ନୂଆଦିଲ୍ଲୀ,୧୮/୦୯: ପୂର୍ବତନ ହୁରିୟତ କନଫରେନ୍ସ ଅଧ୍ୟକ୍ଷ ଅବଦୁଲ ଘନି ଭଟ୍ଙ୍କ ପରଲୋକ । ବୁଧବାର ସୋପୋରସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ପରିବାର ସୂତ୍ରରୁ ଜଣାପଡିଛି ଯେ ଭଟ୍ଙ୍କୁ ତାଙ୍କ ପୈତୃକ କବରସ୍ଥାନରେ କବର ଦିଆଯିବ। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ସମେତ ଅନେକ ନେତା ଭଟ୍ଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।
ହୁରିୟତ ଅଧ୍ୟକ୍ଷ ମୀରୱାଇଜ୍ ଉମର ଫାରୁକ୍ କହିଛନ୍ତି ଯେ, ଭଟ୍ ଗତ କିଛି ବର୍ଷ ଧରି ଅସୁସ୍ଥ ଥିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଛି। ମୀରୱାଇଜ୍ କହିଛନ୍ତି, "ମୁଁ ଭଟ୍ ସାହିବଙ୍କ ପୁଅଙ୍କଠାରୁ ଏକ ଫୋନ୍ ପାଇଲି ଯେଉଁଥିରେ ସେ ବରିଷ୍ଠ ନେତାଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଥିଲେ। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ମୀରୱାଇଜ୍ କହିଛନ୍ତି ଯେ, ଅବଦୁଲ୍ ଭଟ୍ଙ୍କ ମୃତ୍ୟୁ ତାଙ୍କ ପାଇଁ ଏକ ବଡ଼ ବ୍ୟକ୍ତିଗତ କ୍ଷତି। ସେ ଲେଖିଛନ୍ତି, "ମୁଁ ଏବେ ଦୁଃଖଦ ଖବର ପାଇଲି ଯେ ମୁଁ ମୋର ପ୍ରିୟ ବନ୍ଧୁ ଏବଂ ସହକର୍ମୀ ପ୍ରଫେସର ଅବଦୁଲ୍ ଘନି ଭଟ୍ଙ୍କୁ ହରାଇଛି।"
ସେହିପରି ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଭଟ୍ଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି କହିଛନ୍ତି, "ଆମର ରାଜନୈତିକ ଚିନ୍ତାଧାରା ଭିନ୍ନ ଥିଲେ ମଧ୍ୟ, ମୁଁ ତାଙ୍କୁ ସର୍ବଦା ଜଣେ ଅତ୍ୟନ୍ତ ଭଦ୍ର ଏବଂ ଭଲ ବ୍ୟକ୍ତି ଭାବରେ ମନେ ରଖିବି। ବରିଷ୍ଠ ରାଜନୈତିକ ନେତା ଏବଂ ପ୍ରଫେସର ଅବଦୁଲ ଘନି ଭଟଙ୍କୃ ଦେହାନ୍ତ ବିଷୟରେ ଶୁଣି ମୁଁ ଦୁଃଖିତ।" ଯେତେବେଳେ ଅନେକ ଲୋକ ବିଶ୍ୱାସ କରୁଥିଲେ ଯେ ହିଂସା ହିଁ ଏକମାତ୍ର ରାସ୍ତା, ଭଟ୍ ଆଲୋଚନା ବାଛି ସାହସ ଦେଖାଇଥିଲେ। ସେ ଏ ସମ୍ପର୍କରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ବାଜପେୟୀ ଏବଂ ଉପପ୍ରଧାନମନ୍ତ୍ରୀ ଆଡଭାନୀଙ୍କ ସହ ସାକ୍ଷାତ କରିଥିଲେ।
ପ୍ରକାଶ ଥାଉକି, କାଶ୍ମୀରରେ ଆତଙ୍କବାଦର ଚରମ ସୀମାରେ ସୟଦ ଅଲି ଶାହ ଗିଲାନି ଏବଂ ମସରତ ଆଲମ ଭଳି ବିଚ୍ଛିନ୍ନତାବାଦୀ ନେତାଙ୍କ ମଧ୍ୟରେ ଭଟ୍ ଜଣେ ଶାନ୍ତିପ୍ରିୟ ବ୍ୟକ୍ତିତ୍ୱ ଭାବରେ ଉଭା ହୋଇଥିଲେ। ସେ ହିଂସା ମାଧ୍ୟମରେ ନୁହେଁ, ବରଂ ଶାନ୍ତିପୂର୍ଣ୍ଣ ଭାବରେ କାଶ୍ମୀର ସମସ୍ୟାର ସମାଧାନ କରିବାକୁ ଚାହୁଁଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଏନଡିଏ ସରକାର ଏବଂ ପରେ ମନମୋହନ ସିଂହଙ୍କ ନେତୃତ୍ୱରେ ୟୁପିଏ ସରକାର ସମୟରେ ହୁରିୟତ ସମ୍ମିଳନୀକୁ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନାରେ ଆଣିବାରେ ଭଟ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।