଜ୍ୟରେ ଅସୁରକ୍ଷିତ ପରିସ୍ଥିତି ସୃଷ୍ଟି ହେଉଛି । ଏହାକୁ ଗୁରୁତ୍ବ ଦେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଣିପୁର ସମେତ ନାଗାଲାଣ୍ଡ ଓ ମିଜୋରାମକୁ ବିଦେଶୀଙ୍କ ପ୍ରବେଶ ଉପରେ ରୋକ ଲଗାଇଛନ୍ତି । ଏ ନେଇ ରାଜ୍ୟରେ ୧୩ ବର୍ଷ ପୁରୁଣା ନିୟମ ପ୍ରୋଟେକ୍ଟଡେ ଏରିଆ ରେଜିମେନ ବା ସଂରକ୍ଷିତ ଅଞ୍ଚଳ ପରମିଟ୍ ଲାଗୁ ହୋଇଛି ।
ରାଜ୍ୟରେ ପିଏଆର ପୁଣି ଲାଗୁ ହୋଇଛି । ୧୩ ବର୍ଷ ପରେ ଏହି ନିୟମ ପୁଣି ଲାଗୁ ହେବା ଫଳରେ ମଣିପୁର ଆସୁଥିବା ବିଦେଶୀଙ୍କ ଆଗମନ ଉପରେ କଡା ନଜର ରଖାଯିବ । ସେମାନଙ୍କୁ (ସଂରକ୍ଷିତ କ୍ଷେତ୍ର) ଆଦେଶ ୧୯୫୮ ଅନୁରୂପ ଆବଶ୍ୟକୀୟ ସଂରକ୍ଷିତ କ୍ଷେତ୍ର ପରମିଟ ପ୍ରାପ୍ତ କରିବାକୁ ହେବ । ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁସାରେ ମଣିପୁର, ନାଗାଲାଣ୍ଡ ଏବଂ ମିଜେରାମରେ ସଂରକ୍ଷିତ କ୍ଷେତ୍ର ପରିମିଟ ବ୍ୟବସ୍ଥାକୁ ପୁଣି ଲାଗୁ କରାଯାଇଛି ।
ପୂର୍ବୋତ୍ତର ରାଜ୍ୟ ମଣିପୁରରେ ୨୦୨୩ ମେ ମାସରୁ ହିଂସା ଲାଗି ରହିଛି । ଏଥିରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୧୦୦୦ରୁ ଅଧିକ ଲୋକ ବାସହରା ହୋଇଛନ୍ତି । କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଜାତି ବିବାଦ ଯୋଗୁଁ ବର୍ଷେ ହେବ ଜଳୁଛି ମଣିପୁର । ରାଜ୍ୟରେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ।