ଭୁବନେଶ୍ୱର,୦୩/୦୧(ମୁକେଶ ପରିଡ଼ା): ସବୁ ପ୍ରସ୍ତୁତ । ଖାଲି ସବୁଜ ସଙ୍କେତ ମିଳିଲେ, ପ୍ରକଳ୍ପ ଦୌଡ଼ିବ । କିନ୍ତୁ, ଜଙ୍ଗଲ ମନ୍ତ୍ରଣାଳୟର କ୍ଲିଅରାନ୍ସ ଲଟକିଛି, ମିଳୁନାହିଁ । ଏଥିପାଇଁ ଟେଣ୍ଡର ଖୋଲିପାରୁନି । ଅଟକି ପଡ଼ିଛି ବହୁପ୍ରତୀକ୍ଷିତ ଭୁବନେଶ୍ୱର-କଟକ ବାଇପାସ୍ ବା କ୍ୟାପିଟାଲ ରିଜନ ରିଙ୍ଗରୋଡ୍ ପ୍ରକଳ୍ପ । ଜଙ୍ଗଲ କ୍ଲିଅରାନ୍ସ ନ ମିଳିବା ପର୍ଯ୍ୟନ୍ତ ହାତ ବାନ୍ଧି ବସି ରହିବେ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ।

୨୦୧୫ରେ କ୍ୟାପିଟାଲ ରିଜନ ରିଙ୍ଗରୋଡ୍ ପ୍ରକଳ୍ପର ପରିକଳ୍ପନା ହୋଇଥିଲା, ଯେବେ ଭୁବନେଶ୍ୱରରେ ଭାରତୀୟ ସଡ଼କ କଂଗ୍ରେସ ଅଧିବେଶନ ବସିଥିଲା । ଏହି ମେଗା ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଫିଟିବ ନୂଆ ଗ୍ରୀନ୍ ଫିଲ୍ଡ ଭୁବନେଶ୍ୱର-କଟକ ବାଇପାସ୍ । ଗତ ଅଗଷ୍ଟ ୧୯ରେ ଓଡ଼ିଶା ପାଇଁ ବଡ଼ ଉପହାର ଭେଟି ଦେଇ ମୋଦି କ୍ୟାବିନେଟ ଏ ପ୍ରକଳ୍ପକୁ ମଞ୍ଜୁରି ଦେଇଥିଲା । ପ୍ରସ୍ତାବିତ ୬ ଲେନ୍ ବିଶିଷ୍ଟ ଏହି ସଡ଼କ ପାଇଁ ଖର୍ଚ୍ଚ ହେବ ୮୩୦୭ କୋଟି ୭୪ ଲକ୍ଷ ଟଙ୍କା । ନିର୍ମାଣ ହେବ ୧୧୦ କିମି ୮୭୫ ମିଟର ବିଶିଷ୍ଟ ଏକପ୍ରେସ ୱେ । ସଡ଼କ ନିର୍ମାଣରେ ୪୬୮୭ କୋଟି ଓ ଜମି ଅଧିଗ୍ରହଣରେ ୧୦୨୯ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

ପ୍ରକଳ୍ପ ପାଇଁ ୨୦୨୪ ନଭେମ୍ବରରେ ଟେଣ୍ଡର ଆହ୍ୱାନ ହୋଇଥିଲା । ବିଭିନ୍ନ ମନ୍ତ୍ରଣାଳୟ ଓ କମିଟିର ଅନୁମୋଦନ ଓ ସର୍ତ୍ତାବଳୀ ଯୋଗୁ ଟେଣ୍ଡର ଖୋଲି ପାରିନଥିଲା । ଏବେ ସବୁ ଅନୁମୋଦନ ମିଳିସାରିଥିବାବେଳେ ଜଙ୍ଗଲ କ୍ଲିଅରାନ୍ସକୁ ଅପେକ୍ଷା ରହିଛି । ମିଳିଥିବା ସୂଚନା ଅନୁସାରେ ଏହି ପ୍ରସ୍ତାବିତ ସଡ଼କ ରୁଟରେ ଚନ୍ଦକା ଅଭୟାରଣ୍ୟ ଓ କପିଳାସ ଜଙ୍ଗଲ ରହିଛି । ଚନ୍ଦକା ଅଭୟାରଣ୍ୟରୁ ପ୍ରାୟ ୧ କିମି ଦୂରରେ ଏହି ରାସ୍ତା ଯିବା ପ୍ରସ୍ତାବ ରହିଛି । ମାତ୍ର କପିଳାସ ଜଙ୍ଗଲକୁ ନେଇ କିଛି କେଁ ରହିଛି । କପିଳାସ ଜଙ୍ଗଲ ଉପରେ ସୁଉଚ୍ଚ ଫ୍ଲାଏଓଭର ଦେଇ ଏହି ସଡ଼କ ଯାଇପାରେ । ଏହାକୁ ନେଇ ଜଙ୍ଗଲ ମନ୍ତ୍ରାଳୟର ବିଶେଷଜ୍ଞ ଟିମ୍ ବିଚାର ବିମର୍ଶ କରୁଥିବା କୁହାଯାଉଛି । ଓଡ଼ିଶା ଏନ୍ଏଚ୍ଏଆଇ ଶାଖାର ମୁଖ୍ୟ ବୀରେନ୍ଦ୍ର ସିଂହ କହିଛନ୍ତି, ଆମେ ଆବେଦନ କରିଛୁ । ମାତ୍ର ଏଯାଏଁ ଜଙ୍ଗଲ ମନ୍ତ୍ରଣାଳୟର କ୍ଲିଅରାନ୍ସ ମିଳିନି । କ୍ଲିଅରାନ୍ସ ନ ମିଳିବା ପର୍ଯ୍ୟନ୍ତ ପ୍ରକଳ୍ପର ଟେଣ୍ଡର ବିଡ୍ ଖୋଲା ଯାଇପାରିବନି । ରାଜ୍ୟ ଜଙ୍ଗଲ ବିଭାଗ ଅଧିକାରୀ କହିଛନ୍ତି, ଏ ନେଇ ସରକାର ଆଲୋଚନା ଚଳାଇଛନ୍ତି । ସବୁ କିଛି ସକାରାତ୍ମକ ରହିଛି । ଡବଲ୍ ଇଞ୍ଜିନ ସରକାରରେ ଖୁବଶୀଘ୍ର ଅନୁମୋଦନ ମିଳିବ ।

ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ପୂରା ପ୍ରକଳ୍ପକୁ ୩ଟି ପ୍ୟାକେଜ କରାଯାଇଛି । ପ୍ୟାକେଜ୍-୧ରେ ଖୋର୍ଦ୍ଧା ରାମେଶ୍ୱରଠାରୁ ବାଙ୍କୀ ପାଖ ବିଲିପଡ଼ା ପର୍ଯ୍ୟନ୍ତ ୪୦ କିମି, ପ୍ୟାକେଜ୍-୨ରେ ବିଲିପଡ଼ାରୁ ଗୋବିନ୍ଦପୁରକୁ ୩୦ କିମି, ପ୍ୟାକେଜ-୩ରେ ଗୋବିନ୍ଦପୁରରୁ ଟାଙ୍ଗୀ ବନ୍ଦାଳ ଟୋଲ ପ୍ଲାଜା (ଏନଏଚ୍-୧୬) ପର୍ଯ୍ୟନ୍ତ ପ୍ରାୟ ୪୦ କିମି ରାସ୍ତା ନିର୍ମାଣ ପ୍ରସ୍ତାବ ଅଛି । ଗତବର୍ଷ ମେ’ ମାସରେ ଏହି ପ୍ରକଳ୍ପର ଡିଜାଇନକୁ କେନ୍ଦ୍ର ରାଜମାର୍ଗ ମନ୍ତ୍ରଣାଳୟର ଅନୁମୋଦନ ମିଳିଥିଲା । ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ସରିଛି । କାହାଠାରୁ କେତେ ଜମି ଅଧିଗ୍ରହଣ ହେବ, କେତେ କ୍ଷତିପୂରଣ ରାଶି ପ୍ରଦାନ କରାଯିବ, ତାହା ସ୍ଥିର ହୋଇସାରିଛି । ଖୁବଶୀଘ୍ର ଏ ବାବଦ ଅର୍ଥ ବଣ୍ଟନ ଆରମ୍ଭ ହେବ ।

ଏହି ପ୍ରକଳ୍ପ ହାଇବ୍ରିଡ୍ ଆନୁଇଟି ମୋଡ୍ (ଏଚ୍ଏଏମ୍) ମାଧ୍ୟମରେ ନିର୍ମାଣ କରାଯିବ । ଅର୍ଥାତ୍ ଟେଣ୍ଡରଧାରୀ ଘରୋଇ ସଂସ୍ଥା ଓ କେନ୍ଦ୍ର ସରକାର ମିଳିତ ଭାଗିଦାରୀରେ ଏହି ସଡ଼କ ନିର୍ମାଣ ପାଇଁ ଖର୍ଚ୍ଚ କରିବେ । ଏହି ନୂଆ ରାଜମାର୍ଗ ଏନ୍ଏଚ୍-୫୫ (କଟକ-ସମ୍ବଲପୁର), ଏନ୍ଏଚ୍ ୫୭ (ଖୋର୍ଦ୍ଧା-ବଲାଙ୍ଗିର), ଏନ୍ଏଚ୍ ୬୫୫ (ଖୁଣ୍ଟୁଣୀ-ଅନୁଗୁଳ), ଏନ୍ଏଚ୍-୧୬ (ଖୋର୍ଦ୍ଧା-କଟକ ଟାଙ୍ଗୀ) ସହ ରାଜ୍ୟ ରାଜପଥ-୬୫ (ବଡ଼ମ୍ବା ଦେଇ ଯାଇଥିବା) କୁ ସଂଯୋଗ କରିବ । ଏହି କରିଡର ୧୦ଟି ଆର୍ଥିକ କେନ୍ଦ୍ର, ୪ଟି ସାମାଜିକ କେନ୍ଦ୍ର ଓ ୫ଟି ଲଜିଷ୍ଟିକ କେନ୍ଦ୍ରକୁ ଯୋଡ଼ିବ । ପ୍ରମୁଖ ରେଳ ଷ୍ଟେସନ, ବିମାନବନ୍ଦର, ବହୁମୁଖୀ ଲଜିଷ୍ଟିକ ପାର୍କ ଓ ୨ଟି ପ୍ରମୁଖ ବନ୍ଦରକୁ ସଡ଼କ ସଂଯୋଗ କରିବ । ପ୍ରସ୍ତାବିତ ସଡ଼କ ଖୋର୍ଦ୍ଧା ରାମେଶ୍ୱରରୁ ବାହାରି ସାରୁଅ ପାଖ ଦେଇ ବାଙ୍କୀ ବିଲିପଡ଼ା ଦେଇ ମହାନଦୀ ପାର୍ କରିବ । ମହାନଦୀ ଉପରେ ଏକ ବଡ଼ ସେତୁ ନିର୍ମାଣ ହେବ । ଆଠଗଡ଼ ଶଙ୍କରପୁର, ସପ୍ତଶଯ୍ୟା ପାଖ ଦେଇ ଢେଙ୍କାନାଳ ଗୋବିନ୍ଦପୁର ଦେଇ କଟକ ଟାଙ୍ଗୀ ବନ୍ଦାଳଠାରେ ଏନ୍ଏଚ୍ ୧୬କୁ ଛୁଇଁବ । ଏହି ସଡ଼କ ନିର୍ମାଣ ହେଲେ କଟକ ଓ ଭୁବନେଶ୍ୱର ସହର ମଧ୍ୟରେ ଟ୍ରାଫିକ ଭିଡ଼ ହ୍ରାସ ପାଇବ ।