ନୀଳଗିରି, ୦୨/୦୧ : ନୀଳଗିରିର ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ। କାହାଳିଆ ସ୍ଥିତ ବାସଭବନରେ ଗୁରୁବାର ରାତି ୨ଟାରେ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ନୀଳଗିରି ହସ୍ପିଟାଲ ନେବାପରେ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବୟସ ହୋଇଥିଲା। ସେ ପୂର୍ବରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉ ଥିବାବେଳେ ଶ୍ଵାସ ରୋଗ ମଧ୍ୟ ଥିଲା। ହଠାତ୍ ଆଜମା ବାହାରି ପଡିବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି। ତାଙ୍କ ମରଶରୀର ନିକଟରେ ତାଙ୍କର ପୁତ୍ର, ଦୁଇଝିଅ ଓ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ। ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି। ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ପୂର୍ବତନ ବିଧାୟକ ସୁକାନ୍ତ ନାୟକ ଓ କଂଗ୍ରେସ ନେତା, କର୍ମୀମାନେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
କଂଗ୍ରେସ ଟିକେଟରେ ନୀଳଗିରି ଆସନରୁ ଲଢି ଅକ୍ଷୟ ଆଚାର୍ଯ୍ୟ ଦୁଇ ଥର ବିଧାୟକ ହୋଇଥିଲେ। ସେ ୧୯୮୦-୮୫ ଏବଂ ୧୯୯୫-୨୦୦୦ ଯାଏଁ ବିଧାୟକ ଥିଲେ । ଅକ୍ଷୟ କୁମାର ଆଚାର୍ଯ୍ୟ ୧୯୬୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଇନ୍ଦିରା କଂଗ୍ରେସରେ ଯୋଗ ଦେଇଥିଲେ। ଅକ୍ଷୟ ୧୯୮୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଇନ୍ଦିରା କଂଗ୍ରେସର ପ୍ରାର୍ଥୀ ଭାବରେ ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ସେ ତାଙ୍କ ନିର୍ବାଚନ ମଣ୍ଡଳୀ ପାଇଁ ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ। ସେ ନୀଳଗିରିରେ ପ୍ରଥମେ ରାବଣ ପୋଡି ଆରମ୍ଭ କରିଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରବେଶ ସୃଷ୍ଟି ହୋଇଥିବା ବେଳେ ନୀଳଗିରି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଇଛି।
ଅକ୍ଷୟ କୁମାର ଆଚାର୍ଯ୍ୟ ୧୯୪୮ ମସିହାର ଜୁଲାଇ ମାସ ୨୬ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅର୍ଜୁନ ଆଚାର୍ଯ୍ୟ । ସେ କଳାରେ ସ୍ନାତକ କରିଥିଲେ। ପରେ ସେ ଓକିଲାତି ପଢ଼ିଥିଲେ ଏବଂ ଜଣେ ଓକିଲ ଭାବରେ କାର୍ଯ୍ୟ କରୁଥିଲେ । ଅକ୍ଷୟଙ୍କର ପତ୍ନୀଙ୍କ ନାମ ଜୟନ୍ତୀ ଆଚାର୍ଯ୍ୟ । ତାଙ୍କର ୪ଜଣ ସନ୍ତାନ ଅଛନ୍ତି।