ଭୁବନେଶ୍ୱର/ସେମିଳିଗୁଡ଼ା, ୨୬।୧୨: ଆୟ ବହିର୍ଭୁତ ସମ୍ପତ୍ତି ଠୂଳ ଅଭିଯୋଗରେ ଗିରଫ ହେଲେ ବନ ଅଧିକାରୀ । କୋରାପୁଟ ବନ ମଣ୍ଡଳ ଅଧୀନ ସେମିଲିଗୁଡ଼ା ବନ ରେଞ୍ଜର ଫରେଷ୍ଟର ନିରଞ୍ଜନ ଶତପଥୀଙ୍କୁ ଗିରଫ କଲା ଭିଜିଲାନ୍ସ । ନିରଞ୍ଜନଙ୍କୁ ଭୁବନେଶ୍ୱରର ବିଶେଷ ଭିଜିଲାନ୍ସ ଜଜ୍ କୋର୍ଟରେ ହାଜର କରାଯିବ । 

ସୂଚନାନୁସାରେ, ଭିଜିଲାନ୍ସ ଦ୍ୱାରା କରାଯାଇଥିବା ଚଢ଼ାଉ ସମୟରେ ଶ୍ରୀ ଶତପଥୀଙ୍କ ନାଁରେ ଭୁବନେଶ୍ୱରରେ ୨ଟି ଆଲିସାନ କୋଠା ଓ କୋରାପୁଟରେ ଗୋଟିଏ ବିଳାସମୟ କୋଠା, ୭ ପ୍ଲଟ୍, କେଜିଏ ସୁନା, ୬୬.୪୨ ଲକ୍ଷ ଟଙ୍କା ବ୍ୟାଙ୍କ ଜମା, ୯.୨୮ ଲକ୍ଷ ଟଙ୍କା ନଗଦ ଟଙ୍କା, ଗୋଟିଏ ଚାରିଚକିଆ ଗାଡ଼ି ଇତ୍ୟାଦି ଜବତ କରାଯାଇଛି । ଶୁକ୍ରବାର ଭୁବନେଶ୍ୱର  ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍‌ ଫରେଷ୍ଟର ଶ୍ରୀ ଶତପଥୀଙ୍କ ଭୁବନେଶ୍ୱର ଓ ସେମିଳିଗୁଡ଼ା ବାସଭବନ ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା । ନିରଞ୍ଜନ ପୁଳା ପୁଳା ବିଦେଶୀ ମୁଦ୍ରା ଲକରରେ ରଖିଛନ୍ତି । ସେ ୟୁଏସ୍‌, ଇଣ୍ଡୋନେସିଆ, ଥାଇଲାଣ୍ଡ, ହଂକଂ, ଭିଏତନାମ୍‌, ମାଲେସିଆର ମୁଦ୍ରା ଲକରରେ ସାଇତିଥିଲେ । ବିଟକଏନ୍‌ରେ ୧.୬୬ ଲକ୍ଷ ଟଙ୍କା ବିନିଯୋଗ କରିଛନ୍ତି ଶ୍ରୀ ଶତପଥୀ । ଏପରିକି ଠାକୁରଘରୁ ବି ପୁଳାପୁଳା ଟଙ୍କା ମିଳିଥିଲା । ଏଥିସହ ବହୁ ଦାମୀ ଘଣ୍ଟା, ଲକ୍ଷଲକ୍ଷ ଟଙ୍କାର  ଶାଗୁଆନ କାଠ ମୂର୍ତ୍ତି, ୨୦ ଲକ୍ଷ ଟଙ୍କାର ଝୁମର ଦେଖି  ତାଜୁବ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ । ଭିଜିଲାନ୍ସ  ଆକଳନ ଜାରି ରହିଥିବା ବେଳେ ଜବତ ସମ୍ପତ୍ତିର ମୂଲ୍ୟ ୬ କୋଟିକୁ ଟପିଯିବ ବୋଲି ଜଣାପଡ଼ିଛି । ଏହି ସମ୍ପତ୍ତିର ସଠିକ୍ ହିସାବ ଦେଇପାରିନଥିବାରୁ ନିରଞ୍ଜନଙ୍କ ବିରୋଧରେ ଭୁବନେଶ୍ୱର ଭିଜିଲାନ୍ସ ଥାନାର କେସ୍ ନମ୍ବର ୩୧/୨୦୨୫ ରୁଜୁ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ କଳା ସାମ୍ରାଜ୍ୟରେ ଭିଜିଲାନ୍ସ ଆଜି ପଞ୍ଝା ପକାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ... ପ୍ଲଟ୍ ପ୍ରେମୀ ଫରେଷ୍ଟର... ଭିଜିଲାନ୍ସ ରେଡ୍ ବେଳେ ଘରୁ ମିଳିଲା ୧ କିଲୋ ସୁନା ଓ ବିଦେଶୀ ନୋଟ୍

ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ୮୧୦୦ ବର୍ଗ ଫୁଟ୍‌ର ୨ଟି ବିଳାସପୂର୍ଣ୍ଣ କୋଠାରେ ତନାଘନା କରିଥିଲା ୨ଟି ଟିମ୍‌ । ୨ଟି ଯାକ ତିନି  ମହଲା ବିଶିଷ୍ଟ ରାଜପ୍ରାସଦ ଭଳି ଅଟ୍ଟାଳିକା । ଗୋଟିଏ ଝାରପଡ଼ାର ପ୍ଲଟ୍‌ ନଂ ୪୦୮/୨୩୯୦/୬୩୮୮ରେ ଥିବା ବେଳେ ଅନ୍ୟଟି ୪୦୮/୨୩୯୦/୬୨୭୪ରେ ଗଢ଼ାଯାଇଛି । ଆଲିସାନ କୋଠା ତିଆରିରେ ପ୍ରାୟ ୨-୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବ ବୋଲି ଭିଜିଲାନ୍ସ ଅନୁମାନ କରୁଛି । କୋଠାରେ ଅନେକ ମୂଲ୍ୟବାନ ଧାତୁରେ ତିଆରି ମୂର୍ତ୍ତି ରଖାଯାଇଛି । ଏହାବାଦ୍‌ ତାଙ୍କର କୋରାପୁଟ ସେମିଳିଗୁଡ଼ାରେ ୧୨୫୦ ବର୍ଗଫୁଟ୍‌ରେ ଏକ ପୈତୃକ ଘର ନିର୍ମାଣ କରିଛନ୍ତି । ସେ ୭ଟି ବହୁମୂଲ୍ୟ ପ୍ଲଟ୍‌ କିଣିଛନ୍ତି । ସେଥିରୁ ଭୁବନେଶ୍ୱରରେ ୨ଟି, ଜଗତସିଂପୁରରେ ୪ଟି ଓ ସେମିଳିଗୁଡ଼ାରେ ଗୋଟିଏ ଜମି ଅଛି । ଚଢ଼ଉରେ ୬ ଜଣ ଡିଏସ୍‌ପି, ୭ ଜଣ  ଇନସପେକ୍ଟରଙ୍କ ସହ ଅନ୍ୟାନ୍ୟ ଅଧିକାରୀ ସାମିଲ  ହୋଇଥିଲେ । ସୂଚନାନୁସାରେ, ଶତପଥୀ ୧୯୮୮ ମସିହା ଜାନୁଆରୀରେ ମାତ୍ର ୬୨୫ ଟଙ୍କାରେ ଚାକିରି ଜୀବନ ଆରମ୍ଭ କରିଥିଲେ । ସେତେବେଳେ ସେ କୋରାପୁଟ ବନଖଣ୍ଡ ଅଧୀନରେ ଫରେଷ୍ଟ ଗାର୍ଡ ଭାବେ  ନିଯୁକ୍ତି ପାଇଥିଲେ । ୨୦୧୪ ମସିହାରେ ଫରେଷ୍ଟର ପାହ୍ୟାକୁ ତାଙ୍କର ପଦୋନ୍ନତି ହୋଇଛି । ଦୀର୍ଘ ୩୭  ବର୍ଷ କେବଳ କୋରାପୁଟ ଜିଲ୍ଲାରେ କାମ କରିଥିଲେ ।