ନୂଆଦିଲ୍ଲୀ,୩୦/୧୨; ବାଂଲାଦେଶର ପୂର୍ବତନ ତଥା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପରଲୋକ ହୋଇଛି । ୮୦ ବର୍ଷ ବୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଖାଲିଦା । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଚିକିତ୍ସିତ ହେଉଥିଲେ । ଡାକ୍ତରଙ୍କ ଅନୁସାରେ, ଖାଲିଦାଙ୍କର ଯକୃତ ସିରୋସିସ୍, ଆର୍ଥ୍ରାଇଟିସ୍, ମଧୁମେହ, ଛାତି ଏବଂ ହୃଦ୍ରୋଗ ସମସ୍ୟା ଥିଲା। ଖାଲିଦାଙ୍କ ବିୟୋଗ ନେଇ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ପକ୍ଷରୁ ସୂଚନା ମିଳିଛି । ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ଅଧ୍ୟକ୍ଷା ଥିଲେ ଜିୟା । ଢାକାର ଏକ ଘରୋଇ ହସ୍ପିଟାରେ ଚିକିତ୍ସାଧୀନ ଅବସ୍ଥାରେ ଖାଲିଦାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି । ୧୯୪୫ ଅଗଷ୍ଟ ୧୫ରେ ଜନ୍ମିତ ଖାଲିଦା ଗୃହିଣୀରୁ ଥର ପ୍ରଧାନମନ୍ତ୍ରୀ ଚୌକିରେ ବସିଥିଲେ ।
ପ୍ରଭାବଶାଳୀ ଖାଲିଦାଙ୍କ ରାଜନୈତିକ ଯାତ୍ରା- ଖାଲିଦାଙ୍କ ବିୟୋଗରେ ବାଂଲାଦେଶ ରାଜନୀତିର ଏକ ଲମ୍ବା, ସଂଘର୍ଷପୂର୍ଣ୍ଣ ଏବଂ ନିର୍ଣ୍ଣାୟକ ଅଧ୍ୟାୟର ଅନ୍ତ ହୋଇଛି । ଦେଶ ଏବଂ ବିଦେଶରୁ ତାଙ୍କ ସମର୍ଥକ, ନେତା ଏବଂ ଶୁଭଚିନ୍ତକଙ୍କ ନିକଟକୁ ଶୋକବାର୍ତ୍ତା ଆସୁଛି । ୧୯୪୫ ଅଗଷ୍ଟ ୧୫ରେ ତତ୍କାଳୀନ ବ୍ରିଟିଶ ଭାରତର ଦିନାଜପୁର (ବର୍ତ୍ତମାନ ବାଂଲାଦେଶରେ) ଜନ୍ମ ଗ୍ରହଣ କରିଥିଲେ ଖାଲିଦା । ପିଲାଦିନ ସାଧାରଣ ଥିଲା । ପ୍ରଥମରୁ ରାଜନୀତି ସହିତ ତାଙ୍କର କିଛି ସମ୍ପର୍କ ନଥିଲା । ବାଂଲାଦେଶ ସେନା ଅଧିକାରୀ ଜିୟା-ଉର-ରହମାନଙ୍କ ସହିତ ତାଙ୍କର ବିବାହ ହେବା ପରେ ଜିୟାଙ୍କର ପରିଚୟ ଏବଂ ଜୀବନର ଦିଗ ବଦଳିଥିଲା । ଜିୟା-ଉର-ରହମାନ ବାଂଲାଦେଶର ଷଷ୍ଠ ରାଷ୍ଟ୍ରପତି ଥିଲେ ।
ଖାଲିଦା ଜିଆଙ୍କ ରାଜନୀତିରେ ଏଣ୍ଟ୍ରୀ ସିଧାସଳଖ ନିର୍ବାଚନ କ୍ଷେତ୍ରରୁ ନୁହେଁ, ବରଂ ତାଙ୍କ ସ୍ୱାମୀଙ୍କ ଉତ୍ତରାଧିକାର ମାଧ୍ୟମରେ ହୋଇଥିଲା । ୧୯୮୧ ମସିହାରେ ରାଷ୍ଟ୍ରପତି ଜିଆଉର ରହମାନଙ୍କ ହତ୍ୟା ବାଂଲାଦେଶୀ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଶୂନ୍ୟସ୍ଥାନ ସୃଷ୍ଟି କରିଥିଲା । ଏହି ସମୟରେ ଖାଲିଦା ଜିଆଙ୍କୁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଦାୟିତ୍ୱ ଦିଆଯାଇଥିଲା। ଗୃହିଣୀରୁ ଦଳର ମୁଖ୍ୟ ହେବା ତାଙ୍କର ପରିବର୍ତ୍ତନ ହଠାତ୍ ହୋଇଥିଲା, କିନ୍ତୁ ସେ ଶୀଘ୍ର ନିଜକୁ ଜଣେ ଦୃଢ଼ ରାଜନୈତିକ ବ୍ୟକ୍ତିତ୍ୱ ପ୍ରମାଣିତ କରିଥିଲେ ।
ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ- ଖାଲିଦା ଜିୟାଙ୍କ ନାମରେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ରେକର୍ଡ ରହିଛି । ୧୯୯୧ରେ ପ୍ରଥମ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହାପରେ ସେ ଦୁଇ ଥର ବାଂଲାଦେଶ ସରକାରର ନେତୃତ୍ୱ ନେଇଥିଲେ । ବେନଜିର ଭୁଟ୍ଟୋଙ୍କ ପରେ ଖାଲିଦା ଦ୍ୱିତୀୟ ମହିଳା ନେତା ଥିଲେ ଯିଏକି କୌଣସି ମୁସଲିମ ଦେଶର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ । ବାଂଲାଦେଶରେ ଶେଖ୍ ହସିନାଙ୍କୁ କ୍ଷମତାରୁ ହଟାଇବା ପରେ ଅନ୍ତରୀଣ ସରକାର ଗଠନ ହୋଇଥିଲା । ଏବେ ଦେଶରେ ନୂଆ ସରକାର ଚୟନ ନେଇ ଫେବୃଆରୀରେ ନିର୍ବାଚନ ହେବ । ଏହି ନିର୍ବାଚନରେ ଖାଲିଦା ପ୍ରାର୍ଥୀ ଥିଲେ । ଦେହାନ୍ତର କିଛି ଘଣ୍ଟା ପୂର୍ବରୁ ଡିସେମ୍ବର ୨୯ ତାରିଖରେ ନାମାଙ୍କନ ଭରିଥିଲେ । ଖାଲିଦା ବୋଗରା-୭ ସିଟ୍ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
୨୦୦୮ରେ ଅନାଥ ପିଲାଙ୍କ ପାଇଁ ଉଦ୍ଧିଷ୍ଟ ପାଣ୍ଠିର ଅପବ୍ୟବହାର ସହିତ ଜଡ଼ିତ ଏକ ଦୁର୍ନୀତି ମାମଲାରେ ୨୦୧୮ରେ ଖାଲିଦା ଦୋଷୀ ସାବ୍ୟସ୍ତ ହୋଇଥିଲେ । ଶେଖ୍ ହସିନାଙ୍କୁ କ୍ଷମତାରୁ ବହିଷ୍କାର କରାଯିବା ପରେ ଜିୟାଙ୍କୁ ଗୃହବନ୍ଦୀରୁ ମୁକ୍ତ କରାଯାଇଥିଲା । ଆୱାମୀ ଲିଗ୍ ନେତା ୨୦୨୦ରେ ଜିଆଙ୍କ ସ୍ୱାସ୍ଥ୍ୟାବସ୍ଥା କାରଣକୁ ଜେଲ୍ ଦଣ୍ଡ ସ୍ଥଗିତ କରିଥିଲେ । ଏହା ସହିତ ସେ କୌଣସି ରାଜନୈତିକ କାର୍ଯ୍ୟରେ ସକ୍ରିୟ ହେବେ ନାହିଁ ବୋଲି ସର୍ତ୍ତ ରଖାଯାଇଥିଲା । ଚଳିତ ବର୍ଷ ଜାନୁଆରୀରେ ସୁପ୍ରିମକୋର୍ଟ ଦୁର୍ନୀତି ମାମଲାରେ ଜିୟାଙ୍କୁ ଦୋଷମୁକ୍ତ କରିଥିଲେ । ୧୦ ବର୍ଷର ଜେଲଦଣ୍ଡକୁ ଖାରଜ କରିଥିଲେ । ଖାଲିଦାଙ୍କ ପରିବାରରେ ତାଙ୍କ ବଡ଼ପୁଅ ତାରିକ୍, ତାଙ୍କ ପତ୍ନୀ ଓ ଝିଅ । ତାରିକ୍ ଡିସେମ୍ବର ୨୫ରେ ୧୭ ବର୍ଷ ନିର୍ବାସନରେ ରହିବା ପରେ ବାଂଲାଦେଶକୁ ଫେରିଥିଲେ ।
ଶେଖ୍ ହସିନାଙ୍କ ସହ ଶତ୍ରୁତା- ଖାଲିଦା ଜିୟା ଏବଂ ଆୱାମୀ ଲିଗ୍ ନେତା ଶେଖ୍ ହସିନାଙ୍କ ମଧ୍ୟରେ ଦଶନ୍ଧି ଧରି ଚାଲିଥିବା ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ବାଂଲାଦେଶର ରାଜନୀତିକୁ ଦୁଇ ଭାଗ କରିଥିଲା । ଦୁଇ ନେତାଙ୍କ ମଧ୍ୟରେ ସଂଘର୍ଷ କେବଳ କ୍ଷମତା ପରିବର୍ତ୍ତନକୁ ସ୍ଥିର କରିନଥିଲା ବରଂ ଗଣତନ୍ତ୍ର, ପ୍ରତିଷ୍ଠାନ ଏବଂ ରାସ୍ତା ରାଜନୀତିକୁ ମଧ୍ୟ ପ୍ରଭାବିତ କରିଥିଲା ।
ଖାଲିଦାଙ୍କ ବିୟୋଗ ନେଇ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଏକ୍ସରେ ପୋଷ୍ଟ କରି କହିଛି, ''ବିଏନପି ଅଧ୍ୟକ୍ଷା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲିଦା ଜିୟାଙ୍କର ଆଜି ସକାଳ ୬ ଟାରେ ଫଜର ନମାଜ ପରେ ପରଲୋକ ହୋଇଯାଇଛି । ଇନ୍ନା ଇଲ୍ଲାହି ୱା ଇନ୍ନା ଇଲାଇହି ରାଜିଉନ୍ । ଆମେ ତାଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରୁଛୁ । ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିବାକୁ ସମସ୍ତଙ୍କୁ ଅନୁରୋଧ କରୁଛୁ ।''
The BNP Chairperson and former Prime Minister, Begum Khaleda Zia, passed away today at 6:00 a.m., shortly after the Fajr prayer. Inna lillahi wa inna ilayhi raji‘un. We pray for the forgiveness of her soul and request everyone to offer prayers for her departed soul. pic.twitter.com/KY2948UPD5
— Bangladesh Nationalist Party-BNP (@bdbnp78) December 30, 2025