ମୁମ୍ବାଇ: ନିର୍ବାଚନ କମିଶନଙ୍କ ଉପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଲଗାତାର ଅଭିଯୋଗ ଆଣୁଛନ୍ତି । ଏହାରି ମଧ୍ୟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏନସିପି (ଏସପି) ମୁଖ୍ୟ ଶରଦ ପାୱାର ଗତ ବିଧାନସଭା ନିର୍ବାଚନକୁ ନେଇ ବିସ୍ଫୋରକ ଖୁଲାସା କରିଛନ୍ତି ।  ସେ କହିଛନ୍ତି ଯେ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଦୁଇ ଜଣ ବ୍ୟକ୍ତି ତାଙ୍କୁ ୨୮୮ ଆସନରୁ ୧୬୦ ଆସନ ଜିତିବାର ଗ୍ୟାରେଣ୍ଟି ଦେଇଥିଲେ ।

ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି,  ‘ମୋର ମନେ ଅଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଘୋଷଣା ପୂର୍ବରୁ ଦୁଇ ଜଣ ଲୋକ ଦିଲ୍ଲୀରେ ମୋତେ ଭେଟିବାକୁ ଆସିଥିଲେ। ସେମାନେ ମୋତେ କହିଥିଲେ ଯେ, ମହାରାଷ୍ଟ୍ରର ୨୮୮ ଆସନ ମଧ୍ୟରୁ ଆମେ ଆପଣଙ୍କୁ ୧୬୦ ଆସନର ଗ୍ୟାରେଣ୍ଟି ଦେଉଛୁ। ମୁଁ ଆଶ୍ଚର୍ଯ୍ୟ ହୋଇଥିଲି, ସତ କହିବାକୁ ଗଲେ, ମୋର ନିର୍ବାଚନ କମିଶନ ଉପରେ କୌଣସି ସନ୍ଦେହ ନଥିଲା।’




ସେ ଆହୁରି କହିଛନ୍ତି, ‘ଏହା ପରେ, ମୁଁ ସେହି ଲୋକମାନଙ୍କ ସହ ରାହୁଲ ଗାନ୍ଧୀଙ୍କର ଏକ ବୈଠକ ସ୍ଥିର କରିଥିଲି। ସେମାନେ ଯାହା କହିବାକୁ ଚାହୁଁଥିଲେ, ସେମାନେ ରାହୁଲ ଗାନ୍ଧୀଙ୍କ ସାମ୍ନାରେ କହିଥିଲେ । କିନ୍ତୁ ରାହୁଲ ଗାନ୍ଧୀ ଏବଂ ମୁଁ ମତ ଦେଇଥିଲୁ ଯେ, ଆମେ ଏଥିରେ ଧ୍ୟାନ ଦେବା ଉଚିତ୍ ନୁହେଁ । ଏହା ଆମର ରାସ୍ତା ନୁହେଁ।’

ରାହୁଲ ଗାନ୍ଧୀଙ୍କ ଭଳି ଶରଦ ପାୱାର ନିର୍ବାଚନରେ ଅନିୟମିତତା ନେଇ ଅଭିଯୋଗ ଆଣିଛନ୍ତି । କିନ୍ତୁ ନିର୍ବାଚନ ସମୟରେ ବା ତା ପରେ ଏହି ଦୁଇ ନେତା ଏନେଇ କାହିଁକି ଅଭିଯୋଗ କରିନଥିଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭୋଟ ଚୋରି ନେଇ ରାହୁଲଙ୍କ ଅଭିଯୋଗକୁ ନିର୍ବାଚନ କମିଶନ ମଧ୍ୟ ଖଣ୍ଡନ କରିଛନ୍ତି । ନିକଟରେ ରାହୁଲ ଗାନ୍ଧୀ କାଗଜ ଦେଖାଇ ମିଡିଆ ସାମ୍ନାରେ ଭୋଟ ଚୋରି ହୋଇଥିବା ଅଭିଯୋଗ କରିଥିଲେ । ଏହାକୁ ନେଇ ମଧ୍ୟ ରାଜନୀତି ଜୋର ଧରିଛି ।